ବାତ୍ୟା ଅର୍ଣ୍ଣବ:ମାଲକାନଗିରିରେ ବ୍ୟାପକ ସ୍ଥାନାନ୍ତର ଓ ସୁରକ୍ଷା ବ୍ୟବସ୍ଥା; ଗ୍ରାଉଣ୍ଡ ଜିରୋରେ ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ

Oct 28, 2026 - 18:25
 0  2
ବାତ୍ୟା ଅର୍ଣ୍ଣବ:ମାଲକାନଗିରିରେ ବ୍ୟାପକ ସ୍ଥାନାନ୍ତର ଓ ସୁରକ୍ଷା ବ୍ୟବସ୍ଥା; ଗ୍ରାଉଣ୍ଡ ଜିରୋରେ ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ

*ମାଲକାନଗିରି, ୨୭ ଅକ୍ଟୋବର:* ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ମୁକାବିଲା ଲାଗି ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା, ଉଦ୍ଧାର ଏବଂ ସ୍ଥାନାନ୍ତର କାର୍ଯ୍ୟ ଜାରି ରହିଛି। ଜିଲ୍ଲାରେ ଶୂନ୍ୟ ଜୀବନହାନି ଲକ୍ଷ୍ୟ ନେଇ ସମସ୍ତ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୩ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ମାଧ୍ୟମରେ ୧,୦୦୧ ଜଣ ବିପନ୍ନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ସରକାରୀ ରିପୋର୍ଟ ଅନୁଯାୟୀ, ଉଦ୍ଧାର ହୋଇଥିବା ୧,୦୦୧ ଜଣ ବିପନ୍ନଙ୍କ ମଧ୍ୟରେ ୩୮୪ ଜଣ ପୁରୁଷ, ୩୪୨ ଜଣ ମହିଳା ଏବଂ ୨୭୫ ଜଣ ଶିଶୁ ସାମିଲ ଅଛନ୍ତି, ଯେଉଁଥିରେ ସର୍ବାଧିକ ୪୭୩ ଜଣଙ୍କୁ କୋରୁକୋଣ୍ଡା ବ୍ଲକ୍‌ରୁ ସ୍ଥାନାନ୍ତରିତ କରାଯାଇଛି। ସେହିପରି ପ୍ରଶାସନ ପକ୍ଷରୁ ଗର୍ଭବତୀ ମହିଳାଙ୍କ ସୁରକ୍ଷାକୁ ବିଶେଷ ପ୍ରାଥମିକତା ଦିଆଯାଉଛି। ଆଗାମୀ ୧୫ ଦିନ ମଧ୍ୟରେ ପ୍ରସବ ତାରିଖ ଥିବା ଜିଲ୍ଲାର ୫୯୯ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୬ ଜଣଙ୍କୁ ବିଭିନ୍ନ ମା ଗୃହ ଓ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏବଂ ୭୧ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିରାପଦରେ ସ୍ଥାନାନ୍ତର କରାଯାଇସାରିଛି। ଜରୁରୀକାଳୀନ ମୁକାବିଲା ପାଇଁ ଚିତ୍ରକୋଣ୍ଡା ଓ ମାଥିଲି ବ୍ଲକ୍‌ରେ ୫ଟି ଓଡ୍ରାଫ୍ ଟିମ୍, କାଲିମେଳାରେ ୧ଟି ଏନଡିଆରଏଫ ଟିମ୍ ଏବଂ ୯ଟି ଅଗ୍ନିଶମ ବାହିନୀ ଟିମ୍ ନିୟୋଜିତ ହୋଇଛନ୍ତି। ଜିଲ୍ଲାର ୪ଟି ମୁଖ୍ୟ ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀ ପଡ଼ିଆ ବ୍ଲକର ଗିରକାନପଲ୍ଲୀ, କାଲିମେଳାର ମୋଟୁ ଓ ବାଡ଼ିଲି, ଏବଂ ମାଥିଲି ବ୍ଲକର ଢୁଙ୍ଗିଆପୁଟଠାରେ ଜେନେରେଟର, ପାୱାର ସ', ଆସ୍କା ଟାୱାର ଲାଇଟ୍ ଏବଂ ମାଗଣା ରନ୍ଧା ଖାଦ୍ୟର ବ୍ୟବସ୍ଥା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିଛି। ସେହିପରି ସମ୍ଭାବ୍ୟ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ୧,୮୪୩ ପ୍ୟାକେଟ୍ ପଲିଥିନ୍ ରୋଲ୍, ୨,୧୮,୫୬୭ ପ୍ୟାକେଟ୍ ଓଆରଏସ , ୩,୮୬୦ ଭାଏଲ୍ ଆଣ୍ଟି-ସ୍ନେକ୍ ଭେନମ୍ , ୨୭,୦୦୦ଟି ହାଲାଜୋନ୍ ବଟିକା ଏବଂ ୧୩୦ କ୍ୱିଣ୍ଟାଲ ଚୁଡ଼ା ଓ ୧୦୦ କ୍ୱିଣ୍ଟାଲ ଚିନି ଜିଲ୍ଲା କେନ୍ଦ୍ରୀୟ ରିଜର୍ଭରେ ଗଚ୍ଛିତ ରଖାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମାଲକାନଗିରି ଗସ୍ତ କରି ଗ୍ରାଉଣ୍ଡ ଜିରୋରେ ସ୍ଥିତି ସମୀକ୍ଷା କରିଛନ୍ତି। ସେ ମାଥିଲି ବ୍ଲକର ଢୁଙ୍ଗିଆପୁଟ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ବରିଷ୍ଠ ଆଇଏଏସ ଅଫିସର ଡ. ୟେଦୁଲା ବିଜୟ ଏବଂ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଙ୍କ ଉପସ୍ଥିତିରେ ଖାଦ୍ୟ, ସ୍ୱାସ୍ଥ୍ୟସେବା ଓ ପାନୀୟ ଜଳର ଉପଲବ୍ଧତା ସୁନିଶ୍ଚିତ କରିଛନ୍ତି। ପ୍ରଶାସନ ପକ୍ଷରୁ ଜିଲ୍ଲାର ପ୍ରମୁଖ ଜଳମଗ୍ନ ପ୍ରବଣ ଅଞ୍ଚଳ, ପାଙ୍ଗାମ, ଏମଭି-୦୭, କାଙ୍ଗୁରୁକୋଣ୍ଡା, ପୋଟେରୁ, ଏମଭି-୯୦, ଏମଭି-୯୬, ମହାରାଜପଲ୍ଲୀ, କନ୍ୟାଶ୍ରମ ଓ ଚଲାନଗୁଡ଼ା ଭଳି ସମ୍ବେଦନଶୀଳ ପୋଲ ଏବଂ ବୋଣ୍ଡାଘାଟି, ମାଙ୍କଡ଼ଝୋଲା, ନାକାମାମୁଡ଼ି-ବାୟାପଡ଼ା ରାସ୍ତା ଭଳି ଭୂସ୍ଖଳନ ପ୍ରବଣ ସ୍ଥାନଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଛି। ସଡ଼କ ପରିବହନ ବାଧାପ୍ରାପ୍ତ ହେଲେ ତୁରନ୍ତ ବିକଳ୍ପ ରୁଟ୍ ବ୍ୟବହାର ପାଇଁ ଆରଟିଓ ପକ୍ଷରୁ ମାଷ୍ଟର ରୁଟ୍ ପ୍ଲାନ୍ ଚୂଡ଼ାନ୍ତ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ସହାୟତା ପାଇଁ ଫୋନ୍ ନମ୍ବର 06861-231372, ଟୋଲ୍ ଫ୍ରି ନମ୍ବର 1077 ଏବଂ ଇମେଲ୍ deemgmkg@gmail.com ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିଛି। ବର୍ତ୍ତମାନ ପୌରାଞ୍ଚଳ ସମେତ ସମସ୍ତ ବ୍ଲକ୍‌ଗୁଡ଼ିକରେ ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର ଚାଲିଥିବା ବେଳେ ମାଥିଲି, କାଲିମେଳା ଓ ପୋଡ଼ିଆ ଅଞ୍ଚଳରେ ରନ୍ଧା ଖାଦ୍ୟ ଏବଂ ଖଇରପୁଟ, କୋରୁକୋଣ୍ଡା ଓ ବାଲିମେଳା ଏନଏସି ଅଞ୍ଚଳରେ ଜରୁରୀ ସାମଗ୍ରୀ ବଣ୍ଟନ କରାଯାଉଛି। ଜନସାଧାରଣ ଆଦୌ ଭୟଭୀତ ନହୋଇ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ