ଗ୍ରାମକୁ ଘେରି ରହିଛନ୍ତି ହାତୀପଲ , ବନବିଭାଗର ବିଫଳତାରୁ ଲୋକେ ହଟହଟା

Nov 28, 2024 - 17:36
 0  18
ଗ୍ରାମକୁ ଘେରି ରହିଛନ୍ତି ହାତୀପଲ , ବନବିଭାଗର ବିଫଳତାରୁ ଲୋକେ ହଟହଟା

ବେତନଟୀ , ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅନ୍ତର୍ଗତ କେନ୍ଦୁଆ ଓ ପାଟଳିପୁରା ପଞ୍ଚାୟତରେ ବିଗତ ୩ଦିନ ଧରି ୫୪ ଟିକିଆ ହାତୀପଲ କ୍ଷୀରପଦା ଓ ଦଲକି ସଂରକ୍ଷିତ ଜଙ୍ଗଲରେ ରହୁଛନ୍ତି। ପୂର୍ବାହ୍ନରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ପାଚିଲା ଧାନ କ୍ଷେତରେ ଉତ୍ପାତ କରୁଥିବାବେଳେ ଆଜି ସନ୍ଧ୍ୟା ଠାରୁ ସ୍ଥାନୀୟ ପାଟଳିପୁରା ପଞ୍ଚାୟତର ସାନ କ୍ଷୀରପଦା ଓ କେନ୍ଦୁଆ ପଞ୍ଚାୟତର ଭୁଡୁ଼ରୁବଣି ଗ୍ରାମକୁ ଚାରିପଟୁ ଘେରି ରହିଛନ୍ତି। ଫଳରେ ହାତୀ ଆତଙ୍କରେ ଭୟଭୀତ ହୋଇପଡ଼ିଛନ୍ତି ଅଞ୍ଚଳବାସୀ। ପ୍ରଚୁର ମାତ୍ରାରେ ଖାଦ୍ୟ ମିଳିଯାଉଥିବାରୁ ତଥା ରହିବାକୁ ସୁରକ୍ଷିତ ସ୍ଥାନ ମିଳିଯାଉଥିବାରୁ ୩ଦିନ ପରେ ବି ସ୍ଥାନ ଛାଡି ଯିବାକୁ ନାଁ ଧରୁନାହାନ୍ତି ହାତୀପଲ। ହାତୀ ଭୟରେ ସନ୍ଧ୍ୟା ନ ହେଉଣୁ ତାଟି କବାଟ ପକାଇ ଘର ଭିତରେ ଭୟଭୀତ ହୋଇ ରାତି କାଟୁଛନ୍ତି ଦୁଇ ଗ୍ରାମର ପ୍ରାୟ ୧୭୫ ପରିବାରର ୫୦୦ରୁ ଉର୍ଦ୍ଧ ଲୋକ। ଅନ୍ୟପଟେ ହାତୀପଲ ଥିବା ଯୋଗୁଁ ରାତି ସାରା ବିଦ୍ୟୁତ ସରବରାହ ବନ୍ଦ ରଖାଯାଇଛି, ଯେଉଁଥିପାଇଁ ପୁରା ଗାଁ ଅନ୍ଧକାରମୟ, ଯାହା ସାଧାରଣ ଲୋକଙ୍କ ଭୟକୁ ଦ୍ବିଗୁଣିତ କରୁଛି। ନିଜ ପରିବାରକୁ ହାତୀ କବଳରୁ ସୁରକ୍ଷା ଦେବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇ ଦେଉଛନ୍ତି ଗ୍ରାମର ପୁରୁଷ। ସନ୍ଧ୍ୟା ନ ହେଉଣୁ ଗାଁ ଲୋକେ ହାତରେ ନିଆଁ ହୁଳା ଓ ଟର୍ଚ୍ଚ ଧରି ଗାଁ ଚାରିପଟେ ଘେରି ରହି ହାତୀମାନଙ୍କୁ ଗାଁକୁ ପଶିବାରୁ ରୋକୁଛନ୍ତି। ଫଳରେ ତାଙ୍କ ପରିବାର ଶାନ୍ତିରେ ରାତି କାଟୁଛନ୍ତି। ନିଆଁ ହୁଳା ଦେଖାଇ ଗାଁ ଭିତରକୁ ସିନା ହାତୀ ପଲକୁ ପଶିବାକୁ ଦେଉନାହାନ୍ତି ଗ୍ରାମବାସୀ। ହେଲେ ଦିନ ତମାମ ତାଙ୍କ ପାଚିଲା ଧାନ କ୍ଷେତରେ ହାତୀ ଫସଲ ନଷ୍ଟ କରୁଛନ୍ତି। ବନବିଭାଗ ଓ ସ୍ଥାନୀୟ ସରପଞ୍ଚଙ୍କ ସୂଚନା ଅନୁଯାଇ ଏଯାବତ ୩ଦିନରେ ୫୦ ଏକରରୁ ଉର୍ଦ୍ଧ ପାଚିଲା ଧାନ କ୍ଷେତକୁ ଖାଇବା ସହିତ ହାତୀପଲ ଦଳି ଚକଟି ଉଜାଡି ଦେଲେଣି। ତେବେ ହାତୀପଲ ଘଉଡାଇବାରେ ବିଫଳ ବନବିଭାଗ କେବଳ ଲୋକଙ୍କୁ ସଚେତନ କରୁଛି ଓ ଆଶ୍ବାସନା ଦେବାରେ ନିଜର ଦାୟିତ୍ଵ ସିମୀତ ରଖିଛି। ଅନ୍ୟ ପକ୍ଷରେ ହାତୀ କ୍ଷୟକ୍ଷତି ଜନିତ ଆର୍ଥିକ ସହାୟତା ରାଶି ବୃଦ୍ଧି କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଜନସାଧାରଣ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ