ଏମ୍‌ଏସ୍‌ସିବି ବିଶ୍ୱବିଦ୍ୟାଳୟରେ ନିର୍ମାଣ କାର୍ଯ୍ୟରେ ଅନିୟମିତତା -ଓପିଏଚ୍‌ଡବ୍ଲ୍ୟୁସିକୁ ଚରମବାଣୀ -ଲୁହା ର‍୍ୟାମ୍ପ୍‌ରେ ୩.୮୯ କୋଟି ଖର୍ଚ୍ଚ ଉପରେ ଉଠିଲା ପ୍ରଶ୍ନ -ଅନ୍ୟ ୩୫ଟି ପ୍ରକଳ୍ପ ନିର୍ମାଣ ମଧ୍ୟ ବିଳମ୍ବ -୭ ଦିନ ମଧ୍ୟରେ ସମସ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ କରି ଆନୁଷ୍ଠାନିକ ହସ୍ତାନ୍ତର ନିର୍ଦ୍ଦେଶ

Sep 17, 2026 - 18:38
 0  24
ଏମ୍‌ଏସ୍‌ସିବି ବିଶ୍ୱବିଦ୍ୟାଳୟରେ ନିର୍ମାଣ କାର୍ଯ୍ୟରେ ଅନିୟମିତତା -ଓପିଏଚ୍‌ଡବ୍ଲ୍ୟୁସିକୁ ଚରମବାଣୀ -ଲୁହା ର‍୍ୟାମ୍ପ୍‌ରେ ୩.୮୯ କୋଟି ଖର୍ଚ୍ଚ ଉପରେ ଉଠିଲା ପ୍ରଶ୍ନ -ଅନ୍ୟ ୩୫ଟି ପ୍ରକଳ୍ପ ନିର୍ମାଣ ମଧ୍ୟ ବିଳମ୍ବ -୭ ଦିନ ମଧ୍ୟରେ ସମସ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ କରି  ଆନୁଷ୍ଠାନିକ ହସ୍ତାନ୍ତର ନିର୍ଦ୍ଦେଶ

ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ (ଏମଏସସିବି) ବିଶ୍ୱବିଦ୍ୟାଳୟ ପରିସରରେ ଭିତ୍ତିଭୂମି ନିର୍ମାଣ ଓ ଉନ୍ନୟନ କାର୍ଯ୍ୟରେ ଅହେତୁକ ବିଳମ୍ବ ତଥା ଅନିୟମିତତାକୁ ନେଇ କର୍ତ୍ତୃପକ୍ଷ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କାର୍ଯ୍ୟ ସମ୍ପାଦନ କରୁଥିବା ସଂସ୍ଥା 'ଓଡ଼ିଶା ଷ୍ଟେଟ୍ ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ୍' (ଓପିଏଚ୍‌ଡବ୍ଲ୍ୟୁସି)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କ ନିକଟକୁ ଦୁଇଟି ପୃଥକ ଚିଠି ଲେଖି ବିଶ୍ୱବିଦ୍ୟାଳୟ କୁଳସଚିବ କଡ଼ା ଚେତାବନୀ ଦେବା ସହ ଉତ୍ତର ମାଗିଛନ୍ତି। ବିଶ୍ୱବିଦ୍ୟାଳୟ ପକ୍ଷରୁ ଦିଆଯାଇଥିବା ଏକ ପତ୍ର (ନଂ- ୪୫୪୨, ତା- ୨୫.୦୮.୨୦୨୬) ଅନୁଯାୟୀ, କ୍ୟାମ୍ପସର ବିଭିନ୍ନ ବିଲ୍ଡିଂରେ ଲୁହା ର‍୍ୟାମ୍ପ୍ ନିର୍ମାଣ ନାମରେ ପ୍ରାୟ ୩ କୋଟି ୮୯ ଲକ୍ଷ ୨୪ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ତେବେ ଟେକ୍ନିକାଲ୍ ଟିମ୍ ଦ୍ୱାରା ଅନୁଧ୍ୟାନ ପରେ ଏହି ପ୍ରକଳ୍ପର ଉପଯୋଗିତା ଓ ସ୍ଥାୟିତ୍ୱ ଉପରେ ଏକାଧିକ ଗମ୍ଭୀର ତ୍ରୁଟି ସାମ୍ନାକୁ ଆସିଛି । ଏତେ ବିପୁଳ ପରିମାଣର ଅର୍ଥ ଲୁହା ର‍୍ୟାମ୍ପ୍ ପାଇଁ ଖର୍ଚ୍ଚ ନକରି ଲିଫ୍ଟ୍ ବ୍ୟବସ୍ଥା କରାଯାଇଥିଲେ ତାହା ବେଶ୍ କମ୍ ଖର୍ଚ୍ଚାନ୍ତ ତଥା ଫଳପ୍ରଦ ହୋଇଥାନ୍ତା । ଏହି ବିଶାଳକାୟ ର‍୍ୟାମ୍ପ୍ ଗୁଡ଼ିକ ବିଲ୍ଡିଂ ଆଖପାଖର ବହୁତ ଜାଗା ଅଯଥାରେ ମାଡ଼ି ବସିଛି ଏବଂ ଏହାର ଡିଜାଇନ୍ ବୈଷୟିକ ଦୃଷ୍ଟିକୋଣରୁ ସନ୍ତୋଷଜନକ ନୁହେଁ। ଲିଫ୍ଟ ତୁଳନାରେ ଏଥିରେ କାର୍ବନ କ୍ରେଡିଟ୍ ବହୁତ କ୍ଷତିଗ୍ରସ୍ତ ହୋଇଛି ଏବଂ ନିର୍ମାଣରେ ବ୍ୟବହୃତ ହୋଇଥିବା ଲୁହା ଅଳ୍ପ ଦିନ ମଧ୍ୟରେ କଳଙ୍କି ଲାଗି ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ଏହି ସମସ୍ତ ତ୍ରୁଟିକୁ ଦୃଷ୍ଟିରେ ରଖି ଉକ୍ତ ପ୍ରକଳ୍ପର ଅବଶିଷ୍ଟ ପାଣ୍ଠି ପ୍ରଦାନ (ପେମେଣ୍ଟ)କୁ ସ୍ଥଗିତ ରଖାଯାଇଛି ଏବଂ ତୁରନ୍ତ ତଦନ୍ତ କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟ ଏକ ପତ୍ର (ନଂ- ୪୬୪୨, ତା- ୦୧.୦୯.୨୦୨୬) ମାଧ୍ୟମରେ ବିଶ୍ୱବିଦ୍ୟାଳୟ ପ୍ରଶାସନ ଓପିଏଚ୍‌ଡବ୍ଲ୍ୟୁସିର କାର୍ଯ୍ୟଶୈଳୀ ଉପରେ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ, ବିଶ୍ୱବିଦ୍ୟାଳୟରେ ପ୍ରାୟ ୩୫ଟି ପ୍ରକଳ୍ପ ଚାଲିଥିବା ବେଳେ ଏପ୍ରିଲରୁ ଅଗଷ୍ଟ ୨୦୨୬ ମଧ୍ୟରେ ସେଗୁଡ଼ିକ ଶେଷ ହେବାର ଥିଲା। ମାତ୍ର ବାରମ୍ବାର ତାରିଖ ବଦଳାଯାଉଥିଲେ ସୁଦ୍ଧା କାର୍ଯ୍ୟ ଶେଷ କରି ହସ୍ତାନ୍ତର କରାଯାଉନାହିଁ। ନୂଆ ଶିକ୍ଷାନୀତି (ଏନଇପି) ଲାଗୁ ହେବା ଏବଂ ପ୍ରଥମ ବର୍ଷର ନୂତନ ଛାତ୍ରଛାତ୍ରୀ କ୍ୟାମ୍ପସରେ ଯୋଗ ଦେଇସାରିଥିବାରୁ ତୀବ୍ର କ୍ଲାସରୁମ୍ ଅଭାବ ଦେଖାଦେଇଛି।ଭିତ୍ତିଭୂମି ଅଭାବକୁ ନେଇ ଛାତ୍ରଛାତ୍ରୀମାନେ ଅଭିଯୋଗ ପତ୍ର ଦେବା ସହ ଆଗାମୀ ଦିନରେ ବ୍ୟାପକ ଛାତ୍ର ଆନ୍ଦୋଳନ ଓ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ନିର୍ମାଣ ହସ୍ତାନ୍ତର ହୋଇନଥିବାରୁ ଅର୍ଥ ହିସାବ ଓ ଖର୍ଚ୍ଚ ସମାଧାନରେ ମଧ୍ୟ ବିଶ୍ୱବିଦ୍ୟାଳୟ ପାଇଁ ଜଟିଳତା ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ, ଆସନ୍ତା ୭ ଦିନ ମଧ୍ୟରେ ସମସ୍ତ ସମ୍ପୂର୍ଣ୍ଣ ପ୍ରକଳ୍ପକୁ ବିଶ୍ୱବିଦ୍ୟାଳୟକୁ ଆନୁଷ୍ଠାନିକ ଭାବେ ହସ୍ତାନ୍ତର କରିବା ପାଇଁ ଓପିଏଚ୍‌ଡବ୍ଲ୍ୟୁସିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ମଧ୍ୟ ଅବଗତ କରାଯାଇଛି। ସୂଚନାଯୋଗ୍ୟ, ବିଶ୍ବବିଦ୍ୟାଳୟର ନିଜସ୍ୱ ପାଣ୍ଠିର ବିନିଯୋଗରେ ପୂର୍ବତନ କୁଳପତି ସନ୍ତୋଷ କୁମାର ତ୍ରିପାଠୀଙ୍କ ସମୟରେ ରାମ୍ପ ସବୁ ନିର୍ମାଣାଧୀନ ଉପରେ ବର୍ଷକ ତଳେ ପୂର୍ବତନ ସିନେଟ ଓ ସିଣ୍ଡିକେଟ ସଦସ୍ୟ ଆଇନଜୀବୀ ଜ୍ୟୋତିପ୍ରକାଶ ରଥ ପ୍ରଶ୍ନ ଉଠାଇ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଥିଲେ । ଶାରିରୀକ ଭିନ୍ନକ୍ଷମ ଲୋକଙ୍କ ବାହାନା ନେଇ ୩ କୋଟି ୮୯ ଲକ୍ଷ ୨୪ ହଜାର ଟଙ୍କା ବ୍ୟୟରେ ୫ଟି ବିଲଡିଂରେ ଲୌହ ରାମ୍ପ ନିର୍ମାଣ ହୋଇଥିବା ବେଳେ ସେଗୁଡିକ ବ୍ୟବହାର ଉପଯୋଗୀ ନ ହୋଇ ସେହିପରି ପଡ଼ି ରହିବା ନେଇ ସେ ପ୍ରଶ୍ନ ଉଠାଇଥିଲେ। ଏବାବଦରେ ହୋଇଥିବା ଖର୍ଚ୍ଚ ଠାରୁ ବହୁତ କମ୍ ବ୍ୟୟରେ ଲିପ୍ଟ ନିର୍ମାଣ ହୋଇଥିଲେ, ତାହା ବ୍ୟବହାର ଉପଯୋଗୀ ହୋଇ ପାରିଥାନ୍ତା ବୋଲି ସେ କହିଥିଲେ । ସେହିପରି ଭଲ ଅବସ୍ଥାରେ ଥିବା ବିଶ୍ଵବିଦ୍ୟାଳୟ ପରିସର ପିଚୁ ରାସ୍ତାକୁ ଖୋଳି ସେଥ‌ିରେ ଅନାବଶ୍ୟକ ଭାବରେ ଫ୍ଲେବର ଟାଇଲ ପକାଇ ଖର୍ଚ୍ଚ କରାଯାଇଛି । ରାଜ୍ୟ ସରକାରଙ୍କ ପାଖରୁ କୌଣସି ଆର୍ଥିକ ଅନୁଦାନ ନ ପାଇ ଓ ସରକାରଙ୍କ ବିନା ପ୍ରାକ୍ ଅନୁମତିରେ ବିଶ୍ବବିଦ୍ୟାଳୟ ନିଜସ୍ବ ଗଚ୍ଛିତ ପାଣ୍ଠିରୁ କୋଟି କୋଟି ଟଙ୍କା ଅପବ୍ୟବହାର ତଦନ୍ତ ସାପେକ୍ଷ ବୋଲି ଶ୍ରୀ ରଥ କହିଥିଲେ । ଯାହା ଏବେ ସତ ପ୍ରମାଣିତ ହେବାକୁ ଯାଉଛି । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉପରୋକ୍ତ ନିଷ୍ପତ୍ତି ସ୍ବାଗତଯୋଗ୍ୟ ବୋଲି ସେ କହିଛନ୍ତି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ