ପୁଣି ବନ୍ଧା ହେଲେ ପିଉସାର ହତ୍ୟା କାରି ପର୍ଦ୍ଦାଫାସ, ମୋଟ ୮ ଗିରଫ

Aug 26, 2026 - 07:06
 0  93
ପୁଣି ବନ୍ଧା ହେଲେ ପିଉସାର ହତ୍ୟା କାରି ପର୍ଦ୍ଦାଫାସ, ମୋଟ ୮ ଗିରଫ

ଦାରିଙ୍ଗବାଡ଼ି, ୨୬/୮ (ଫାଷ୍ଟ୍ ନ୍ୟୁଜ ଓଡ଼ିଶା): ଗୁଣିଗାରେଡ଼ି ସନ୍ଦେହ ଓ ଜମିଜମା ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ମୃତଦେହକୁ ପୋଡ଼ିଦେବା ଘଟଣାର ପର୍ଦ୍ଦାଫାସ କରିଛି ଦାରିଙ୍ଗବାଡ଼ି ଥାନା ପୋଲିସ। ଏହି ଘଟଣାରେ ପୂର୍ବରୁ ୨ ଜଣ ଗିରଫ ହୋଇଥିବା ବେଳେ ଆଜି ଆଉ ୬ ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ମାମଲାରେ ଗିରଫ ଅଭିଯୁକ୍ତଙ୍କ ମୋଟ ସଂଖ୍ୟା ୮ରେ ପହଞ୍ଚିଛି। ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ବାଡାବାଙ୍ଗା ପଞ୍ଚାୟତର ସିକନବାଡ଼ି ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିଲା। ପୂର୍ବରୁ ସଞ୍ଜୟ ଦିଗାଳ ଓ ସିଦ୍ଧାନ୍ତ ଦିଗାଳଙ୍କୁ ପୋଲିସ ଗିରଫ କରିଥିଲା। ତଦନ୍ତର ପରବର୍ତ୍ତୀ ପର୍ଯ୍ୟାୟରେ ଜଗନ୍ନାଥ ଦିଗାଳ, ବିଜୁ ଦିଗାଳ, ଶ୍ରୀକାନ୍ତ ଦିଗାଳ, ହରିଶ ଚନ୍ଦ୍ର ଦିଗାଳ, ସୁରଞ୍ଜନ ଦିଗାଳ ଓ କାଳିଆ ପ୍ରଧାନଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ସୂଚନା ମୁତାବକ, ସିକନବାଡ଼ି ଗାଁର ମିଶ୍ର ପ୍ରଧାନ (୪୫)ଙ୍କ ସହ ତାଙ୍କର ଦୁଇ ପୁତୁରାଙ୍କର ପୂର୍ବରୁ ଜମିଜମାକୁ ନେଇ ତିକ୍ତତା ରହିଥିଲା। ଏହାସହିତ ମିଶ୍ର ପ୍ରଧାନ ଗୁଣିଗାରେଡ଼ି କରୁଥିବା ନେଇ ମଧ୍ୟ ପୁତୁରାମାନେ ସନ୍ଦେହ କରୁଥିଲେ। ଏହି ସନ୍ଦେହ ଓ ପୂର୍ବ ଶତ୍ରୁତା କ୍ରମେ ଉଗ୍ର ରୂପ ନେଇଥିଲା। ପୋଲିସର ତଦନ୍ତ ଅନୁଯାୟୀ, ମୃତକଙ୍କ ଦୁଇ ପୁତୁରା କିଛି ସହଯୋଗୀଙ୍କ ସହ ମିଶି ମିଶ୍ର ପ୍ରଧାନଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଯୋଜନା ଅନୁଯାୟୀ ତାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ପୋଡ଼ିଦିଆଯାଇଥିଲା। ଘଟଣା ସମ୍ପର୍କରେ ଏତଲା ପାଇବା ପରେ ଦାରିଙ୍ଗବାଡ଼ି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପ୍ରଥମେ ଦୁଇ ପୁତୁରାଙ୍କୁ ଗିରଫ କରି ଅଦାଲତକୁ ପଠାଯାଇଥିଲା। ପରବର୍ତ୍ତୀ ତଦନ୍ତ ଓ ପଚରାଉଚରାରୁ ମିଳିଥିବା ତଥ୍ୟ ଆଧାରରେ ଘଟଣାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସମ୍ପୃକ୍ତ ଆଉ ୬ ଜଣଙ୍କୁ ପୋଲିସ ଗିରଫ କରିଛି। ଅନ୍ଧବିଶ୍ୱାସ ଓ ଜମିଜମା ବିବାଦକୁ କେନ୍ଦ୍ର କରି ନିଜ ସମ୍ପର୍କୀୟଙ୍କୁ ହତ୍ୟା କରାଯିବା ଭଳି ଘଟଣା ୨୧ଶ ଶତାବ୍ଦୀରେ ମଧ୍ୟ ଦାରିଙ୍ଗବାଡ଼ି ଅଞ୍ଚଳରେ ଚିନ୍ତାର ବିଷୟ ପାଲଟିଛି I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ