ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ସହ ଭିଡିଓ କଲ୍‌ରେ କଥା ହେଲେ ଜିଲ୍ଲାପାଳ ମଧୁସୂଦନ ଦାଶ “ଆପଣ ମଧ୍ୟ ଆବଶ୍ୟକ ସମୟରେ ଅନ୍ୟଙ୍କୁ ସହାୟତାର ହାତ ବଢ଼ାନ୍ତୁ”

Sep 16, 2026 - 21:36
 0  5
ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ସହ ଭିଡିଓ କଲ୍‌ରେ କଥା ହେଲେ ଜିଲ୍ଲାପାଳ ମଧୁସୂଦନ ଦାଶ “ଆପଣ ମଧ୍ୟ ଆବଶ୍ୟକ ସମୟରେ ଅନ୍ୟଙ୍କୁ ସହାୟତାର ହାତ ବଢ଼ାନ୍ତୁ”

ନୂଆପଡ଼ା ୧୬/୦୯: ମାନବିକତା କେବଳ ଏକ ମୁହୂର୍ତ୍ତର ସହାୟତା ନୁହେଁ, ବରଂ ଅନ୍ୟମାନଙ୍କ ପ୍ରତି ସମ୍ବେଦନଶୀଳତା ଓ ସହଯୋଗର ଏକ ନିରନ୍ତର ମନୋଭାବ। ଏହି ବାର୍ତ୍ତାକୁ ଆଗକୁ ବଢ଼ାଇ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ତାଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ତୁକେଶ ବାଗଙ୍କ ସହ ଆଜି ଭିଡିଓ କଲ୍‌ ଯୋଗେ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଛନ୍ତି। କିଛି ଦିନ ପୂର୍ବେ ନୂଆପଡ଼ା ସହରରେ ସ୍କୁଟରରେ ଯାଉଥିବା ବେଳେ ପିପଲଚେଣ୍ଡି ଗ୍ରାମର ୨୯ ବର୍ଷୀୟ ତୁକେଶ ବାଗ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ ଆହତ ଅବସ୍ଥାରେ ପଡ଼ିଥିଲେ। କାର୍ଯ୍ୟାଳୟକୁ ଯାଉଥିବା ବେଳେ ଜିଲ୍ଲାପାଳ ଶ୍ରୀ ଦାଶ ତାଙ୍କୁ ଦେଖି ତତ୍‌କ୍ଷଣାତ୍‌ ନିଜ ଗାଡ଼ି ଅଟକାଇଥିଲେ। ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକଙ୍କ ଅବସ୍ଥା ବୁଝିବା ସହ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଆବଶ୍ୟକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବାର ବ୍ୟବସ୍ଥା କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେବା ପରେ ତୁକେଶ ବର୍ତ୍ତମାନ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି। ଆଜି ଜିଲ୍ଲାପାଳ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରୁ ତାଙ୍କୁ ଭିଡିଓ କଲ୍‌ କରି ଚିକିତ୍ସା କିପରି ହୋଇଥିଲା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ବିନା ଖର୍ଚ୍ଚରେ ଉପଯୁକ୍ତ ଚିକିତ୍ସା ସେବା ମିଳିଥିଲା କି ନାହିଁ, ସେ ସମ୍ପର୍କରେ ପଚାରି ବୁଝିଥିଲେ। ଆଲୋଚନା ସମୟରେ ଜିଲ୍ଲାପାଳ ଶ୍ରୀ ଦାଶ ତୁକେଶଙ୍କୁ କହିଥିଲେ ଯେ, “ଆପଣ ମଧ୍ୟ ଆବଶ୍ୟକତାରେ ଥିବା ଅନ୍ୟମାନଙ୍କୁ ସହାୟତା କରନ୍ତୁ।” ଏହା ମାଧ୍ୟମରେ ସମାଜରେ ପରସ୍ପର ସହଯୋଗ ଓ ମାନବିକତାର ଭାବନାକୁ ଆହୁରି ସୁଦୃଢ଼ କରିବାକୁ ସେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଜିଲ୍ଲାପାଳ ତୁକେଶଙ୍କ ବୃତ୍ତି ସମ୍ପର୍କରେ ମଧ୍ୟ ପଚାରି ବୁଝିବା ସହ ସରକାରଙ୍କ କୌଣସି ଯୋଜନାରେ ସହାୟତାର ଆବଶ୍ୟକତା ରହିଛି କି ନାହିଁ, ସେ ସମ୍ପର୍କରେ ବୁଝିଥିଲେ। ଯଦି କୌଣସି ସରକାରୀ ଯୋଜନାରେ ସହାୟତା ପାଇଁ ଇଚ୍ଛୁକ ତେବେ ତାଙ୍କୁ ସାକ୍ଷାତ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଜଣେ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ରାସ୍ତାରୁ ଉଦ୍ଧାର କରି ଚିକିତ୍ସା ସୁନିଶ୍ଚିତ କରିବାଠାରୁ ଆରମ୍ଭ କରି ପରବର୍ତ୍ତୀ ସମୟରେ ତାଙ୍କ ସ୍ୱାସ୍ଥ୍ୟ ଓ ସୁବିଧା ସମ୍ପର୍କରେ ନିଜେ ପଚାରି ବୁଝିବା—ଜିଲ୍ଲାପାଳ ଶ୍ରୀ ଦାଶଙ୍କ ଏହି ଆଭିମୁଖ୍ୟ ପ୍ରଶାସନର ମାନବିକ ଚେହେରାକୁ ପ୍ରତିଫଳିତ କରିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସେପ୍ଟେମ୍ବର ୧୦ ତାରିଖରେ ଆହତ ତୁକେଶଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚିକିତ୍ସାଳୟ ପଠାଇବା ସହ ତୁରନ୍ତ ଆବଶ୍ୟକ ଚିକିତ୍ସା ସେବା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ପଦକ୍ଷେପ ନେଇଥିଲେ। ଜିଲ୍ଲାପାଳଙ୍କ ଏହି ମାନବିକ ଆଭିମୁଖ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଥିଲା। ନୂଆପଡ଼ାରୁ ବିଶ୍ୱନାଥ ସାମଲ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ