ଆଠ ମାସ ହେଲା ବିଏସଏନଏଲ ନେଟୱାର୍କ ଅଚଳ : ଅଧିକାରୀ ମାନଙ୍କୁ ତାଲା ପକାଇଲେ ଉତ୍ୟକ୍ତ ଗ୍ରାମବାସୀ

Feb 19, 2025 - 22:12
 0  9
ଆଠ ମାସ ହେଲା ବିଏସଏନଏଲ ନେଟୱାର୍କ ଅଚଳ : ଅଧିକାରୀ ମାନଙ୍କୁ ତାଲା ପକାଇଲେ ଉତ୍ୟକ୍ତ ଗ୍ରାମବାସୀ

କନ୍ଧମାଳ :(ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର ସୁବର୍ଣ୍ଣଗିରି ପଞ୍ଚାୟତରେ ଆଜକୁ ଆଠ ମାସ ହେଲା କାମ କରୁନି ବିଏସଏନଏଲ ନେଟୱର୍କ। ଯାହା ଫଳରେ ଗ୍ରାମବାସୀ ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଦାବି ସତ୍ବେ ସମସ୍ୟାର ସମାଧାନ କରାଯାଉ ନାହିଁ। ଉତ୍ୟକ୍ତ ଗ୍ରାମବାସୀ ବିଏସଏନଏଲ ଅଧିକାରୀଙ୍କୁ ଘେରାଉ କରି ତୁରନ୍ତ ସମସ୍ୟା ସମାଧାନ ପାଇଁ ଦାବି କରିଛନ୍ତି। ସୂଚନାଯୋଗ୍ୟ, ୨୦୧୬ ମସିହାରୁ ସୁବର୍ଣ୍ଣଗିରି ଠାରେ ବିଏସଏନଏଲ ଟାଓ୍ବାର ବସିଛି। କିନ୍ତୁ ଏହା ଠିକ ଭାବେ କାମ କରୁନାହିଁ। ଏବେ ପ୍ରାୟ ୮ ମାସରୁ ଉର୍ଦ୍ଧ ହେବ ବିଏସଏନଏଲ ନେଟୱାର୍କ ରହୁ ନଥିବାରୁ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୁବର୍ଣ୍ଣଗିରି, ପାଜିକେରି, ଜାକେଶୀ, ବାଣ୍ଡିଗୁଡା, ରାମନିଗୁଡା, ଭୀଷ୍ମଗିରି, କାମ୍ବରପଙ୍ଗା, ଲୁଦୁ, କୁଟିଗୁଡା, ଗାଜିନାଜୁ, ମୁଚଡ଼ି, ବୁଡୁକି, କାହମଗୁଡା ଭଳି ଆଖପାଖ ଗ୍ରାମରେ ପ୍ରାୟ ୭ ହଜାର ଲୋକ ରହୁଛନ୍ତି। ନେଟୱାର୍କ ନ ଥିବାରୁ ବିଭିନ୍ନ ପ୍ରକାର ଅନଲାଇନ କାମରେ ବାଧା ଉପୁଜିବା ସହ ଆମ୍ବୁଲାନ୍ସ ସହିତ ମଧ୍ୟ ଯୋଗାଯୋଗ କରି ହେଉନାହିଁ। ଫଳରେ ଗର୍ଭବତୀ ମହିଳା ଓ ରୋଗୀକୁ ଡାକ୍ତରଖାନାକୁ ନେବାକୁ ଅସୁବିଧା ହେଉଛି। ଗ୍ରାମବାସୀ ଦୀର୍ଘ ଦିନ ଧରି ଅଭିଯୋଗ କରୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଧ୍ୟାନ ଦେଉ ନାହାନ୍ତି। ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ବିଏସଏନଏଲ ର ଡିଟିଏମ ଏବଂ ଅନ୍ୟ ଅଧିକାରୀ ସୁବର୍ଣ୍ଣଗିରି ଯାଇଥିବା ବେଳେ ଉତ୍ୟକ୍ତ ଲୋକେ ତାଙ୍କୁ ଅଟକ ରଖିଥିଲେ। କାର୍ଯ୍ୟାଳୟ ଭିତରେ ଅଧିକାରୀ ମାନଙ୍କୁ ତାଲା ପକାଇ ଦେଇଥିଲେ ଗ୍ରାମବାସୀ। ଏ ନେଇ କୋଟଗଡ ଥାନାକୁ ଖବର ଯିବା ପରେ ନିକଟସ୍ଥ ସିଆରପିଏଫ କ୍ୟାମ୍ପରୁ ଜବାନ ମାନେ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ। ତେବେ ତୁରନ୍ତ ଏହି ସମସ୍ୟାର ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଗ୍ରାମବାସୀ ସଦେଶ୍ୱର ପାଟମାଝି, ସୁବଳ ବାଗା ନାୟକ, ପଞ୍ଚଦେବ ପାଟଗୁରୁ, ବସନ୍ତ ପାଣିଗ୍ରାହୀ, ହରିହର ବଡ଼ଟିଆ, ସରୋଜ ପାଟମାଝୀ, ମାନସ ବଡ଼ଟିଆ, ଅରବିନ୍ଦ କୁମାର ନାୟକ ପ୍ରମୁଖ ପ୍ରକାଶ କରିଛନ୍ତି।

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ