ବାରିପଦା ଷ୍ଟାଡିୟମରେ ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ:ସୁସ୍ଥ ଓ ଚାପମୁକ୍ତ ଜୀବନ ପାଇଁ ନିୟମିତ ଯୋଗାଭ୍ୟାସ କରିବାକୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଆହ୍ୱାନ

Jun 21, 2026 - 20:00
 0  2
ବାରିପଦା ଷ୍ଟାଡିୟମରେ ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ:ସୁସ୍ଥ ଓ ଚାପମୁକ୍ତ ଜୀବନ ପାଇଁ ନିୟମିତ ଯୋଗାଭ୍ୟାସ କରିବାକୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଆହ୍ୱାନ

ବାରିପଦା, (୨୧/୦୬): ବାରିପଦା ଷ୍ଟାଡିୟମଠାରେ ଆଜି ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗାଭ୍ୟାସରେ ସାମିଲ ହେବା ସହିତ ସୁସ୍ଥ, ନିରୋଗ ଓ ଚାପମୁକ୍ତ ଜୀବନ ପାଇଁ ବୟସ୍କ, ଯୁବ ଓ ଛାତ୍ରଛାତ୍ରୀଙ୍କୁ ନିୟମିତ ଯୋଗାଭ୍ୟାସ କରିବାକୁ ଆହ୍ୱାନ ଦେଇଥିଲେ। ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ “ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗ” ଉପରେ ଆଲୋକପାତ କରି ମନ୍ତ୍ରୀ କହିଥିଲେ ଯେ, ବୟସ ବଢ଼ିବା ସହିତ ଦେଖାଦେଉଥିବା ଉଚ୍ଚ ରକ୍ତଚାପ, ମଧୁମେହ, ଚିନ୍ତା ଓ ଏକାକୀପଣ ଭଳି ବିଭିନ୍ନ ଶାରୀରିକ ଓ ମାନସିକ ସମସ୍ୟାର ସହଜ ସମାଧାନ ଯୋଗ ଓ ପ୍ରାଣାୟାମ ମାଧ୍ୟମରେ ସମ୍ଭବ। ରାଜ୍ୟର ବୟୋଜ୍ୟେଷ୍ଠ ନାଗରିକମାନଙ୍କ ସୁସ୍ଥତା ସମାଜ ପାଇଁ ଏକ ଅମୂଲ୍ୟ ସମ୍ପଦ ବୋଲି ସେ ମତବ୍ୟକ୍ତ କରିଥିଲେ। ସେହିପରି ଆଜିର ଡିଜିଟାଲ ଯୁଗରେ ମୋବାଇଲ ଓ ସୋସିଆଲ ମିଡିଆରେ ବ୍ୟସ୍ତ ରହୁଥିବା ଯୁବପିଢ଼ିଙ୍କୁ ମାନସିକ ଚାପମୁକ୍ତ ରହିବା ପାଇଁ ପ୍ରତିଦିନ ଅତିକମରେ ୨୦ରୁ ୩୦ ମିନିଟ୍ ଯୋଗାଭ୍ୟାସ କରିବାକୁ ସେ ପରାମର୍ଶ ଦେଇଥିଲେ। ମନ୍ତ୍ରୀ ଆହୁରି କହିଥିଲେ ଯେ, ଯୋଗ କୌଣସି ନିର୍ଦ୍ଦିଷ୍ଟ ଧର୍ମ ମଧ୍ୟରେ ସୀମିତ ନୁହେଁ, ବରଂ ଏହା ମାନବ ଚେତନାର ବିକାଶ ପାଇଁ ଏକ ବିଶ୍ୱବ୍ୟାପୀ ଅମୂଲ୍ୟ ଉପହାର। ଯୋଗ ଏକ ପୂର୍ଣ୍ଣାଙ୍ଗ ଜୀବନ ଦର୍ଶନ ଏବଂ ନିରୋଗ ଜୀବନଯାପନର ଏକ ସମ୍ପୂର୍ଣ୍ଣ ବିଜ୍ଞାନ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଯୋଗୁଁ ଆଜି ଯୋଗ ବିଶ୍ୱସ୍ତରରେ ସ୍ୱୀକୃତି ଲାଭ କରି ଭାରତର ସାଂସ୍କୃତିକ ଗୌରବକୁ ପ୍ରତିଷ୍ଠିତ କରିପାରିଛି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସୋରେନ, ଜିଲ୍ଲାପାଳ ଶ୍ରୀ ହେମାକାନ୍ତ ସଏ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ବରୁଣ ଗୁଣ୍ଠପାଲି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକ ଓ ଶ୍ରୀ ଈଶ୍ୱର ଚନ୍ଦ୍ର ନାୟକଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହାସହ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ପତଞ୍ଜଳି ଯୋଗ ଶିବିର, ସ୍ୱାମୀ ବିବେକାନନ୍ଦ ଯୋଗ ସଂଗଠନ, ଆର୍ଟ ଅଫ ଲିଭିଂ ସଂଗଠନ, କ୍ରୀଡ଼ା ଛାତ୍ରାବାସ, ପୋଲିସ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ବୟୋଜ୍ୟେଷ୍ଠ ନାଗରିକ, ବାରିପଦା କ୍ରୀଡ଼ା ସଂସ୍ଥାର କର୍ମକର୍ତ୍ତା ଓ ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀମାନେ ଯୋଗଦାନ କରିଥିଲେ। ଅବସରପ୍ରାପ୍ତ ବରିଷ୍ଠ ଆଥଲେଟିକ୍ କୋଚ୍ ଶ୍ରୀ କୁମାର ରଞ୍ଜନ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଡ଼ଃ ଶୁଭାଶିଷ ନାୟକଙ୍କ ତତ୍ତ୍ୱାବଧାନରେ ଏହାର ଆୟୋଜନ କରାଯାଇଥିଲା। ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ରୀଡ଼ା ବିଭାଗ ଓ ଯୋଗ ମହୋତ୍ସବ ସମିତି, ମୟୂରଭଞ୍ଜର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ