।। ରତ୍ନ ଭଣ୍ଡାର ଚାବି ପରେ ହଜିଲା ଶ୍ରୀମନ୍ଦିର ପ୍ରଶାସନ ଫାଇଲ : ସିଂହଦ୍ୱାର ଥାନାରେ ଜଗନ୍ନାଥ ସେନା ଦେଲା ଏତଲା ।।

ରତ୍ନଭଣ୍ଡାର ଚାବି ପରେ ଶ୍ରୀମନ୍ଦିର ପ୍ରଶାସନ ଦୁଇଟି ଫାଇଲ ହଜିବା ଘଟଣା । ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ଥାନାରେ ଦିଆଯାଇଛି ଏତଲା । ଘଟଣାର ତଦନ୍ତ ପାଇଁ ଦାବି କରିଛି ଜଗନ୍ନାଥ ସେନା । ଏହା ଏକ ସରକାରୀ ଷଡ଼ଯନ୍ତ୍ର ବୋଲି ଏଫଆଇଆର ଉଲ୍ଲେଖ ରହିଛି । ଶ୍ରୀମନ୍ଦିରର ଦୁଇଟି ଫାଇଲ୍ ଗାଏବ ହେବା ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ପୂର୍ବରୁ ରତ୍ନଭଣ୍ଡାର ଚାବି ହଜିଥିଲା ।ଯାହାକୁ ନେଇ ବିରୋଧୀ ସମେତ ଜଗନ୍ନାଥପ୍ରେମୀ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି । ଆଉ ଏହି ସମୟରେ ଫାଇଲ ହଜିବା ଗୋଟିଏ ବଡ ବିବାଦକୁ ଜନ୍ମ ଦେଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଫାଇଲ ହଜାଇଛି ରାଜ୍ୟ ସରକାରଙ୍କ ଆଇନ୍ ବିଭାଗ । ହାଇକୋର୍ଟଙ୍କ ନିର୍ଦ୍ଦେଶର ତୁରନ୍ତ ଅନୁପାଳନ ରିପୋର୍ଟ ଦାଖଲ ନିମନ୍ତେ ଏହି ଦୁଇଟି ଫାଇଲର ଆବଶ୍ୟକତା ରହିିଛି । କିନ୍ତୁ ଏହା ନମିଳିବା ପରେ ଆଇନ୍ ବିଭାଗ ତତ୍ପରତା ଦେଖାଇଛି ।ଦୁଇଟି ଫାଇଲ ଏବେ କେଉଁଠି ରହିଛି ତାକୁ ପ୍ରାଥମିକତା ଭିତିିରେ ଖୋଜିବା ପାଇଁ ଆଇନ ବିଭାଗର ଉପସଚିବ ଅଂଶୁମାନ ମହାନ୍ତି ବିଭାଗର ସମସ୍ତ ଶାଖାକୁ ଚିଠି ଲେଖିଛନ୍ତି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ପୂର୍ବତନ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର । ଆଇନ ବିଭାଗ ଅବହେଳା ଯୋଗୁଁ ଏଭଳି ହୋଇଥିବା ସେ ଅଭିଯୋଗ କରିଛନ୍ତି ।
What's Your Reaction?






