ଜିଲ୍ଲାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସମୀକ୍ଷା କଲେ ଜିଲ୍ଲାପାଳ:ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ:କ୍ଷତିଗ୍ରସ୍ତ ପାଇପଲାଇନ୍‌ ତୁରନ୍ତ ମରାମତି କରି ନିରବଚ୍ଛିନ୍ନ ବିଶୁଦ୍ଧ ଜଳ ଯୋଗାଣ ଉପରେ ଗୁରୁତ୍ୱ

Sep 29, 2026 - 22:31
 0  26
ଜିଲ୍ଲାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସମୀକ୍ଷା କଲେ ଜିଲ୍ଲାପାଳ:ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ:କ୍ଷତିଗ୍ରସ୍ତ ପାଇପଲାଇନ୍‌ ତୁରନ୍ତ ମରାମତି କରି ନିରବଚ୍ଛିନ୍ନ ବିଶୁଦ୍ଧ ଜଳ ଯୋଗାଣ ଉପରେ ଗୁରୁତ୍ୱ

*ଝାରସୁଗୁଡ଼ା, ୨୯/୦୯(ଫାଷ୍ଟ ନ୍ୟୁଜ ଓଡ଼ିଶା):* ଜିଲ୍ଲାରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ ତଥା ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ମାସିକ ଜିଲ୍ଲା ଜଳ ଓ ପରିମଳ ମିଶନ ସମନ୍ୱୟ ତଥା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ସମସ୍ତ ପଞ୍ଚାୟତ ଓ ଗ୍ରାମାଞ୍ଚଳରେ ଲୋକଙ୍କୁ ନିରବଚ୍ଛିନ୍ନ ତଥା ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ଜିଲ୍ଲାରେ ନିର୍ମାଣାଧୀନ ୧୭ ଗ୍ରାମ ପଞ୍ଚାୟତ ଓ ୪୨ ଗ୍ରାମ ପଞ୍ଚାୟତ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।ଲଖନପୁର ବ୍ଲକ୍ ଅଧୀନରେ ଥିବା ୧୭ଟି ଗ୍ରାମ ପଞ୍ଚାୟତ ପାଇଁ ଉଦ୍ଦିଷ୍ଟ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଆସନ୍ତା ୧୫ ଅକ୍ଟୋବର ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିପରି ଝାରସୁଗୁଡ଼ା, କିର୍ମିରା, କୋଲାବିରା ଏବଂ ଲଇକେରା ବ୍ଲକର ୪୨ଟି ଗ୍ରାମ ପଞ୍ଚାୟତ ପାଇଁ କାର୍ଯ୍ୟକାରୀ ହେଉଥିବା ମେଗା ପ୍ରକଳ୍ପକୁ ଆସନ୍ତା ୩୦ ନଭେମ୍ବର ୨୦୨୬ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ସ୍ଥାନରେ କ୍ଷତିଗ୍ରସ୍ତ ହୋଇଥିବା ପାଇପଲାଇନ୍ ଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରି ଜନସାଧାରଣଙ୍କୁ ନିରବଚ୍ଛିନ୍ନ ଭାବେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୀକ୍ଷା ବୈଠକରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଜ୍ୟୋତ୍ସ୍ନାମୟୀ ମାରାଣ୍ଡି ଉପସ୍ଥିତ ରହି ପ୍ରକଳ୍ପ ଗୁଡ଼ିକର ସଦ୍ୟତମ ସ୍ଥିତି ଏବଂ ପାଇପଲାଇନ ସଂଯୋଗୀକରଣ କାର୍ଯ୍ୟର ବିବରଣୀ ଉପସ୍ଥାପନ କରିଥିଲେ। ଏଥିସହ ସମ୍ପୃକ୍ତ ବିଭାଗର ଅନ୍ୟାନ୍ୟ ପଦାଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଝାରସୁଗୁଡ଼ା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ