ବାରିପଦାରେ ଦିନଦ୍ୱିପ୍ରହରରେ ଛାତିଥରା ହତ୍ୟାକାଣ୍ଡ: ଛୁରୀରେ ବେକ କାଟି ସ୍ତ୍ରୀକୁ ନିର୍ମମ ଭାବେ ମାରିଦେଲା ପିଶାଚ ସ୍ୱାମୀ, ଡାକ୍ତରଖାନାରେ ମହିଳା ମୃତ ଘୋଷିତ, ଅଭିଯୁକ୍ତ ଗିରଫ
ବାରିପଦାରେ ଦିନଦ୍ୱିପ୍ରହରରେ ଛାତିଥରା ହତ୍ୟାକାଣ୍ଡ: ଛୁରୀରେ ବେକ କାଟି ସ୍ତ୍ରୀକୁ ନିର୍ମମ ଭାବେ ମାରିଦେଲା ପିଶାଚ ସ୍ୱାମୀ, ଡାକ୍ତରଖାନାରେ ମହିଳା ମୃତ ଘୋଷିତ, ଅଭିଯୁକ୍ତ ଗିରଫ। ଘଟଣା ଘଟିଛି ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହା ଛକ ନିକଟରେ ଲୋମହର୍ଷଣକାରୀ ତଥା ରକ୍ତାକ୍ତ ହତ୍ୟାକାଣ୍ଡ। ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଜଣେ ସ୍ୱାମୀ ନିଜ ସ୍ତ୍ରୀର ବେକକୁ ଧାରୁଆ ଛୁରୀରେ କାଟି ଅତି ନିର୍ମମ ଭାବେ ହତ୍ୟା କରିଛି। ଅଭିଯୁକ୍ତ ସ୍ୱାମୀ ହେଲା ଶୁଳିଆପଦା ଥାନା ଅଧୀନ ଗଉଡୁଣୀ ଡୁବା ଗ୍ରାମର ଗୁରା ନାଏକଙ୍କ ୪୫ ବର୍ଷୀୟ ପୁଅ କଟିଆ ନାୟକ। ମୃତକ ହେଲେ ତାଙ୍କ ଦ୍ୱିତୀୟ ସ୍ତ୍ରୀ ସୁକାନ୍ତି ନାଏକ। ସୂଚନା ଅନୁଯାୟୀ, ଉଭୟ ବାଗଡିହା ଛକ ନିକଟରେ ବସି କଥାବାର୍ତ୍ତା ହେଉଥିବା ବେଳେ କୌଣସି କଥାକୁ କେନ୍ଦ୍ର କରି କଟିଆ ହଠାତ୍ ଉଗ୍ରରୂପ ଧାରଣ କରିଥିଲା ଏବଂ ପାଖରେ ରଖିଥିବା ଏକ ଧାରୁଆ ଛୁରୀ ବାହାର କରି ସ୍ତ୍ରୀ ସୁକାନ୍ତିଙ୍କ ବେକକୁ ନିର୍ଦ୍ଦୟ ଭାବେ କାଟି ପକାଇଥିଲା। ବେକରୁ ପ୍ରବଳ ରକ୍ତସ୍ରାବ ହେଉଥିବା ଅବସ୍ଥାରେ ସୁକାନ୍ତି ପ୍ରାଣ ବିକଳରେ ଚିତ୍କାର କରି ସ୍ଥାନୀୟ ଲୋକଙ୍କ ଆଡ଼କୁ ଦୌଡ଼ି ଆସି ଜୀବନ ବଞ୍ଚାଇବାକୁ ଆକୁଳ ନିବେଦନ କରିଥିଲେ। ତୁରନ୍ତ ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀମାନେ ତାଙ୍କ ବେକରେ ଚାଦର ବାନ୍ଧି ରକ୍ତସ୍ରାବ ରୋକିବାକୁ ଚେଷ୍ଟା କରିବା ସହ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା ନିରୀକ୍ଷା କରିବା ପରେ ମୃତ ଘୋଷଣା କରିଛନ୍ତି। ତେବେ ପ୍ରେମ ସମ୍ପର୍କ ପରେ ସୁକାନ୍ତି ନାଏକଙ୍କୁ ନିଜର ଦ୍ୱିତୀୟ ସ୍ତ୍ରୀ ଭାବେ ବିବାହ କରିଥିଲା ଅଭିଯୁକ୍ତ କଟିଆ। ଏହି ବର୍ବରୋଚିତ କାଣ୍ଡ ପରେ ସମଗ୍ର ବାରିପଦା ସହର ତଥା ଆଖପାଖ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ଓ ଭୟର ବାତାବରଣ ଖେଳିଯାଇଛି। ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜ୍ଜୁ କରି ରକ୍ତମୁଖା ହତ୍ୟାକାରୀ ସ୍ୱାମୀ କଟିଆକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ରକ୍ତଭିଜା ଛୁରୀ ଜବତ କରିଛି। ତତ୍ସହିତ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରି ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ କ'ଣ, ତାହା ଜାଣିବା ପାଇଁ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ଘନଘନ ଜେରା ଚଳାଇଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0