ନୂଆପଡ଼ାରେ ଜିଲ୍ଲା ଉନ୍ନୟନ ସମିତି ଓ ଗ୍ରାମୋଦୟ ବୈଠକ ଅନୁଷ୍ଠିତ l ଜିଲ୍ଲାକୁ ଏକ ଟୁରିଷ୍ଟ ହବ୍ ରେ ପରିଣତ କରାଯିବ- ଜିଲ୍ଲାପାଳ

ନୂଆପଡ଼ା, ତା 21.05.25 ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଦ୍ଭାବନା ସଭା ଗୃହରେ ଜିଲ୍ଲା ଉନ୍ନୟନ ସମିତି ବୈଠକ ସହିତ ଗ୍ରାମୋଦୟ ସଭା ଅନୁଷ୍ଠିତ ହୋଇ ଯାଇଅଛି l ଜିଲ୍ଲାର ସମସ୍ତ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା ପୂର୍ବକ ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପ୍ରତି ମାସ ଏହି ବୈଠକ ଅନୁଷ୍ଠିତ ହେଉଛି lସଭାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି ଆର୍ ରାଘବେନ୍ଦ୍ର ରେଡ୍ଡୀ, ବନଖଣ୍ଡ ଅଧିକାରୀ ଖରୀଆର ଅଜିଜ ଖାନ୍, ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଯୋଗେଶ୍ଵର ଭୋଇ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡଃ ଉମାକାନ୍ତ ମେହେର ଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ତହସିଲଦାର, ସମସ୍ତ ଅଧିକ୍ଷଣ ଯନ୍ତ୍ରୀ,ନିର୍ବାହୀ ଯନ୍ତ୍ରୀ ଏବଂ ଲାଇନ୍ ବିଭାଗ ଅଧିକାରୀମାନେ ଯୋଗଦେଇଥିଲେ l ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ଜିଲ୍ଲାର ଦୃତ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ l ଉପ ନିର୍ଦ୍ଦେଶକ ପ୍ଲାନିଂ , ପରିମଳ ସାମଲ ବିଗତ ମାସର ବୈଠକର ବିବରଣୀ ଓ ଏହା ଉପରେ ବିଭିନ୍ନ ବିଭାଗ ନେଇଥିବା ପଦକ୍ଷେପ ଗୃହରେ ପଠନ କରିଥିଲେ। ଏହାର ପ୍ରତି ବିନ୍ଦୁ ଉପରେ ବିଶଦ ଆଲୋଚନା ପର୍ଯ୍ୟାଲୋଚନା ହୋଇଥଲା l ବିଗତ ମାସରେ ଉନ୍ନୟନ କାମରେ ଯେଉଁ ସବୁ ବାଧା ରହିଥିଲା ସେସବୁର କେତେ ସମାଧାନ ହେଇଛି ଏବଂ ପ୍ରତି ବିଭାଗର କିପରି ଅଗ୍ରଗତି ହୋଇଛି ଜିଲ୍ଲାପାଳ ଜାଣିବାକୁ ଚାହିଁଥିଲେ l ଅନ୍ତ ବିଭାଗୀୟ ବିସଂଗତି ଉପରେ ଆଲୋଚନା କରି ସେସବୁର ସମାଧାନର ରାସ୍ତା ବାହାର କରାଗଲା l ବୈଠକରେ ଜଳସେଚନ ,ପଞ୍ଚାୟତି ରାଜ, ରାଜସ୍ୱ, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ , ରାସ୍ତା ଓ ଗୃହନିର୍ମାଣ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ,ଉଠା ଜଳସେଚନ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ , ପ୍ରାଣୀ ସମ୍ପଦ, ପରିବହନ ,ଶିକ୍ଷା,ସ୍ୱାସ୍ଥ୍ୟ,ଜଙ୍ଗଲ , ଖଣି , ଟୁରିଜମ ଇତ୍ୟାଦି ସମସ୍ତ ବିଭାଗର କାର୍ଯ୍ୟ ଉପରେ ସମୀକ୍ଷା ହୋଇଥିଲା l ଜିଲ୍ଲପାଳ କହିଲେଯେ ନୂଆପଡ଼ା ଜିଲ୍ଲାରେ ଟୁରିଜିମ୍ ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି l ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପତୋରା ଡ୍ୟାମ୍, ତିଖାଲି ଡ୍ୟାମ୍ ରେ ବୋଟିଂ ଓ ପିକ୍ନିକ୍ ସହିତ ପର୍ଯ୍ୟଟକ ମାନଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ l ଏହାସହିତ ରିଷିପିଠ, ସୁନାବେଡା ଅଭୟାରଣ୍ୟରେ ଏବଂ ଜିଲ୍ଲାର ସୁନ୍ଦର ଜଳପ୍ରପାତ ମାନଙ୍କରେ ଫଟୋଗ୍ରାଫି ଭିଡିଓଗ୍ରାଫି ସେବା ପ୍ରଦାନ କରିବା ସହିତ ଟୁରିଷ୍ଟ ମାନଙ୍କୁ ଆଦିବାସୀଙ୍କ ପାରମ୍ପାରିକ ପୋଷାକ ପରିଧାନ କରିବା ସୁଯୋଗ ଯୋଗାଇଦେବା ପାଇଁ ଆଗ୍ରହୀ ଏଜେନ୍ସି ମାନଙ୍କୁ ନିୟୋଜିତ କରାଯିବ l ଏସବୁ ସ୍ଥାନକୁ ଗମନା ଗମନ ସୁବିଧା କରାଯିବ l ସମସ୍ତ ଟୁରିଷ୍ଟ ସ୍ଥାନ ସଫା ସୁତରା ରହିବା ସହିତ ପ୍ଲାଷ୍ଟିକ ଓ ଜରି ମୁକ୍ତ ହେବ l ଜିଲ୍ଲାକୁ ଏକ ଟୁରିଷ୍ଟ ହବ୍ ରେ ପରିଣତ କରିବା ପାଇଁ ସମ୍ପୃକ୍ତ ବିଭାଗ ମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ l ଏଥର ରବି ଋତୁରେ ସମୟୋଚିତ ପଦକ୍ଷେପ ନେଇଥିବାରୁ ବିଭିନ୍ନ ଜଳସେଚନ ପ୍ରକଳ୍ପରୁ ସୁଷମ ଜଳ ବଣ୍ଟନ ହୋଇ ପାରିଛି । ବଳକା ଜଳକୁ ପାନୀୟ ଜଳଯୋଗାଣ ପାଇଁ ଏବଂ ବିଭିନ୍ନ ପଞ୍ଚାୟତର ବନ୍ଧ ଓ ଜଳାଶୟ ମାନଙ୍କୁ ଯୋଗାଇ ଦେଇଥିବାରୁ ଜନ ସାଧାରଣ ଗ୍ରୀଷ୍ମ ଋତୁରେ ବିଶେଷ ସୁବିଧା ପାଇ ପାରିଛନ୍ତି l ଏହା ସହିତ ଅପର ଜୋଙ୍କ ଜଳ ଭଣ୍ଡାରର କ୍ଷମତା ବୃଦ୍ଧି କରିବା ନିମିତ୍ତ 140 ଏକର ଜଙ୍ଗଲ ଜମି ଅଧିଗ୍ରହଣ ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l ଉଠା ଜଳସେଚନ ପ୍ରକଳ୍ପ ଗୁଡ଼ିକୁ ବିଦ୍ୟୁତ୍ ଯୋଗାଣ, ଗ୍ରୀଷ୍ମ ଋତୁରେ ପାନୀୟ ଜଳ ଯୋଗାଣ, ବିଭିନ୍ନ ବିଜ୍ଞାପିତ ଅଂଚଳର ସମସ୍ୟା ଉତ୍ଥାପନ ହୋଇଥିଲା l ତହସିଲଦାର ମାନଙ୍କ ଦ୍ୱାରା ବିଭିନ୍ନ ଶିକ୍ଷାନୁଷ୍ଠାନ , ଚିକିତ୍ସାଳୟ , ପ୍ରାଣୀ ଚିକିତ୍ସାଳୟ, ଅଙ୍ଗନବାଡି କେନ୍ଦ୍ର ମାନଙ୍କୁ ଜମି ପଟ୍ଟା ଯୋଗାଇ ଦେବା ସହିତ ସେମାନଙ୍କର ନୂତନ କୋଠା ନିର୍ମାଣ ଇତ୍ୟାଦି ବିଷୟ ଉପରେ ବିଶଦ ଆଲୋଚନା ହୋଇଥଲା l ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 13848 ଟି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଛି ଏବଂ ନୂଆପଡା ରାଜ୍ୟରେ 18 ତମ ସ୍ଥାନରେ ଅଛି l ଜିଲ୍ଲାରେ ନିର୍ମାଣାଧୀନ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କ କାର୍ଯ୍ୟ ସମାପ୍ତ କରି ଏସବୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ରକ୍ତଦାନ ପାଇଁ ଏବଂ ରେଡ୍ କ୍ରସ୍ ପାଣ୍ଠି ବୃଦ୍ଧି ପାଇଁ ବିହିତ ପଦକ୍ଷେପ ନେବେ l ବିଭିନ୍ନ ଉନ୍ନୟନ ଏବଂ କାର୍ଯ୍ଯନିର୍ବାହି ସଂସ୍ଥା ସେମାନଙ୍କ ସମସ୍ତ ଉନ୍ନତି ମୂଳକ କାମ ଠିକ୍ ସମୟରେ ସାରି ସାତ ଦିନ ମଧ୍ୟରେ ଉପଯୋଗ ପ୍ରମାଣପତ୍ର ଦେବା ପାଇଁ ଜିଲ୍ଲାପାଳ ତାଗିଦ୍ କରିଥିଲେ l ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜିଲ୍ଲାରେ ମାଓବାଦୀ ଦମନ ପାଇଁ ରାସ୍ତା ଘାଟର ଉନ୍ନତି ସହିତ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଜନସାଧାରଣଙ୍କୁ ଶିକ୍ଷା ସ୍ୱାସ୍ଥ୍ୟ, ପରିବହନ, ଯୋଗାଯୋଗ ଇତ୍ୟାଦି ସମସ୍ତ ସୁବିଧା ସୁଯୋଗ ତୁରନ୍ତ ଯୋଗାଇ ଦେବା ଉପରେ ଗୁରୁତ୍ଵ ଦେଇଥିଲେ । ଗଣ ମାଧ୍ୟମ ତଥା ସୋସିଆଲ ମିଡିଆରେ ପ୍ରକାଶିତ ସମସ୍ତ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ସୂଚନା ଯୋଗ୍ୟ ଯେ ଶ୍ରୀଯୁକ୍ତ ଦାଶ ଜିଲ୍ଲାପାଳ ହିସାବରେ ଯୋଗଦାନ କରିବା ପରେ ଏହି ମାସିକ ଉନ୍ନୟନ ସମିତି ବୈଠକ ପ୍ରତି ମାସ ଅନୁଷ୍ଠିତ ହେଉଛି l ଏହା ଦ୍ବାରା ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ଵୟ ରକ୍ଷା ପୂର୍ବକ କାମ ହେଇ ପାରୁଛି। ଜିଲ୍ଲାର ପ୍ରଗତି ପଥରେ ଆସୁଥିବା ବାଧା ବନ୍ଧନର ତ୍ୱରିତ ସମାଧାନ ହୋଇ ପାରୁଛି । କୌଣସି କାମ ମାସ ମାସ ଧରି ପଡି ରହୁନାହିଁ l ନିଜେ ଜିଲ୍ଲାପାଳ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ତତ୍ପର କରିବା ସହିତ ରାଜ୍ୟ ରାଜଧାନୀରେ ଅଟକି ରହିଥିବା କାମସବୁର ତୁରନ୍ତ ଅଗ୍ରଗତି କରାଉଛନ୍ତି।ଏହାର ସୁଫଳ ମଧ୍ଯ ମିଳିବା ଆରମ୍ଭ ହୋଇଯାଇଛି l ସମସ୍ତ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ମାନେ ଉତ୍ସର୍ଗୀକୃତ ମନୋଭାବ ନେଇ ନିଜ ନିଜ ବିଭାଗର କାମ ଠିକ୍ ଭାବରେ କରିବାକୁ ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?






