ଚିପଟ ନଦୀ ପୋଲ ତଳୁ ଅଜଣା ମୃତଦେହ ଉଦ୍ଧାର ପୋଲିସର ତଦନ୍ତ ଜାରି
ବାରିପଦା ତା 16/9 ବାରିପଦା ଭଞ୍ଜପୁର ଥାନା ଅନ୍ତର୍ଗତ ଚିପଟ ନଦୀ ପୋଲ ତଳୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି. ପ୍ରାପ୍ତ ସୂଚନା ଅନୁସାରେ, ବୁଧବାର ସକାଳ ସମୟରେ କିଛି ସ୍ଥାନୀୟ ଲୋକ ଶୌଚ ହେବା ଉଦ୍ଦେଶ୍ୟରେ ଚିପଟ ନଦୀ କୂଳକୁ ଯାଇଥିବା ବେଳେ ପୋଲ ତଳେ ଏକ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା ଏବଂ ସଙ୍ଗେ ସଙ୍ଗେ ଏ ବାବଦରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସକୁ ସୂଚନା ଦିଆ ଯାଇଥିଲା। ଖବର ପାଇ ବାରିପଦା ଅଗ୍ନିଶମ ବାହିନୀର ଏକ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନଦୀ ଜଳରୁ ମୃତଦେହଟିକୁ ଉଦ୍ଧାର କରିଥିଲେ। ପରେ ଭଞ୍ଜପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଶବ ଜବଦ କରି ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା. ପ୍ରାଥମିକ ଆକଳନ ଅନୁସାରେ ମୃତ ବ୍ୟକ୍ତିଙ୍କ ବୟସ ପ୍ରାୟ ୪୫ ବର୍ଷ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ନାମ କିମ୍ବା ପରିଚୟ ମିଳିପାରି ନାହିଁ। ବ୍ୟକ୍ତିଜଣକ କେଉଁ ପରିସ୍ଥିତିରେ ନଦୀକୁ ଆସିଥିଲେ କିମ୍ବା ତାଙ୍କର ମୃତ୍ୟୁ ପାଣିରେ ବୁଡ଼ି ହୋଇଛି ନା ଏହା ପଛରେ ଅନ୍ୟ କିଛି ରହସ୍ୟ ରହିଛି, ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଖବର ପାଇ ଭଞ୍ଜପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପ୍ରକାଶ କରିଥିବା ବେଳେ, ବ୍ୟକ୍ତିଙ୍କ ପରିଚୟ ଖୋଜି ବାହାର କରିବା ପାଇଁ ଆଖପାଖ ଥାନା ଗୁଡ଼ିକ ସହିତ ଯୋଗାଯୋଗ କରାଯାଉଛି. ତେବେ ମୃତ ବ୍ୟକ୍ତିଙ୍କର କୌଣସି ପରିଚୟ ମିଳିପାରି ନଥିବାରୁ ପୋଲିସ ନିୟମ ମୁତାବକ 72 ଘଣ୍ଟା ଶବକୁ ସଂରକ୍ଷିତ ରଖିଛି ପରବର୍ତ୍ତୀ ସମୟରେ ପୋଲିସ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଭଞ୍ଜପୁର ଥାନା ଆଇଆଇସି ରଶ୍ମି ରଞ୍ଜନ ପୃଷ୍ଟି କହିଛନ୍ତି.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0