କାନ୍ଦ ବୋବାଳିରେ ଫାଟି ପଡିଲା ବିଦ୍ୟାଳୟ ( ଶିକ୍ଷକ ବଦଳି କୁ ବିରୋଧ):(ମଧ୍ୟାହ୍ନ ଭୋଜନ ରୁ ବଞ୍ଚିତ ଛାତ୍ର ଛାତ୍ରୀ)
ମୋରଡା -ନିଜର ଅତି ପ୍ରିୟ ଶିକ୍ଷକଙ୍କ ପାଇଁ କାନ୍ଦ ବୋବାଳିରେ ଫାଟି ପଡିଲା ବିଦ୍ୟାଳୟ ପରିସର। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଚିଞ୍ଚଳଗଡିଆସ୍ଥିତ ରଘୁନାଥ ଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ,ଉକ୍ତ ବିଦ୍ୟାଳୟରେ ଆବଶ୍ୟକତା ଠାରୁ ଅଧିକ ପାଞ୍ଚ ଜଣ ଶିକ୍ଷୟତ୍ରୀଶିକ୍ଷକ ଉକ୍ତ ବିଦ୍ୟାଳୟରେ ଥିବାରୁ ମୃତ୍ୟଞ୍ଜୟ ରାଉତ ଏବଂ ଚିନ୍ମୟ କୁମାର ସାମଲ, ଏଲଟିଆର ଶିକ୍ଷୟତ୍ରୀ ହେମାଙ୍ଗିନୀ ମହାନ୍ତ,ମୈତ୍ରୀ ଜେନା ଓ଼ ଦେବାଶିଷ ମହାନ୍ତଙ୍କୁ ଅନ୍ୟ ବିଦ୍ୟାଳୟରେ ପାଠ ପଢାଇବାକୁ ଜିଲ୍ଲାପାଳଙ୍କ ଅନୁମୋଦନକ୍ରମେ ଏକ ନିର୍ଦେଶନାମା ଜାରି ହୋଇଥିଲା। ଏନେଇ ପୂର୍ବରୁ ଅଗଷ୍ଟ ୨୫ ତାରିଖ ଦିନ ଛାତ୍ରୀଛାତ୍ର ମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ତେବେ ନିର୍ଦେଶନାମା ଅନୁଯାୟୀ ଗତକାଲି ଦୁଇ ଜଣ ଶିକ୍ଷକ ଅନ୍ୟ ବିଦ୍ୟାଳୟରେ ଯୋଗ ଦେଇଥିବା ବେଳେ ଆଜି ଶିକ୍ଷକ ମୃତ୍ୟୁଞ୍ଜୟ ରାଉତ, ଚିନ୍ମୟ କୁମାର ସାମଲ ଏବଂ ଶିକ୍ଷୟତ୍ରୀ ହେମାଙ୍ଗିନୀ ମହାନ୍ତଙ୍କୁ ବିଦ୍ୟାଳୟରୁ ପିଲା ମାନେ ଛାଡିବାକୁ ନାରାଜ ଥିଲେ। ପ୍ରଥମେ ପିଲାମାନେ ଚାଲି ଚାଲି ରାସଗୋବିନ୍ଦପୁରସ୍ଥିତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯିବାକୁ ବାହାରୁଥିବା ସମୟରେ ଖବର ପାଇ ବିଡ଼ିଓ ଅନନ୍ତ କୁମାର ହାଁସଦା, ତହସିଲଦାର ଉପେନ୍ଦ୍ର ଦାସ ଓ଼ ରାସଗୋବିନ୍ଦପୁର ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ବିଦ୍ୟାଳୟରେ ପହଞ୍ଚି ଉତ୍ତେଜନା ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ତେବେ ନିର୍ଦେଶନାମା ମୁତାବକ ଶିକ୍ଷକ ମୃତ୍ୟଞ୍ଜୟ ରାଉତ ବିଦ୍ୟାଳୟ ଛାଡି ଯାଉଥିବା ସମୟରେ ଛାତ୍ରୀଛାତ୍ର ମାନେ କାନ୍ଦି କାନ୍ଦି ଶିକ୍ଷକଙ୍କୁ ବିଦ୍ୟାଳୟରୁ ନଯିବାକୁ ଅନୁରୋଧ କରିଥିଲେ। ଶିକ୍ଷକ ରାଉତ ଏଠାରେ ପାଠ ନପଢ଼ାଇଲେ ପିଲାମାନେ ଉତ୍ତମ ଶିକ୍ଷାରୁ ବଞ୍ଚିତ ହେବେ ବୋଲି ପିଲାମାନେ କହିଥିଲେ। ସେହିପରି ଶିକ୍ଷକ ଚିନ୍ମୟ କୁମାର ସାମଲ ଓ଼ ଶିକ୍ଷୟତ୍ରୀ ହେମାଙ୍ଗିନୀ ମହାନ୍ତଙ୍କୁ ମଧ୍ୟ ନଯିବାକୁ ପିଲା ମାନେ ଜିଦ ଧରିଥିଲେ। ପ୍ରଧାନ ଶିକ୍ଷକ ତୁଷାରକାନ୍ତ ପାତ୍ର ବିଦ୍ୟାଳୟରେ ପହଞ୍ଚିବା ପରେ ପିଲାମାନେ ପ୍ରଧାନ ଶିକ୍ଷକଙ୍କ ଗୋଡ଼ ଧରି ଉକ୍ତ ଶିକ୍ଷକଙ୍କୁ ଅନ୍ୟତ୍ର ନପଠାଇବାକୁ କାନ୍ଦି କାନ୍ଦି ଅନୁରୋଧ କରିଥିଲେ। ଏପରି ପରିସ୍ଥିତିରେ ଜଣେ ଛାତ୍ରୀ କାନ୍ଦି କାନ୍ଦି ଅସୁସ୍ଥ ହୋଇ ଚେତା ଶୂନ୍ୟ ହୋଇ ପଡ଼ିଥିଲେ। ଉକ୍ତ ଛାତ୍ରୀଙ୍କୁ ତହସିଲଦାରଙ୍କ ଗାଡ଼ିରେ ଡାକ୍ତରଖାନାକୁ ନିଆଯାଇଥିଲା। ସେହିପରି ଖବର ସୁଦ୍ଧା ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇ ନଥିବାର ଦେଖିବାକୁ ମିଳିଛି। ବିଇଓ ଯତୀନ୍ଦ୍ର ଦତ୍ତ ମଧ୍ୟ ଘଟଣାସ୍ଥଳରେ ପହଁଞ୍ଚିଥିଲେ। ଯେଉଁ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ରହିଛି ସେହି ବିଦ୍ୟାଳୟରେ ଉକ୍ତ ଶିକ୍ଷକ ମାନେ ଯୋଗ ଦେଇ ଶିକ୍ଷା ଦାନ କରିବେ ବୋଲି କହିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0