ଝାରସୁଗୁଡାରେ ୧୮ତମ ନିଯୁକ୍ତି ମେଳାରେ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ଵାରା ୪୮ ଜଣ ନବନିଯୁକ୍ତ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ

Nov 2, 2026 - 18:56
 0  40
ଝାରସୁଗୁଡାରେ ୧୮ତମ ନିଯୁକ୍ତି ମେଳାରେ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ଵାରା ୪୮ ଜଣ ନବନିଯୁକ୍ତ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ

*ଝାରସୁଗୁଡ଼ା, ୦୨/୧୧(ଫାଷ୍ଟ ନ୍ୟଜ ଓଡ଼ିଶା):* ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଖଣିଜ ପାଣ୍ଠି ସମ୍ମିଳନୀ କକ୍ଷଠାରେ ୧୮ତମ ନିଯୁକ୍ତି ମେଳା ଅବସରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧୀନସ୍ଥ ବିଦ୍ୟାଳୟଗୁଡ଼ିକ ପାଇଁ ଆୟୋଜିତ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାରେ ୪୮ ଜଣ ନବନିଯୁକ୍ତ ଶିକ୍ଷକ (ସେବକ ଓ ସେବିକା) ଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠିତ ନିଯୁକ୍ତି ପତ୍ର ବଣ୍ଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ବ୍ରଜବନ୍ଧୁ ଭୋଇ ଯୋଗଦେଇ ନବନିଯୁକ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ପଠନ କରିଥିଲେ। ନିଜ ବକ୍ତବ୍ୟରେ ସେ ଶିକ୍ଷାଦାନ କ୍ଷେତ୍ରରେ ଶାନ୍ତି, ଶୃଙ୍ଖଳା, ସମୟାନୁବର୍ତ୍ତିତା, ସଚ୍ଚୋଟତା, ସମ୍ବେଦନଶୀଳତା ଓ ଦାୟିତ୍ୱବୋଧକୁ ସର୍ବାଧିକ ପ୍ରାଥମିକତା ଦେଇ ନିଷ୍ଠା ଓ ଆନ୍ତରିକତାର ସହ ନିଜ କର୍ତ୍ତବ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ।

ଏଥିସହିତ ଶିକ୍ଷାର୍ଥୀମାନଙ୍କୁ ସ୍ୱଚ୍ଛତା, ଶୈକ୍ଷିକ ପରିବେଶ ସୃଷ୍ଟି ସହ ନୈତିକ ଶିକ୍ଷା, ସାମାଜିକ ମୂଲ୍ୟବୋଧ ଓ ଜୀବନ କୌଶଳ ଆଧାରିତ ଶିକ୍ଷା ପ୍ରଦାନ ସହଜଣେ ମାର୍ଗଦର୍ଶକ, ପ୍ରେରଣାଦାତା ଓ ଆଦର୍ଶ ଶିକ୍ଷକ ଭାବେ ଶିକ୍ଷା ପ୍ରଦାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ପି.ଡି., ଡି.ଆର୍.ଡି.ଏ.) ଶ୍ରୀ ଏନ୍. ଆର୍. ଲଲିତ ସୋରେଙ୍ଗ ଯୋଗଦେଇ ନବନିଯୁକ୍ତ ସେବକ ଓ ସେବିକାମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସେ ଶୃଙ୍ଖଳା, ନିଷ୍ଠା, ସଚ୍ଚୋଟତା, କାର୍ଯ୍ୟଦକ୍ଷତା ଓ ଦାୟିତ୍ୱବୋଧ ସହିତ ନିଜ କାର୍ଯ୍ୟ ସମ୍ପାଦନ କରିବାକୁ ନବନିଯୁକ୍ତ କର୍ମଚାରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଯୋଗଦେଇ ନବନିଯୁକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସମୟାନୁବର୍ତ୍ତିତା, ଶୃଙ୍ଖଳା ଓ ଉତ୍ତମ ଆଚରଣକୁ ନିଜ ଜୀବନରେ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ପରିବେଶକୁ ସ୍ୱଚ୍ଛ, ସବୁଜ, ସୁନ୍ଦର ଓ ଶିକ୍ଷା ଅନୁକୂଳ ରଖିବା ସହିତ ଛାତ୍ରଛାତ୍ରୀ, ବିଶେଷକରି ଛାତ୍ରାବାସରେ ରହୁଥିବା ଶିକ୍ଷାର୍ଥୀମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ସର୍ବଦା ଯତ୍ନବାନ ହେବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଏଥିସହିତ ଶିକ୍ଷାର୍ଥୀମାନଙ୍କ ପ୍ରତି ସ୍ନେହପୂର୍ଣ୍ଣ ଓ ସମ୍ବେଦନଶୀଳ ଆଚରଣ ପ୍ରଦର୍ଶନ କରିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସୁନନ୍ଦ ମହାରଣା ଯୋଗଦେଇ ପ୍ରଧାନଶିକ୍ଷକଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା, ଶିଶୁ ସୁରକ୍ଷା ଆଇନର ବିଭିନ୍ନ ଦିଗ ସମ୍ପର୍କରେ ସଚେତନ ରହିବା ଏବଂ ଛାତ୍ରାବାସରେ ରହୁଥିବା ଶିକ୍ଷାର୍ଥୀମାନଙ୍କ ସହ ନିୟମିତ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିବା ଉପରେ ଗୁରୁତ୍ୱ ଦେଇଥିଲେ। ଏଥିସହିତ ଶିକ୍ଷାର୍ଥୀମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ମାନସିକ ସୁସ୍ଥତା ପ୍ରତି ସର୍ବଦା ଯତ୍ନବାନ ରହିବାକୁ ସେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ଲଖନପୁର ସୁଶ୍ରୀ ଜ୍ୟୋତ୍ସ୍ନା ରାଉଡ଼ିଆ ସଭାକାର୍ଯ୍ୟ ସଂଯୋଜନା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ଝାରସୁଗୁଡ଼ା ସୁଶ୍ରୀ ପଲ୍ଲିଶ୍ରୀ ପ୍ରୀତିନନ୍ଦା ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସେକ୍ସନ ଅଫିସର ଶ୍ରୀମତୀ ମିତାରାଣୀ ଠାକୁର, ବରିଷ୍ଠ ରାଜସ୍ୱ ସହାୟକ ଶ୍ରୀମତୀ ରଂଯୁକ୍ତା ପଟେଲ, ଶ୍ରୀମତୀ କୁନ୍ତଳା ଗର୍ଡ଼ିଆ, କନିଷ୍ଠ ରାଜସ୍ୱ ସହାୟକ ଶ୍ରୀ ଜନ୍ମେଞ୍ଜୟ ମେହେର, କର୍ମଚାରୀ ଶ୍ରୀ ବିନୟ କୁମାର ପାଣି, ସଂଯୁକ୍ତା ଭୋଇ ଙ୍କ ସମେତ ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ।

ଝାରସୁଗୁଡା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୂଜ ଓଡ଼ିଶା

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ