ନିଜ ମାଟିକୁ ଫେରାଇ ଆଣିବାରେ ସଫଳ ହେଲା ଜିଲ୍ଲା ପ୍ରଶାସନ: ଭୋଟ ଦେବାରୁ ଓହରିଲେ ଝୁମଡାଙ୍ଗବାସୀ, ଗ୍ରାମରେ ସ୍ୱତନ୍ତ୍ର ସେବା ଶୁଣାଣି ଶିବିର ଅନୁଷ୍ଠିତ

Nov 5, 2026 - 20:02
 0  2
ନିଜ ମାଟିକୁ ଫେରାଇ ଆଣିବାରେ ସଫଳ ହେଲା ଜିଲ୍ଲା ପ୍ରଶାସନ: ଭୋଟ ଦେବାରୁ ଓହରିଲେ ଝୁମଡାଙ୍ଗବାସୀ, ଗ୍ରାମରେ ସ୍ୱତନ୍ତ୍ର ସେବା ଶୁଣାଣି ଶିବିର ଅନୁଷ୍ଠିତ

*ମାଲକାନଗିରି,୫/୧୧/୨୬:* ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶ କ୍ରମେ ଚିତ୍ରକୋଣ୍ଡା ବ୍ଲକ ଅଧୀନସ୍ଥ ଧୂଳିପୁଟ ପଞ୍ଚାୟତର ଆନ୍ଧ୍ର ସୀମାବର୍ତ୍ତୀ ଝୁମଡାଙ୍ଗ ଗ୍ରାମରେ ଏକ ସ୍ୱତନ୍ତ୍ର ଜନଶୁଣାଣି ତଥା ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ସୀମାନ୍ତ ଅଞ୍ଚଳର ନାଗରିକଙ୍କ ନିକଟରେ ଓଡ଼ିଶା ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଓ ମୌଳିକ ସେବା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ, ପୋଲିସ, ସ୍ଥାନୀୟ ଜନପ୍ରତିନିଧି, ଆଦିବାସୀ ସମାଜ ଏବଂ ଗଣମାଧ୍ୟମର ମିଳିତ ସହଯୋଗରେ ଏହି ବୃହତ ପ୍ରଶାସନିକ ପ୍ରୟାସ କରାଯାଇଛି। ଝୁମଡାଙ୍ଗ ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ଆଶ୍ୱାସନା ଦିଆଯାଇଛି। ଆୟୋଜିତ ଏହି ସ୍ୱତନ୍ତ୍ର ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ସୋମନାଥ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବେଦବର ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ବିଡିଓ ପ୍ରିତା କୁମାର୍ ଏବଂ ଚିତ୍ରକୋଣ୍ଡା ତହସିଲଦାର ନଟବର ଗରଡା ପ୍ରମୁଖ ଉପସ୍ଥିତ ଥିଲେ। ଶିବିର ପରିସରରେ ଗ୍ରାମବାସୀଙ୍କ ପାଇଁ ସାମାଜିକ ସୁରକ୍ଷା, ଆଧାର ପଞ୍ଜୀକରଣ, ଶ୍ରମ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ସ୍ୱାସ୍ଥ୍ୟ ବିଭାଗ ତରଫରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବଣ୍ଟନ ଭଳି ବିଭିନ୍ନ ସେବା କ୍ୟାମ୍ପ ଆୟୋଜନ କରାଯାଇଥିଲା। ଶିବିରରେ ୫୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଯୋଗଦେଇ ନିଜ ନିଜର ସମସ୍ୟା ଉପସ୍ଥାପନ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ବମୋଟ ୧୩୭ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଛି, ଯେଉଁଥିରେ ୪ଟି ସାମୂହିକ ସମସ୍ୟା ଏବଂ ଅବଶିଷ୍ଟ ଜବ କାର୍ଡ, ରାସନ କାର୍ଡ ଓ ଆବାସ ଯୋଜନା ସମ୍ବନ୍ଧୀୟ ବ୍ୟକ୍ତିଗତ ଅଭିଯୋଗ ଅନ୍ତର୍ଭୁକ୍ତ। ପ୍ରଶାସନ ପକ୍ଷରୁ ସମସ୍ତ ଉପସ୍ଥିତ ଗ୍ରାମବାସୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର ସୁବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ କହିଛନ୍ତି, ସୀମାନ୍ତ ଗ୍ରାମ ଝୁମଡାଙ୍ଗ ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଗ୍ରାମବାସୀଙ୍କ ପାଖରେ ଓଡ଼ିଶା ସରକାରଙ୍କ ପ୍ରତ୍ୟେକ କଲ୍ୟାଣକାରୀ ଯୋଜନା ଓ ମୌଳିକ ସୁବିଧା ପହଞ୍ଚାଇବା ଆମର ପ୍ରାଥମିକତା। ପ୍ରଶାସନ ସବୁସମୟରେ ଲୋକଙ୍କ ସହ ରହିଛି ଏବଂ କୌଣସି ବି ପରିସ୍ଥିତିରେ ଆମର ନିଜ ମାଟି ଓ ଲୋକଙ୍କ ବିକାଶରେ ଅବହେଳା କରାଯିବ ନାହିଁ। ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ଦୃଷ୍ଟିରୁ ପୋଲିସ ପ୍ରଶାସନ ପକ୍ଷରୁ ଦୁଇ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବା ସହ ସୀମାନ୍ତ ଅଞ୍ଚଳରେ ବ୍ୟାରିକେଡିଂ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।ଆନ୍ଧ୍ରପ୍ରଦେଶରେ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ଓଡ଼ିଶାର ସୀମାନ୍ତ ଗ୍ରାମ ଝୁମଡାଙ୍ଗ ବାସୀ ଭୋଟ ଦେବାକୁ ନ ଯାଇ ଏକ ବଡ଼ ଓ ସକାରାତ୍ମକ ନିଷ୍ପତ୍ତି ନେଇଛନ୍ତି। ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ନିର୍ବାଚନରେ ଗ୍ରାମବାସୀ ସାମିଲ ହେବେ ବୋଲି ପୂର୍ବରୁ ଚର୍ଚ୍ଚା ଜୋର ଧରିଥିବା ବେଳେ, ମାଲକାନଗିରି ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନର ତୁରନ୍ତ ହସ୍ତକ୍ଷେପ, ବୁଝାସୁଝା ଓ ସଫଳ ଆଲୋଚନା ପରେ ଗ୍ରାମବାସୀମାନେ ସମ୍ପୂର୍ଣ୍ଣ ଭାବେ ଆନ୍ଧ୍ରକୁ ଭୋଟ ଦେବା ନିଷ୍ପତ୍ତିରୁ ଓହରିଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରଶାସନିକ ସ୍ତରରେ ପ୍ରତିଶ୍ରୁତି ଦିଆଯିବା ପରେ ଗ୍ରାମବାସୀମାନେ ଏହାକୁ ଆଦରର ସହ ଗ୍ରହଣ କରିବା ସହ ଆନ୍ଧ୍ର ନିର୍ବାଚନରେ ସାମିଲ ନ ହେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି। ମାଲକାନଗିରି ଜିଲ୍ଲାପାଳଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଓ ଜିଲ୍ଲା ପ୍ରଶାସନର ଏହି ନିଷ୍ଠାପର ପ୍ରୟାସ ସୀମାନ୍ତବାସୀଙ୍କ ଆସ୍ଥା ଜିତିବା ସହ ନିଜ ମାଟିକୁ ଫେରାଇ ଆଣିବାରେ ଏକ ବିରାଟ ସଫଳତା ସାବ୍ୟସ୍ତ ହୋଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ