ଏନ୍.ଏଚ୍.ଏମ୍. ମିଶନ ନିର୍ଦ୍ଦେଶକଙ୍କ ଦୁଇ-ଦିନିଆ ଝାରସୁଗୁଡ଼ା ଗସ୍ତ;ଏଚ୍-କାଟାପାଲି ହକି ଷ୍ଟାଡିୟମ୍ ପରିଦର୍ଶନ ସହ କ୍ରୀଡ଼ା ଭିତ୍ତିଭୂମିର କଲେ ସମୀକ୍ଷା
ତୃଣମୂଳ ସ୍ତରରେ ହକିର ବିକାଶ ଓ କ୍ରୀଡ଼ାବିତ୍ଙ୍କ ଉଦ୍ୟମକୁ କଲେ ପ୍ରଶଂସା
ଝାରସୁଗୁଡ଼ା, ୨୯/୦୭(ଫାଷ୍ଟ ନ୍ୟୁଜ ଓଡ଼ିଶା): ଜିଲ୍ଲାର ନୋଡାଲ ଅଫିସର ତଥା ଜାତୀୟ ସ୍ବାସ୍ଥ୍ୟ ମିଶନ, ଓଡ଼ିଶାର ମିଶନ ନିର୍ଦ୍ଦେଶକ ଡ. ବୃନ୍ଦା ଡି. ନିଜର ଦୁଇ ଦିନିଆ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ଏଚ୍-କଟାପାଲିସ୍ଥିତ ହକି ଷ୍ଟାଡିୟମ୍ ପରିଦର୍ଶନ କରିଛନ୍ତି। ସେ ଷ୍ଟାଡିୟମ୍ରେ ପହଞ୍ଚି ଜିଲ୍ଲାର କ୍ରୀଡ଼ା ଭିତ୍ତିଭୂମି ଏବଂ ହକିର ବିକାଶ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକର ସମୀକ୍ଷା କରିଥିଲେ। ଗସ୍ତ ସମୟରେ ନବନିର୍ମିତ ଟର୍ଫ ହକି ଷ୍ଟାଡିୟମ୍ ବୁଲି ଦେଖିବା ସହ ତୃଣମୂଳ ସ୍ତରରେ ହକି ଖେଳର ପ୍ରଚାର ଓ ପ୍ରସାର ପାଇଁ 'ଝାରସୁଗୁଡ଼ା ହକି ଆସୋସିଏସନ୍' ପକ୍ଷରୁ କରାଯାଉଥିବା ପ୍ରଶଂସନୀୟ ଉଦ୍ୟମକୁ ଆନ୍ତରିକ ସାଧୁବାଦ ଜଣାଇଥିଲେ। ଏହି ଅବସରରେ ଓଡ଼ିଶା ହକି ଆସୋସିଏସନ୍ର ଉପସଭାପତି ତଥା ଝାରସୁଗୁଡ଼ା ହକି ଆସୋସିଏସନ୍ର ସଦସ୍ୟ ଶ୍ରୀ ଜୀବନ ମହାନ୍ତି ନୋଡାଲ ଅଫିସରଙ୍କୁ ଜିଲ୍ଲାରେ ହକିର ଦ୍ରୁତ ଅଭିବୃଦ୍ଧି, ନିୟମିତ ଟୁର୍ନାମେଣ୍ଟ ଓ ପ୍ରଶିକ୍ଷଣ ଶିବିର ଆୟୋଜନ ଏବଂ ସ୍ଥାନୀୟ ଖେଳାଳିଙ୍କ ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ। ଏହାସହ ଆଗାମୀ ଦିନରେ ରାଜ୍ୟ ଓ ଜାତୀୟ ସ୍ତରର ବଡ଼ ବଡ଼ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ଷ୍ଟାଡିୟମ୍ରେ ଦର୍ଶକ ଗ୍ୟାଲେରୀ, ୫-ଏ-ସାଇଡ୍ ଟର୍ଫ ଫିଲ୍ଡ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ମୌଳିକ ସୁବିଧା ସୁଯୋଗର ବିକାଶ ନିମନ୍ତେ ସେ ଦାବି ଉପସ୍ଥାପନ କରିଥିଲେ। ମିଶନ ନିର୍ଦ୍ଦେଶକ ହକି ଆସୋସିଏସନ୍ର ନିଷ୍ଠାପର ଉଦ୍ୟମରେ ସନ୍ତୋଷ ପ୍ରକାଶ କରିବା ସହ ଯୁବ କ୍ରୀଡ଼ାପ୍ରତିଭାମାନଙ୍କୁ ସାମ୍ନାକୁ ଆଣିବା ଏବଂ ଜିଲ୍ଲାର କ୍ରୀଡ଼ା ପରିବେଶକୁ ସୁଦୃଢ଼ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ପରିଦର୍ଶନ ସମୟରେ ଜିଲ୍ଲା କ୍ରୀଡ଼ା ଅଧିକାରୀ (ପ୍ରଭାରୀ) ବିଶକେଶନ ପଣ୍ଡା, ଜିଲ୍ଲା ପରିଷଦର ଏପିଡି ସୂର୍ଯ୍ୟାଂଶୁ ରୁଟ୍ଙ୍କ ସମେତ ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହାସହିତ ହକି ଆସୋସିଏସନ୍ର ସଦସ୍ୟ ପ୍ରଜ୍ବଳ ପଟେଲ, ଗଣେଶ ନାଏକ, କ୍ଲେମେଣ୍ଟ ରୋନାଲ୍ଡ, ଜ୍ୟୋତି ଲାଥ୍, ତପନ କୁମାର ବାରିକ ଏବଂ ଜିଲ୍ଲାର ବହୁ ବିଶିଷ୍ଟ କ୍ରୀଡ଼ାବିତ୍ ଉପସ୍ଥିତ ଥିଲେ।
ଝାରସୁଗୁଡ଼ା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0