ଜିଲ୍ଲାରେ ୯୯ ପ୍ରତିଶତ ଜଳସେଚନ ସୁବିଧା ଦେଇ ଚାଷୀଙ୍କ ବିକାଶ କରାଯିବ ମୁଖ୍ୟମନ୍ତ୍ରୀ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଗଠନ ପରେ ନିରନ୍ତର ବିକାଶ ପଥରେ ଆଗେଇ ଚାଲିଛି ଆଗକୁ ଆହୁରି ସମୃଦ୍ଧ ଓ ବିକଶିତ ହେବ । କୃଷିପ୍ରଧାନ ଜିଲ୍ଲାରେ ଜଳସେଚନ ଆବଶ୍ୟକ ରହିଛି। ନୂଆପଡା ଜ଼ିଲ୍ଲାରେ ଜଳସେଚନ ପାଇଁ ବହୁ ସୁବିଧା ରହିଛି । ନଦୀ, ନାଳ, ଝରଣାରେ ଚେକ୍ ଓ ଡ୍ୟାମ ନିର୍ମାଣ କରି ଚାଷୀଙ୍କ ପାଇଁ ଜଳସେଚନ ବ୍ୟବସ୍ଥା ହେବ । ଆଗକୁ ଜିଲ୍ଲାରେ ୯୯ ପ୍ରତିଶତ ଜଳସେଚନ ସୁବିଧା ଦେଇ ଚାଷୀଙ୍କ ବିକାଶ କରାଯିବ ବୋଲି ନୂଆପଡ଼ା ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି । ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ସ୍ଥାନୀୟ ସିଲଦାସ୍ଥିତ ଏୟାରଷ୍ଟ୍ରିପ୍ରେ ସ୍ୱତନ୍ତ୍ର ବିମାନ ଯୋଗେ ଅବତରଣ କରିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି । ସେଠାରେ ଜିଲ୍ଲା ପ୍ରଶାସନ, ବିଜେପି ଓ ଲୋକପ୍ରତିନିଧିଙ୍କ ତରଫରୁ ଭବ୍ୟ ସ୍ବାଗତ କରାଯାଇଥିଲା। ସେଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ ଘାସିରାମ ମାଝିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ହଜାର ହଜାର ସଂଖ୍ୟାରେ ଲୋକେ ମୁଖ୍ୟମନ୍ତ୍ରୀ ଉପରକୁ ପୁଷ୍ପବୃଷ୍ଟି କରି ସ୍ଵାଗତ କରିଥିଲେ । ସନ୍ଧ୍ୟା ୭ଟାରେ ସ୍ଥାନୀୟ ମିନିଷ୍ଟାଡିୟମରେ ଆୟୋଜିତ ମାରାଗୁଡ଼ା ଲୋକମହୋତ୍ସବର ଚତୁର୍ଥ ସନ୍ଧ୍ୟା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥ୍ୟ ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି, ମୁଖ୍ୟବକ୍ତା ବିଶିଷ୍ଟ ଲେଖକ ଓ ପ୍ରବକ୍ତା ଦାଶ ବେନହୁର, ସମ୍ମାନିତ ଅତିଥ୍ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝି ଯୋଗଦେଇଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଥିଲେ, ନୂଆପଡ଼ା ଜିଲ୍ଲା କଳା, ସାହିତ୍ୟ, ସଂସ୍କୃତିର ବାର୍ତ୍ତାବହ । ଏହି ଜିଲ୍ଲାର ଇତିହାସ ଅତି ପ୍ରାଚୀନ । ସିନ୍ଧୁ ସଭ୍ୟତା ଭଳି ମାରାଗୁଡ଼ା ବି ବହୁ ପ୍ରାଚୀନ। ସିନ୍ଧୁ ସଭ୍ୟତା ସହ ତାଳ ମିଳାଇ ଗଢି ଉଠିଥିଲା ମାରାଗୁଡ଼ା । ମହେଞ୍ଜୋଦାରୋ ଭଳି ବିତ୍ତଶାଳୀ ଥିଲା । ପ୍ରତ୍ନତତ୍ତ୍ୱ ବିଭାଗ ଖନନରୁ ରାଜପ୍ରସାଦ, ଦୁର୍ଗ ମିଳିଛି ବୋଲି ମୁଖମନ୍ତ୍ରୀ କହିଥିଲେ l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






