ମାଲକାନଗିରିରେ ‘ଏକତା ପଦଯାତ୍ରା’ ଆୟୋଜିତ; ଜାତୀୟ ଏକତା ଓ ସଦ୍‌ଭାବନାର ଶପଥ ଗ୍ରହଣ

Oct 31, 2026 - 13:18
 0  3
ମାଲକାନଗିରିରେ ‘ଏକତା ପଦଯାତ୍ରା’ ଆୟୋଜିତ; ଜାତୀୟ ଏକତା ଓ ସଦ୍‌ଭାବନାର ଶପଥ ଗ୍ରହଣ

*ମାଲକାନଗିରି,୩୧/୧୦/୨୬:* ଜାତୀୟ ଏକତା, ଭାଇଚାରା ଓ ସାମାଜିକ ସଦ୍‌ଭାବନାର ବାର୍ତ୍ତା ନେଇ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଆଜି ଏକ ଭବ୍ୟ ‘ଏକତା ପଦଯାତ୍ରା’ ଆୟୋଜିତ ହୋଇଯାଇଛି। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ (ରାଷ୍ଟ୍ରୀୟ ଏକତା ଦିବସ) ଅବସରରେ ଆୟୋଜିତ ଏହି ପଦଯାତ୍ରା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରୁ ବାହାରି ଜିଲ୍ଲା କ୍ରୀଡ଼ା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡ଼କାମି, ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ, ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍, ବନଖଣ୍ଡ ଅଧିକାରୀ ସାଇ କିରଣ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନା ତୁରୁକ୍‌, ଜିଲ୍ଲା ଯୁବ ଅଧିକାରୀ ଏବଂ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପଦଯାତ୍ରାରେ ସାମିଲ ହୋଇଥିଲେ। ପଦଯାତ୍ରା ପ୍ରାରମ୍ଭରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିଛବିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହାପରେ ସାଂସଦ ଶ୍ରୀ ମାଝୀଙ୍କ ନେତୃତ୍ୱରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତା ଓ ସାଧାରଣ ଜନତା ଜାତୀୟ ଏକତା ଓ ଅଖଣ୍ଡତା ରକ୍ଷା ପାଇଁ ‘ଏକତା ସଂକଳ୍ପ’ ପାଠ କରିଥିଲେ। ଏହି ଅବସରରେ ସାଂସଦ କହିଥିଲେ, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଆଦର୍ଶ ଓ ବଳିଦାନ ଆମ ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିଛି। ଏକ ସୁଦୃଢ଼, ସମୃଦ୍ଧ ଓ ବିକଶିତ ଭାରତ ଗଠନ ପାଇଁ ଜାତୀୟ ଏକତା, ସଦ୍‌ଭାବନା ଓ ଭାଇଚାରାର ବାର୍ତ୍ତାକୁ ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚାଇବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଏହି ପଦଯାତ୍ରାରେ ମାଲକାନଗିରି ଜିଲ୍ଲା ଆରକ୍ଷୀ କର୍ମଚାରୀ, ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟ୍, ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ ଯେ, ସ୍ୱାଧୀନତା ପରେ ୫୬୦ରୁ ଉର୍ଦ୍ଧ୍ୱ ଦେଶୀୟ ରାଜ୍ୟକୁ ଭାରତୀୟ ସଂଘରେ ମିଶ୍ରଣ କରି ଏକ ସୁଦୃଢ଼ ଓ ଆଖଣ୍ଡ ଭାରତ ଗଠନ କରିଥିବା ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀକୁ ପ୍ରତିବର୍ଷ ଦେଶବ୍ୟାପୀ ‘ରାଷ୍ଟ୍ରୀୟ ଏକତା ଦିବସ’ ଭାବେ ପାଳନ କରାଯାଏ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ