।। ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ।।

Sep 28, 2024 - 17:53
 0  172
।। ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ।।

ବାରିପଦା:୨୮/୦୯/୨୦୨୪: ବାରିପଦା ସ୍ଥିତ ସହିଦ ସ୍ମୃତି ଭବନରେ ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଣ୍ଡାରୀ ଭାଷାର ସାମାଜିକ ଏବଂ ସାମ୍ବିଧାନିକ ସ୍ବୀକୃତି ହାସଲ କରିବା ଓ ମୁଣ୍ଡାରୀ ଭାଷାର ସୁରକ୍ଷା ଉଦ୍ଦେଶ୍ୟରେ ୨୦୨୩ ମସିହା ଜୁଲାଇ ୧୯ ତାରିଖ ଦିନ ମୁଣ୍ଡାରୀ ସମାଜର ବିିଭିନ୍ନ ସଂଗଠନ ଗୁଡିକୁ ନେଇ ଉକ୍ତ "ମୁଣ୍ଡାରୀ ଭାଷା ସମନ୍ୱୟ କମିଟି" ଗଠିତ ହେଇଥିଲା । ଆଜି ଏକ ବର୍ଷ ପୂର୍ତ୍ତି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଓଡିଶା ସମେତ ଝାରଖଣ୍ଡ ଏବଂ ପଶ୍ଚିମବଙ୍ଗ ପ୍ରଭୃତି ତିନୋଟି ରାଜ୍ୟର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ନିମନ୍ତେ ଦୀର୍ଘ ବର୍ଷରୁ ଦାବି ହୋଇ ଆସୁଥିଲେ ମଧ୍ୟ ସରକାର ଗୁରୁତ୍ୱ ଦେଉ ନଥିବାରୁ ମୁଣ୍ଡାରୀ ଭାଷା ଆନ୍ଦୋଳନକୁ ଜୋରଦାର କରିବା ସକାଶେ ଉକ୍ତ ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଥିଲା । ମୁଣ୍ଡାରୀ ଭାଷା ଆନ୍ଦୋଳନ ସ୍ବରୂପ ମୁଣ୍ଡାରୀ ଭାଷାଭାଷୀ ଲୋକ ରହୁଥିବା ଗ୍ରାମ ଗୁଡ଼ିକରେ ରବିବାରିଆ ମୁଣ୍ଡାରୀ ବିଦ୍ୟାଳୟମାନ ଖୋଲାଯାଇ ୬ ରୁ ୧୪ ବର୍ଷ ବୟସର ପିଲାମାନଙ୍କୁ ମୁଣ୍ଡାରୀ ଭାଷାର ଲିପି ମୁଣ୍ଡାରୀ ବାନି ମାଧ୍ୟମରେ ଶିକ୍ଷାଦାନ କରାଯାଉଛି । ଏଥିସହିତ ପ୍ରେମ୍ ଏବଂ ୟୁ.ଏନ୍.ଏଫ୍.ପି.ଏ. ସହଯୋଗରେ ବାଲ୍ୟବିବାହ ନିରାକରଣ, ଅବାଞ୍ଛିତ ଗର୍ଭଧାରଣ ନିରାକରଣ, ମାତୃ ମୃତ୍ୟୁହାରକୁ ହ୍ରାସ କରିବା, ଲିଙ୍ଗିୟ ବୈଷମ୍ୟତା ନେଇ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି । ମୁଣ୍ଡାରୀ ଭାଷାରେ ଏକ ତ୍ରୈମାସିକ ପତ୍ରିକା "ସାଲଗାଓ୍ବ" ପ୍ରକାଶିତ ହେଉଛି । ଉକ୍ତ ବାର୍ଷିକ ସମ୍ମିଳନୀରେ ସାଧାରଣ ସମ୍ପାଦକ ଇଂ. ସୁନାରାମ ସିଂ ସଭାପତିତ୍ବ କରିଥିଲାବେଳେ ଜିଲ୍ଲା ଆବାହକ ବିରବଲ ସିଂ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଣ୍ଡାରୀ ଶିକ୍ଷା ପରିଷଦର ସମ୍ପାଦକ ବୁଧିଆ ସିଂ ମୁଣ୍ଡାରୀ ରବିବାରିଆ ବିଦ୍ୟାଳୟର ଆବଶ୍ୟକତା ସମ୍ବନ୍ଧୀୟ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ମୁଣ୍ଡାରୀ ଭାଷା ସାକ୍ଷରତା ପରୀକ୍ଷାରେ ଶତପ୍ରତିଶତ ନମ୍ବର ରଖିଥିବା ଚାରିଜଣ ପିଲାଙ୍କୁ ପୁରସ୍କୃତ କରାଯାଇଥିଲା । ବହଳଦାର ଲିପସା ସିଂ, ହାତୀବାରିର ସୋମବାରି ସିଂ, ବାଲିଯୋଡାର ପ୍ରାଚି ସିଂ, ମହୁଲିଆର ଶାନ୍ତିଲତା ସିଂ ମୁଣ୍ଡାରୀ ଭାଷା ପରୀକ୍ଷାରେ ଶତପ୍ରତିଶତ ନମ୍ବର ରଖିଥିବାରୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଶ୍ରୀମତୀ କ୍ଷୀରମଣି ସିଂଙ୍କ ସଂକଳିତ ମୁଣ୍ଡାରୀ ଭାଷାର କବିତା ପୁସ୍ତକ "ସୁଗାଳ ଚଲନ୍" ଉନ୍ମୋଚନ କରାଗଲା । ଶେଷରେ ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର ଉପଦେଷ୍ଟା ବିଲକାନ୍ ପ୍ରଭୁଦୟାଲ ନାଗ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ ହୋଇଥିଲା ।

ବାରିପଦାରୁ -ଗୌର ଦାସଗିରି

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ