ମାଲକାନଗିରିରେ ଆରମ୍ଭ ହେଲା ସୁଆଦିଆ ଆମ୍ବର ମେଳା: ଚାଷୀ ଓ ମହିଳାଙ୍କ ସ୍ୱାବଲମ୍ବନର ନୂଆ କାହାଣୀ
ମାଲକାନଗିରି, ୩୧ ମେ ୨୦୨୬: ମାଲକାନଗିରି ସହରର ସ୍ଥାନୀୟ ପୁରୁଣା ମେଡିକାଲ ପଡ଼ିଆ ଏବେ ପାଚିଲା ଆମ୍ବର ମହକରେ ମହକୁଛି। ଜିଲ୍ଲା ପ୍ରଶାସନ ଓ ଓର୍ମାସ ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ଆମ୍ବ ମେଳା କେବଳ ସୁଆଦିଆ ଆମ୍ବ ବିକ୍ରିର ମାଧ୍ୟମ ସାଜିନାହିଁ, ବରଂ ଏହା ମାଲକାନଗିରିର ଆଦିବାସୀ ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସଫଳତାର ଏକ ଜୀବନ୍ତ ଉଦାହରଣ ପାଲଟିଛି। ଗତ ୩୦ ମେ’ରୁ ଆରମ୍ଭ ହୋଇଥିବା ଏହି ମେଳା ଆସନ୍ତା ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ଚାଲିବ।ଏହି ମେଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ କହିଛନ୍ତି, ଆମ ଜିଲ୍ଲାର ପ୍ରାକୃତିକ ପରିବେଶରେ ଉତ୍ପନ୍ନ ଆମ୍ବର ଚାହିଦା ବହୁତ ରହିଛି। ଏହି ମେଳା ମାଧ୍ୟମରେ ଆମେ ଆମର ସ୍ଥାନୀୟ ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ସଠିକ୍ ମୂଲ୍ୟ ଦେବା ସହ ସେମାନଙ୍କୁ ସିଧାସଳଖ ବଜାର ସହ ଯୋଡ଼ିବାକୁ ଚେଷ୍ଟା କରିଛୁ। ଏହା ଦ୍ବାରା ଜିଲ୍ଲାର ଆର୍ଥିକ ବିକାଶ ଆହୁରି ମଜବୁତ ହେବ। ସେହିପରି ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ଏହି ପ୍ରୟାସକୁ ପ୍ରଶଂସା କରି କହିଛନ୍ତି, ଏହି ମେଳା କେବଳ ବ୍ୟବସାୟ ନୁହେଁ, ବରଂ ଆମ ଗ୍ରାମୀଣ ମହିଳା ଓ ଚାଷୀଙ୍କ ପରିଶ୍ରମର ଏକ ସୁନ୍ଦର ପ୍ରଦର୍ଶନୀ। ବୈଦେଶିକ ତଥା ବୈଜ୍ଞାନିକ ପ୍ରଣାଳୀରେ ଆମ୍ବକୁ ସୁରକ୍ଷିତ ଭାବେ ପଚାଇ ଗ୍ରାହକଙ୍କୁ ବିଶୁଦ୍ଧ ଫଳ ଯୋଗାଇବା ଦିଗରେ ଓର୍ମାସ୍ ଏବଂ ଚାଷୀମାନେ ଯେଉଁ କାମ କରିଛନ୍ତି, ତାହା ପ୍ରଶଂସନୀୟ। ଏହି ମେଳାର ପ୍ରକୃତ କାର୍ଯ୍ୟକାରୀ ଶକ୍ତି ସାଜିଛନ୍ତି ଓର୍ମାସ୍ ଦ୍ୱାରା ଗଠିତ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ 'ମଲ୍ଲୀକେଶ୍ଵର' ଓ 'ଗ୍ରାମଦେବୀ' କୃଷକ ଉତ୍ପାଦକ ସଂଗଠନ । ଏଫପିଓର ସଦସ୍ୟମାନେ ସିଧାସଳଖ ନିଜ ବଗିଚାରୁ ଆମ୍ରପାଲୀ, ବାଇଗଣପାଲୀ, ଟୋଟାପୁରୀ, ଜାମକୋଳି, ଦାଶରୀ ଓ ମଲ୍ଲିକା ଭଳି ବିଭିନ୍ନ କିସମର ଦେଶୀ ଆମ୍ବ ସଂଗ୍ରହ କରି ମେଳାକୁ ଆଣିଛନ୍ତି। ଏହା ଦ୍ବାରା ମଧ୍ୟବର୍ତ୍ତୀ ଗ୍ରାହକ କିମ୍ବା ଦଲାଲଙ୍କ ଶୋଷଣରୁ ଚାଷୀମାନେ ରକ୍ଷା ପାଇଛନ୍ତି। ଅନ୍ୟପଟେ, କେବଳ କଞ୍ଚା କିମ୍ବା ପାଚିଲା ଆମ୍ବ ନୁହେଁ, ଏସଏଚଜି ର ମହିଳାମାନେ ନିଜ ହାତର ଜାଦୁ ଦେଖାଇ ଆମ୍ବରୁ ପ୍ରସ୍ତୁତ କରିଛନ୍ତି ବିଭିନ୍ନ ସୁଆଦିଆ ପାନୀୟ। ମେଳାକୁ ଆସୁଥିବା ଲୋକଙ୍କ ପାଇଁ ସେମାନେ ନିଜେ ତିଆରି କରିଥିବା ଖଟାମିଠା ଆମ୍ବ ପଣା ଏବଂ ମ୍ୟାଙ୍ଗୋ ସେକ୍ ପରଷୁଛନ୍ତି, ଯାହା ଏହି ଗ୍ରୀଷ୍ମ ଋତୁରେ ଲୋକଙ୍କୁ ବେଶ୍ ଆକୃଷ୍ଟ କରୁଛି।ଏହା ସେହି ମହିଳାମାନଙ୍କ ପାଇଁ ଏକ ବଡ଼ ସ୍ୱାବଲମ୍ବନ ଓ ରୋଜଗାରର ପନ୍ଥା ସାଜିଛି। ଓର୍ମାସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱସ୍ତିକା ପ୍ରଧାନଙ୍କ ପ୍ରତ୍ୟକ୍ଷ ତଦାରଖରେ ଏହି ସମଗ୍ର ମେଳା ପରିଚାଳିତ ହେଉଛି। ତାଙ୍କ ସହ ବ୍ୟବସାୟ ପରିଚାଳକ ଜିତେନ୍ଦ୍ର କୁମାର ପାତ୍ର, ଅମିତ କୁମାର, ଏଫପିଓ ସଂଯୋଜିକା ମମତା ମହାପାତ୍ର ଓ ଶ୍ୟାମ ମୁଦୁଲି ପ୍ରମୁଖ ଦିନରାତି ଏହି କାର୍ଯ୍ୟରେ ସହଯୋଗ କରୁଛନ୍ତି। ଜିଲ୍ଲା ପରିଷଦର ଅଧିକାରୀ ବାଲାଜୀ ପଟ୍ଟନାୟକ, ମାନସ ମିଶ୍ର, ହିମାଂଶୁ ମହାରଣା ଓ ହର୍ଷାନନ୍ଦ ପ୍ରଧାନ ମଧ୍ୟ ମେଳାକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।ମାଲକାନଗିରିବାସୀଙ୍କୁ ଏହି ବିଶୁଦ୍ଧ ଓ କେମିକାଲ୍ ମୁକ୍ତ ସ୍ୱାଦିଷ୍ଟ ଆମ୍ବର ଆନନ୍ଦ ନେବା ସହ ଆମ ସ୍ଥାନୀୟ ମହିଳା ଓ ଚାଷୀ ଭାଇମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0