ଉତ୍କଳ ବାଳାଶ୍ରମ’ ପରିଦର୍ଶନ କଲେ ଜିଲ୍ଲାପାଳ
*ଝାରସୁଗୁଡ଼ା, ୨୯/୦୯:*(ଫଷ୍ଟ୍ ନ୍ୟୁଜ ଓଡ଼ିଶା)ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଆଜି ସ୍ଥାନୀୟ ବମ୍ବେ ଛକ ନିକଟରେ ଥିବା 'ଉତ୍କଳ ବାଳାଶ୍ରମ' ପରିଦର୍ଶନ କରିଛନ୍ତି। ଆସନ୍ତା ଅକ୍ଟୋବର ୨ ତାରିଖ (ଗାନ୍ଧୀ ଜୟନ୍ତୀ)ରେ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ଷମ ହେବାକୁ ଥିବା ଏହି ସରକାରୀ ପରିଚାଳିତ ଶିଶୁ ଯତ୍ନ ଗୃହର ଭିତ୍ତିଭୂମି, ନିର୍ମାଣ କାର୍ଯ୍ୟ ଏବଂ ଆନୁଷଙ୍ଗିକ ବ୍ୟବସ୍ଥାର ଅନୁଧ୍ୟାନ କରିବା ପାଇଁ ଜିଲ୍ଲାପାଳ ଏହି ଗସ୍ତ କରିଥିଲେ। ପରିଦର୍ଶନ ସମୟରେ ଜିଲ୍ଲାପାଳ ଶ୍ରମିକ ଓ ଯତ୍ନ ଆବଶ୍ୟକ କରୁଥିବା ଶିଶୁମାନଙ୍କ ରହିବା ବ୍ୟବସ୍ଥା, ପାନୀୟ ଜଳ, ବିଦ୍ୟୁତ ସଂଯୋଗ, ଶୌଚାଳୟ ତଥା ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ। ଆଶ୍ରମରେ ଆଶ୍ରୟ ନେବାକୁ ଥିବା ଶିଶୁମାନଙ୍କୁ ଯେପରି ସମସ୍ତ ମୌଳିକ ସୁବିଧା, ପୁଷ୍ଟିକର ଖାଦ୍ୟ, ସ୍ୱାସ୍ଥ୍ୟସେବା ଏବଂ ଉତ୍ତମ ଶିକ୍ଷା ପରିବେଶ ମିଳିପାରିବ, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ନିର୍ଦ୍ଧାରିତ ତାରିଖ ପୂର୍ବରୁ ସମସ୍ତ ଅବଶିଷ୍ଟ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହି ପରିଦର୍ଶନ ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସୁନନ୍ଦ ମହାରଣା ଉପସ୍ଥିତ ରହି ବାଳାଶ୍ରମର ପରିଚାଳନା ଯୋଜନା, ଲଜିଷ୍ଟିକ୍ସ ବ୍ୟବସ୍ଥା ଏବଂ ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାପାଳଙ୍କୁ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ଏଥିସହିତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମଚାରୀ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉକ୍ତ ଗସ୍ତ ସମୟରେ ଉପସ୍ଥିତ ଥିଲେ। ଝାରସୁଗୁଡ଼ା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0