ଅଧିକ ସଚେତନତାରୁ ଆଦିବାସୀ ସମାଜର ବିକାଶର ସ୍ୱପ୍ନ, ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ଓ ଗ୍ରାମସଭାର କ୍ଷମତା ଉପରେ ଗୁରୁତ୍ୱ

Oct 31, 2026 - 20:24
 0  4
ଅଧିକ ସଚେତନତାରୁ ଆଦିବାସୀ ସମାଜର ବିକାଶର ସ୍ୱପ୍ନ, ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ଓ ଗ୍ରାମସଭାର କ୍ଷମତା ଉପରେ ଗୁରୁତ୍ୱ

(ଦେବଶୋଳରେ ବ୍ଲକସ୍ତରୀୟ ମାଝୀ ପାରଗାନା ସଭା, ଶିକ୍ଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଆହ୍ୱାନ) ରାସଗୋବିନ୍ଦପୁର, ତା.୩୧।୧୦ (ଆପ୍ର) ଆଦିବାସୀ ସମାଜର ସାମ୍ବିଧାନିକ ଅଧିକାର, ପାରମ୍ପରିକ ସ୍ୱ ଶାସନ ବ୍ୟବସ୍ଥା ଓ ଗ୍ରାମସଭାର କ୍ଷମତା ସମ୍ପର୍କରେ ଜନଜାଗରଣ ସୃଷ୍ଟି କରିବା ସହ ଶିକ୍ଷା,ସଭ୍ୟତା, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ତଥା ସାମାଜିକ ବିକାଶର ବାର୍ତ୍ତା ନେଇ ଦେବଶୋଳ ବୁଦ୍ଧେଶ୍ୱର ମହାଦେବଙ୍କ ମେଳା ପଡ଼ିଆରେ ବ୍ଲକସ୍ତରୀୟ ଏକଦିବସୀୟ ମାଝୀ ପାରଗାନା ସଭା ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଆୟୋଜକ ରାମଚନ୍ଦ୍ର ଟୁଡୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ରାସଗୋବିନ୍ଦପୁର ବ୍ଲକର ବିଭିନ୍ନ ଗ୍ରାମର ମାଝୀ ବାବାମାନଙ୍କ ସହଯୋଗରେ ଆୟୋଜିତ ଏହି ସଭାରେ ମୟୂରଭଞ୍ଜ ଏସ୍‌ସିଡିସି ଅଧ୍ୟକ୍ଷ ତଥା ଶିକ୍ଷାବିତ୍ ବୁଢ଼ାନ ମୁର୍ମୁ ମୁଖ୍ୟ ଅତିଥି ଏବଂ ଇଞ୍ଜିନିୟର ପୂର୍ଣ୍ଣଚନ୍ଦ୍ର ହେମ୍ବ୍ରମ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ,ସଭାରେ ଆଦିବାସୀମାନଙ୍କ ପାଇଁ ସମ୍ବିଧାନରେ ଥିବା ସ୍ୱତନ୍ତ୍ର ବ୍ୟବସ୍ଥା,ଅଧିକାର ଓ ପେସା ଆଇନର ଗୁରୁତ୍ୱ ସହ ଗ୍ରାମସଭାର ଭୂମିକା ଓ କ୍ଷମତା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଆଦିବାସୀ ସମାଜର ପାରମ୍ପରିକ ଶାସନ ବ୍ୟବସ୍ଥାରେ ମାଝୀ ବାବାମାନଙ୍କ ଗୁରୁଦାୟିତ୍ୱ, ନୂତନ ପିଢ଼ିକୁ ଶିକ୍ଷିତ କରିବା,ନିଜସ୍ୱ ସାଂସ୍କୃତିକ ପରିଚୟକୁ ବଜାୟ ରଖିବା ଏବଂ ସମାଜର ସର୍ବାଙ୍ଗୀଣ ଉନ୍ନତି ଦିଗରେ ସମସ୍ତେ ଏକଜୁଟ ହେବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ।ଆଦିବାସୀ ସମାଜର ଐତିହ୍ୟ, ପରମ୍ପରା ଓ ସାମାଜିକ ଏକତାକୁ ସୁଦୃଢ଼ କରିବା ସହ ସାମ୍ବିଧାନିକ ଅଧିକାର ସମ୍ପର୍କରେ ପ୍ରତ୍ୟେକ ଗ୍ରାମରେ ସଚେତନତା ସୃଷ୍ଟି କରିବା ଏହି ସଭାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହିମହତ୍ କାର୍ଯ୍ୟକ୍ରମକୁ ସଫଳ ଓ ପୂର୍ଣ୍ଣାଙ୍ଗ ରୂପ ଦେବାରେ ଦେବଶୋଳ ଗ୍ରାମର ଆବାଳବୃଦ୍ଧବନିତାଙ୍କ ସକ୍ରିୟ ସହଯୋଗ ଉଲ୍ଲେଖନୀୟ ଥିଲା। କାର୍ଯ୍ୟକ୍ରମରେ ମାଝୀ ମା ପାଞ୍ଜିର ଘନଶ୍ୟାମ ମୁର୍ମୁ, ଦାମୋଦର ବାସ୍କେ,ରୂପାୟ କିସ୍କୁ,ସାଲ ମୁର୍ମୁ ଓ ପିରୁ ଟୁଡୁଙ୍କ ସମେତ ବହୁ ମାଝୀ ବାବା ଓ ଆଦିବାସୀ ସମାଜର ବ୍ୟକ୍ତିବିଶେଷ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିବାବେଳେ ଦେଢ ଶହରୁ ଉର୍ଦ୍ଧ ଗ୍ରାମର ମାଝୀ ବାବା ମାନେ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ