ବିଭାଗ ଓ ଠିକାସଂସ୍ଥାର ଅବହେଳା ଯୋଗୁଁ ରାସ୍ତା କାଦୁଅ ରେ ପଚ ପଚ: ଚଳାଚଳ ବନ୍ଦ, ଲୋକେ ହଟହଟା

Jun 18, 2025 - 17:54
 0  10
ବିଭାଗ ଓ ଠିକାସଂସ୍ଥାର ଅବହେଳା ଯୋଗୁଁ ରାସ୍ତା କାଦୁଅ ରେ ପଚ ପଚ: ଚଳାଚଳ ବନ୍ଦ, ଲୋକେ ହଟହଟା

କନ୍ଧମାଳ,(ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ନିର୍ମାଣାଧୀନ ପୋଲ ନିକଟ ଡାଇଭର୍ସନ ରାସ୍ତା କର୍ଦ୍ଦମାକ୍ତ ଯୋଗୁ ଗୋଟିଏ ଟ୍ରକ୍‌ କାଦୁଅରେ ଫସିଯିବା ପରେ ସେହି ରାସ୍ତାରେ ଯାତାୟାତ କରୁଥିବା ଅନ୍ୟ ଗାଡ଼ିମୋଟର ଅଟକି ରହିଛି। ଫଳରେ ଶହଶହ ଯାତ୍ରୀ ସେଠାରେ ଫସି ରହିଛନ୍ତି। ନିମ୍ନମାନର ରାସ୍ତା କାର୍ଯ୍ୟ ଯୋଗୁ୍‌ ଯାତ୍ରୀ ହଟହଟା ଭୋଗୁଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ସିମନବାଡ଼ି ଠାରୁ ରାଇକିଆକୁ ସଂଯୋଗ କରୁଥିବା ରାସ୍ତା ସିମନବାଡ଼ି ଠାରୁ ସିକାକେତା ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ୧୫ କିମି ଦୂରତା ଗତ ୩ ବର୍ଷରୁ ଊର୍ଦ୍ଧ୍ୱ ହେଲାଣି ନିର୍ମାଣ କାର୍ଯ୍ୟ ଚାଲିଛି। ସେହି ରାସ୍ତା ନିର୍ମାଣ ମଧ୍ୟରେ ୨ଟି ବଡ଼ ପୋଲ ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲିଛି। ତେବେ ଯେଉଁଠି ପୋଲ କାର୍ଯ୍ୟ ଚାଲିଛି ତାହା ନିକଟରେ ଗାଡ଼ିମୋଟର ଯାତାୟାତ ପାଇଁ ଡାଇଭର୍ସନ ରାସ୍ତା କରାଯାଇଛି। ଉକ୍ତ ରାସ୍ତାର ୨ ପାର୍ଶ୍ୱ ଉଠାଣି ଓ ଗଡ଼ାଣିଆ ରାସ୍ତା ରହିଛି। ତାକୁ ମେଟାଲ ଓ ପିଚୁ ପକା ନ ଯାଇ ମୋରମ ମାଟି ପକାଯାଇ ଛାଡ଼ି ଦିଆଯାଇଛି। ଫଳରେ ଅଞ୍ଚଳରେ ଏବେ ଝିପିଝିପି ବର୍ଷା ଲାଗି ରହିଥିବାରୁ ଉକ୍ତ ଡାଇଭର୍ସନ ରାସ୍ତାଟି କର୍ଦ୍ଦମାକ୍ତ ହୋଇପଡ଼ିଛି। ଗାଡ଼ିମୋଟର ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଥିବା ବେଳେ ବୁଧବାର ସକାଳେ ଏହି କାଦୁଅରେ ଏକ ଟ୍ରକ୍‌ ଫସିଯାଇଛି। ଫଳରେ ଏବେ ଟ୍ରକ୍‌ଟି ବାହାରିପାର ନ ଥିବା ବେଳେ ସେଠାରେ ୨ ପାର୍ଶ୍ୱରେ ବହୁ ଗାଡ଼ିମୋଟର ଅଟକି ରାସ୍ତା ଜାମ ହୋଇପଡ଼ିଛି। ସିମନବାଡ଼ି ଠାରୁ ରାଇକିଆ ଲୋକଙ୍କ ଲାଇଫ୍‌ଲାଇନ୍‌ କୁହାଯାଉଥିବା ଉକ୍ତ ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ କୋଟି କୋଟି ଟଙ୍କା ବିନିମୟରେ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ବିଭାଗ ଓ ଠିକାସଂସ୍ଥାର ଅବହେଳା ଯୋଗୁ ଏବେ ସେହି ରାସ୍ତା କାର୍ଯ୍ୟ ସରିବାର ନାମ ଧରୁନାହିଁ। ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ