ଅବ୍ୟବସ୍ଥା ଘେରରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ:ସ୍କୁଲ ପରିସରରେ ପିଇବା ପାଣି ନାହିଁ, ଜରାଜୀର୍ଣ୍ଣ ଶ୍ରେଣୀଗୃହରେ ପାଠପଢ଼ା
ଦାରିଙ୍ଗବାଡ଼ି, ୨୧/୮ (ସଲମନ୍ ବିନ୍ଧାଣୀ ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ବ୍ରାହ୍ମଣଗାଁ ଅନ୍ତର୍ଗତ ସାରାମୂଳୀ ଗ୍ରାମ ପଞ୍ଚାୟତର ମାର୍ଦ୍ଧିଫଙ୍କା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୀର୍ଘଦିନ ଧରି ଅବ୍ୟବସ୍ଥା ଘେରରେ ରହିଛି। ବିଦ୍ୟାଳୟରେ ଭଲ ଶ୍ରେଣୀଗୃହ ନଥିବା ସହ ପାଚେରୀ ମଧ୍ୟ ନାହିଁ। ଫଳରେ ବିଦ୍ୟାଳୟ ପରିସର ଗୋରୁଗାଈଙ୍କ ଆଡ଼ାସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି।ଦାରିଙ୍ଗବାଡ଼ି ବ୍ଲକ୍ର ସୀମାନ୍ତ ଅଞ୍ଚଳରେ ଥିବା ଏହି ବିଦ୍ୟାଳୟ ପ୍ରତି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ପଡ଼ୁନଥିବା ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।ବର୍ତ୍ତମାନ ଲଘୁଚାପଜନିତ ବର୍ଷା ଯୋଗୁଁ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଭୟଭୀତ ହୋଇପଡ଼ିଛନ୍ତି। ବିଦ୍ୟାଳୟର ଶ୍ରେଣୀଗୃହଗୁଡ଼ିକର ଆଜବେଷ୍ଟସ୍ ଛାତ ଫାଟି ଯାଇଥିବାରୁ ବର୍ଷା ହେଲେ ଶ୍ରେଣୀ ଭିତରେ ପାଣି ପଡ଼ୁଛି। ଫଳରେ ଛାତ୍ରଛାତ୍ରୀଙ୍କ ପାଇଁ ବସି ପାଠ ପଢ଼ିବାକୁ ସୁରକ୍ଷିତ ସ୍ଥାନ ମିଳୁନାହିଁ। ଅନେକ ସମୟରେ ପିଲାମାନେ ଭୟଭୀତ ହୋଇ ଶ୍ରେଣୀଗୃହ ବାରଣ୍ଡାରେ ବସି ପାଠ ପଢ଼ୁଥିବା ଦେଖିବାକୁ ମିଳୁଛି।ଏହା ସହିତ ଶ୍ରେଣୀଗୃହର କାନ୍ଥଗୁଡ଼ିକ ମଧ୍ୟ ଦୁର୍ବଳ ହୋଇପଡ଼ିଛି। ବହୁ ବର୍ଷ ପୁରୁଣା ଏହି ଶ୍ରେଣୀଗୃହଗୁଡ଼ିକ କେତେବେଳେ ଭୁଶୁଡ଼ି ପଡ଼ିବ, ତାହା କହିହେବ ନାହିଁ ବୋଲି ଅଭିଭାବକମାନେ ଚିନ୍ତା ପ୍ରକାଶ କରିଛନ୍ତି।ଅନ୍ୟପକ୍ଷରେ, ବିଦ୍ୟାଳୟରେ ନୂତନ ଶୌଚାଳୟ ନିର୍ମାଣ ହୋଇଥିଲେ ମଧ୍ୟ ସେଥିରେ ପାଣିର ବ୍ୟବସ୍ଥା ନାହିଁ। ଫଳରେ ଛାତ୍ରଛାତ୍ରୀ ଶୌଚ ପାଇଁ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି। ସବୁଠାରୁ ଗୁରୁତର ସମସ୍ୟା ହେଉଛି ବିଦ୍ୟାଳୟ ପରିସରରେ ପିଇବା ପାଣିର ବ୍ୟବସ୍ଥା ନଥିବା। ମଧ୍ୟାହ୍ନ ଭୋଜନ ରାନ୍ଧିବା ପାଇଁ ମଧ୍ୟ ପ୍ରାୟ ଏକ କିଲୋମିଟର ଦୂରରୁ ପାଣି ଆଣିବାକୁ ପଡ଼ୁଛି।ଏଭଳି ଅବ୍ୟବସ୍ଥା ମଧ୍ୟରେ ବିଦ୍ୟାଳୟ ଚାଲୁଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସହ ସେମାନଙ୍କ ସୁରକ୍ଷା ମଧ୍ୟ ପ୍ରଶ୍ନବାଚୀ ହୋଇଛି। ତୁରନ୍ତ ବିଦ୍ୟାଳୟର ଶ୍ରେଣୀଗୃହ ମରାମତି, ପାଚେରୀ ନିର୍ମାଣ, ପାନୀୟଜଳ ଓ ଶୌଚାଳୟରେ ପାଣିର ବ୍ୟବସ୍ଥା କରିବାକୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଅଞ୍ଚଳବାସୀ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଏବଂ ଦାରିଙ୍ଗବାଡ଼ି ବ୍ଲକ୍ ପ୍ରଶାସନ ନିକଟରେ ଦୃଢ଼ ଦାବି କରିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0