ନୂଆପଡ଼ାରେ ଜିଲ୍ଲା ଉନ୍ନୟନ ସମିତି ବୈଠକ ଅନୁଷ୍ଠିତ

Feb 19, 2025 - 19:51
 0  6
ନୂଆପଡ଼ାରେ ଜିଲ୍ଲା ଉନ୍ନୟନ ସମିତି ବୈଠକ ଅନୁଷ୍ଠିତ

ନୂଆପଡ଼ା : ଆଜି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଦ୍ଭାବନା ସଭା ଗୃହରେ ଜିଲ୍ଲା ଉନ୍ନୟନ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି l ଜିଲ୍ଲାର ସମସ୍ତ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା ପୂର୍ବକ ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲପାଳଙ୍କ ନିର୍ଦ୍ଦେଶରେ ପ୍ରତି ମାସ ଏହି ବୈଠକ ଅନୁଷ୍ଠିତ ହେଉଛି l ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ବୈଠକର ଗୁରୁତ୍ତ୍ଵ ଉପରେ ସୂଚନା ଦେଇଥିଲେ l ସେ କହିଲେ ଏବେ ନୂଆପଡ଼ା ଜିଲ୍ଲା ବିଭିନ୍ନ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି l ସମସ୍ତ ଅଧିକାରୀଙ୍କ ଐକାନ୍ତିକ ଏବଂ ସମ୍ମିଳିତ ଉଦ୍ୟମ ଜାରି ରହିଲେ ଆମେ ସମସ୍ତ ଆହୁରି ଅନେକ ବିଭାଗରେ ପ୍ରଥମ ସ୍ଥାନ ହାସଲ କରି ପାରିବା l ଜିଲ୍ଲା ଧାନ ଏବଂ କପା କିଣାରେ ଭଲ ସଫଳତା ହାସଲ କରିଛି l ମଣ୍ଡିଆ କ୍ରୟ ପାଇଁ ମଧ୍ୟ ଏଭଳି ଉଦ୍ୟମ ଦରକାର l ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ବାରମ୍ବାର ଗ୍ରାମାଞ୍ଚଳ ଗସ୍ତ କରି ଜନସାଧାରଣଙ୍କ ସୁବିଧା ଅସୁବିଧା ସମ୍ଵନ୍ଧରେ ବୁଝି ଜିଲ୍ଲାପାଳଙ୍କୁ ଅବଗତ କରାଇବେ l ପ୍ରଶାସନ ଚଳଚଞ୍ଚଳ ଏବଂ ଗତିଶୀଳ ଅଛି ବୋଲି ଜନସାଧାରଣ ହୃଦବୋଧ କରିବା ଦରକାର। ଜିଲ୍ଲା ଏସ୍ ସି ଏସ୍ ଟି ବହୁଳ ହେଇଥିବାରୁ ସେମାନଙ୍କ ଅସୁବିଧା ପ୍ରତି ପ୍ରାଥମିକତା ଦିଆଯାଉଛି। ଉପ ନିର୍ଦ୍ଦେଶକ ପ୍ଲାନିଂ ପରିମଳ ସାମଲ ବିଗତ ବୈଠକର ବିବରଣୀ ପାଠ କରିଥିଲେ l ଏହା ଉପରେ ବିଶଦ ଆଲୋଚନା ପର୍ଯ୍ୟାଲୋଚନା ହୋଇଥଲା l ବିଗତ ମାସରେ ଉନ୍ନୟନ କାମରେ ଯେଉଁ ସବୁ ବାଧା ଅସୁବିଧା ରହିଥିଲା ସେସବୁର କେତେ ସମାଧାନ ହେଇଛି ଜିଲ୍ଲାପାଳ ପ୍ରତିଟି ବିନ୍ଦୁ ଜାଣିବାକୁ ଚାହିଁଥିଲେ l ଆସନ୍ତା ମାସ ପାଇଁ ବିଭିନ୍ନ ବିଭାଗର ଲକ୍ଷ୍ୟ ପୂରଣ ସହିତ ଆଗାମୀ ପାଞ୍ଚ ବର୍ଷପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଆନ୍ତ ବିଭାଗୀୟ ବିସଂଗତି ଉପରେ ଆଲୋଚନା କରି ସେସବୁର ସମାଧାନର ରାସ୍ତା ବାହାର କରାଗଲା l ବିଭିନ୍ନ ଉନ୍ନୟନ କାର୍ଯ୍ଯନିର୍ବାହି ସଂସ୍ଥା ସେମାନଙ୍କ ସମସ୍ତ ଉନ୍ନତି ମୂଳକ କାମ ଠିକ୍ ସମୟରେ ସାରି ଉପଯୋଗ ପ୍ରମାଣପତ୍ର ଦେବା ପାଇଁ ଜିଲ୍ଲାପାଳ ତାଗିଦ୍ କରିଥିଲେ lବୈଠକରେ ପଞ୍ଚାୟତି ରାଜ, ରାଜସ୍ୱ, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ,ଜଳସେଚନ, ରାସ୍ତା ଓ ଗୃହନିର୍ମାଣ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ,ଉଠା ଜଳସେଚନ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ , ପ୍ରାଣୀ ସମ୍ପଦ,ପରିବହନ ,ଶିକ୍ଷା,ସ୍ୱାସ୍ଥ୍ୟ, କ୍ରୀଡ଼ା ,ଜଙ୍ଗଲ , ଖଣି , ଟୁରିଜମ ଇତ୍ୟାଦି ସମସ୍ତ ବିଭାଗର କାର୍ଯ୍ୟ ଉପରେ ସମୀକ୍ଷା ହୋଇଥିଲା l ବିଭିନ୍ନ ଜଳସେଚନ ପ୍ରକଳ୍ପ, କେନାଲ ଉନ୍ନତି କରଣ, ଅଣଧାନ ଫସଲ ଚାଷ, ଗ୍ରାମ୍ୟ ବିଦ୍ୟୁତ୍ କରଣ, ବିଭିନ୍ନ ବିଜ୍ଞାପିତ ଅଂଚଳର ସମସ୍ୟା, ବିଭିନ୍ନ ଶିକ୍ଷାନୁଷ୍ଠାନ , ଚିକିତ୍ସାଳୟ , ପ୍ରାଣୀ ଚିକିତ୍ସାଳୟ ମାନଙ୍କୁ ଜମି ପଟ୍ଟା ଯୋଗାଇ ଦେବା ସହିତ ସେମାନଙ୍କର ନୂତନ କୋଠା ନିର୍ମାଣ ଇତ୍ୟାଦି ବିଷୟ ଉପରେ ବିଶଦ ଆଲୋଚନା ହୋଇଥଲା lଜିଲ୍ଲାରେ ମାଓବାଦୀ ଦମନ ପାଇଁ ରାସ୍ତା ଘାଟର ଉନ୍ନତି ସହିତ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଜନସାଧାରଣଙ୍କୁ ସମସ୍ତ ସୁବିଧା ସୁଯୋଗ ତୁରନ୍ତ ଯୋଗାଇ ଦେବା ଉପରେ ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ lସଭାରେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ସୁବାଷ ଚନ୍ଦ୍ର ରଇତ, ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ବନଖଣ୍ଡ ଅଧିକାରୀ ମହାଦେବ ବଡାଇକ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଧରଣୀଧର ସେନାପତି, ଏ ପିଡି ଯୋଗେଶ୍ଵର ଭୋଇ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ସମସ୍ତ ଅଧିକ୍ଷଣ ଯନ୍ତ୍ରୀ,ନିର୍ବାହୀ ଯନ୍ତ୍ରୀ ଏବଂ ଲାଇନ୍ ବିଭାଗ ଅଧିକାରୀମାନେ ଯୋଗଦେଇଥିଲେ l ସମସ୍ତ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ମାନେ ଉତ୍ସର୍ଗୀକୃତ ମନୋଭାବ ନେଇ ନିଜ ନିଜ ବିଭାଗର କାମ କରିବାକୁ ଜିଲ୍ଲାପାଳ ଆହ୍ବାନ କରିଥିଲେ l ସୂଚନା ଯୋଗ୍ୟ ଯେ ଶ୍ରୀଯୁକ୍ତ ଦାଶ ଜିଲ୍ଲାପାଳ ହିସାବରେ ଯୋଗଦାନ କରିବା ପରେ ଏହି ମାସିକ ଉନ୍ନୟନ ସମିତି ବୈଠକ ପ୍ରତି ମାସ ଅନୁଷ୍ଠିତ ହେଉଛି l ଏହା ଦ୍ବାରା ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ଵୟ ରକ୍ଷା ପୂର୍ବକ କାମ ହେଇ ପାରୁଛି। ଜିଲ୍ଲା ର ପ୍ରଗତି ପଥରେ ଆସୁଥିବା ବାଧା ବନ୍ଧକ ର ତ୍ୱରିତ ସମାଧାନ ହୋଇ ପାରୁଛି । କୌଣସି କାମ ମାସ ମାସ ଧରି ପଡି ରହୁନାହିଁ l ନିଜେ ଜିଲ୍ଲାପାଳ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ତତ୍ପର କରିବା ସହିତ ରାଜ୍ୟ ରାଜଧାନୀରେ ଅଟକି ରହିଥିବା କାମସବୁର ତୁରନ୍ତ ଅଗ୍ରଗତି କରାଉଛନ୍ତି। ଏହାର ସୁଫଳ ମଧ୍ଯ ମିଳିବା ଆରମ୍ଭ ହୋଇଯାଇଛି l

ନୂଆପଡ଼ାରୁ ବିଶ୍ୱନାଥ ସlମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ