ନୂଆପଡାରେ "ଲକ୍ଷପତି ଦିଦି " ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

Mar 12, 2025 - 04:18
 0  16
ନୂଆପଡାରେ "ଲକ୍ଷପତି ଦିଦି " ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

। ନୂଆପଡା : ନୂଆପଡା ସଦର ସ୍ଥିତ ପୋଲିସ ପଡିଆ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଓଡିଶା ଜୀବିକା ମିଶନ, ନୂଆପଡା ଆନୁକୂଲ୍ୟରେ "ଲକ୍ଷପତି ଦିଦି " ସମ୍ପର୍କିତ ଏକ ଦିନିକିଆ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ଭବ୍ୟ ସମାରୋହରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ସମ୍ମାନିତ ଅତିଥି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଏ.ପି.ଡି ଯୋଗେଶ୍ଵର ଭୋଇ, ଏଲ୍.ଡି.ଏମ୍ ସୀତାରାମ ମେହେରଙ୍କ ସହିତ ଉକ୍ତ କର୍ମଶାଳାକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓଡିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ସୁନୀଲ କୁମାର ମଲ୍ଲିକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ "ଲକ୍ଷପତି ଦିଦି " ଯୋଜନାର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ । ଏହା ଦିନଦୟାଲ ଅନ୍ତୋଦୟ ଯୋଜନା -ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅନ୍ତର୍ଗତ ଭାରତ ସରକାର ଓ ଓଡିଶା ସରକାରଙ୍କ ଏକ ସମ୍ମିଳିତ କାର୍ଯ୍ୟକ୍ରମ । ଏହା ଦ୍ବାରା ଜିଲ୍ଲାର ଅନେକ ମହିଳା ଉପକୃତ ହୋଇ ପାରିବେ । ଏଲ.ଡି.ଏମ୍ ଏହି ଯୋଜନାରେ ଲକ୍ଷପତି ହେବାର କୌଶଳ ସମ୍ବନ୍ଧରେ ବିଶଦ ଭାବେ ବୁଝାଇ ଥିଲେ। ଅତିଥି ମାନେ କହିଲେ ଯେ ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଗ୍ରାମୀଣ ମହିଳା ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ କାର୍ଯ୍ୟ କ୍ଷେତ୍ରରେ ସମସ୍ତ ପ୍ରକାର ସମର୍ଥନ ଯୋଗାଇ ଦେଇ ସେମାନଙ୍କୁ ଶକ୍ତିଶାଳୀ କରିବା । ଜିଲ୍ଲାପାଳ ଉପସ୍ଥିତ ମହିଳା ମଣ୍ଡଳୀକୁ ସମ୍ବୋଧନ କରି କହିଲେ ଯେ ଏହି କର୍ମଶାଳା ସେମାନଙ୍କ ଆର୍ଥିକ ସ୍ୱଚ୍ଛଳତା ଆଣିବା ଦିଗରେ ବିଶେଷ ସହାୟକ ହେବ। ଏହାଦ୍ବାରା ସେମାନଙ୍କର ଜୀବନ ଧାରଣ ମାନ ଉନ୍ନତ ହେବ ଏବଂ ସେମାନେ ସ୍ୱାବଲମ୍ବୀ ଓ ସଶକ୍ତ ହେବେ । ଏହାଦ୍ବାରା ପରିବାର, ଜିଲ୍ଲା, ରାଜ୍ୟ ଏବଂ ଦେଶ ସମସ୍ତେ ସମୃଦ୍ଧ ହେବେ । ସଭାରେ ଜିଲ୍ଲା କୃଷି ଅଧିକାରୀ ସତ୍ୟ ଭୂଷଣ ନାଗ, ଉପ ନିର୍ଦ୍ଦେଶକ ଉଦ୍ୟାନ କୃଷି ହରେକୃଷ୍ଣ ଚାନ୍ଦ ହାଁସଦା, ଉପ ନିର୍ଦ୍ଦେଶକ ହସ୍ତଶିଳ୍ପ ପୁଷ୍ପ ରଞ୍ଜନ ସାହୁ, ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଡଃ ଆଲୋକ କୁମାର ନାୟକ, ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଜନ୍ ସାହୁ, ଉପ ନିର୍ଦ୍ଦେଶକ ଜଳ ବିଭାଜିକା ପ୍ରକଳ୍ପ ରଶ୍ମୀ ରଞ୍ଜନ ପାତ୍ର ପ୍ରମୁଖ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ନିଜ ବିଭାଗ ଦ୍ୱାରା ମହିଳା ମାନଙ୍କୁ ସଶକ୍ତି କରଣ କରିବା ପାଇଁ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ସଭାରେ ନାଜ୍ ରୁନ୍ ବାଇ, କୌଶଲ୍ୟା ଦାଶ, ହିରନ୍ୟମୟୀ ପରିଡ଼ା, ନିଲେନ୍ଦ୍ରି ଛତ୍ରିଆ ଏବଂ କଳ୍ପଲତା ପ୍ରଧାନଙ୍କୁ ଉତ୍ତମ ଲକ୍ଷପତି ଦିଦି ହିସାବରେ ସମ୍ମାନିତ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଓଡିଶା ରେ ଚଳିତ ବର୍ଷ ୧୯ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ନୂଆପଡା ଜିଲ୍ଲା ରେ 17536 ଲକ୍ଷପତି ଦିଦି ତିଆରି ପାଇଁ ଲକ୍ଷ୍ୟ ରଖା ଯାଇଥିବା ବେଳେ ଏପର୍ଯ୍ୟନ୍ତ 7797 ଲକ୍ଷପତି ଦିଦି ଦୃଷ୍ଟି ହେଲେଣି । ଆଜିର କର୍ମଶାଳା ରେ ଜିଲ୍ଲାର କୋଣ ଅନୁକୋଣରୁ ହଜାର ହଜାର ମହିଳା ସ୍ୱୟଂସହାୟିକା ଗୋଷ୍ଠୀ କର୍ମକର୍ତ୍ତା ଯୋଗ ଦେଇଥିଲେ । ଜିଲ୍ଲାର ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ , ପ୍ରଶାସନିକ ଅଧିକାରୀ,ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ଯୋଗ ଦେଇଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ