ନୂଆପଡ଼ାରୁ ନିଖୋଜ ଯୁବକ ଛତିଶଗଡ଼ରୁ ଉଦ୍ଧାର ହେଲା ଶବ, ହତ୍ୟା ସନ୍ଦେହରେ ପୋଲିସର ତଦନ୍ତ ଜାରି

ନୂଆପଡ଼ା : ନୂଆପଡ଼ାରୁ ନିଖୋଜ ଯୁବକଙ୍କ ମୃତଦେହ ଛତିଶଗଡ଼ କୋମାଖାନ ଥାନା ଅଞ୍ଚଳରୁ ଉଦ୍ଧାର ହୋଇଛି । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସୂଚନା ଅନୁସାରେ, ନୂଆପଡ଼ା ଜିଲା ସଦର ବିଜ୍ଞାପିତ ପରିଷଦ ୱାର୍ଡ ସଂଖ୍ୟା- ୧୨ ସିରତୋଲ ଗ୍ରାମର ମନବୋଧ ତ୍ରିପାଠୀ ଶୁକ୍ରବାର ନୂଆପଡ଼ା ଥାନାରେ ଅଭିଯୋଗ କରିଥିଲେ ତାଙ୍କ ପୁଅ ମାନସ ତ୍ରିପାଠୀ (୩୦) ଘରୁ ନିରୁଦ୍ଦିଷ୍ଟ ଅଛନ୍ତି । ଏହାକୁ ନେଇ ନୂଆପଡ଼ା ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା । ଶୁକ୍ରବାର ସନ୍ଧ୍ୟାରେ ପଡ଼ୋଶୀ ଛତିଶଗତ ରାଜ୍ୟ ମହାସମୁନ୍ଦ ଜିଲା କୋମାଖାନ ଥାନା କସେଇକେରା ନିକଟରୁ ଏକ ମୃତଦେହ ଉଦ୍ଧାର ହୋଇଥିବା କୋମାଖାନ ପୁଲିସ ନୂଆପଡ଼ା ଥାନାକୁ ଜଣାଇଥିଲା । ନୂଆପଡ଼ା ପୁଲିସ୍ ମୃତକଙ୍କ ଫଟୋଦେଖ୍ ଏହା ନୂଆପଡ଼ାରୁ ନିଖୋଜ ମାନସଙ୍କ ଶବ ବୋଲି ସ୍ପଷ୍ଟ କରିଥିଲା । ଖବର ପାଇ ମାନସଙ୍କ ବାପା-ମା' ଓ ସ୍ତ୍ରୀ କୋମାଖାନକୁ ଯାଇ ଶବ ଚିହ୍ନଟ କରିଥିଲେ ବାଗବେହେରାରେ ଶବ ବ୍ୟବଚ୍ଛେଦ ସହ ଶବ ପରିବାରକୁ ହସ୍ତାନ୍ତର କରାଯାଇଛି । ମୃତକଙ୍କ ଶବ ମିଳିବା ସମୟରେ ତାଙ୍କ ୨ ହାତ ବନ୍ଧା ଥିଲା ଓ ମୁହଁ ପଥରେ ଛେଚା ଯାଇଥିଲା । ପ୍ରାଥମିକ ତଦନ୍ତରୁ ନୂଆପଡ଼ା ଓ ଛତିଶଗଡ଼ ପୁଲିସ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅନୁମାନ କରି ତଦନ୍ତ ଜାରି ରଖିଛି l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






