ସୋସିଆଲ ୱେଲଫେୟାର ଫୋରମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର:ବାରିପଦାକୁ ରୋଡ ସେଫ୍ଟି ମଡେଲ ଟାଉନ ଘୋଷଣା ଦାବି ସିଏଜି ରିପୋର୍ଟରେ ମୟୁରଭଞ୍ଜରେ ଦୁର୍ଘଟଣା ମୃତ୍ୟୁହାର ୫୯ ପ୍ରତିଶତ
ବାରିପଦା, 30/10 / ମୟୂରଭଞ୍ଜ ଜିଲ୍ଲାରେ ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ହ୍ରାସ କରିବା ସହ ବାରିପଦା ସହରକୁ ଏକ ରୋଡ ସେଫ୍ଟି ମଡେଲ ଟାଉନ ଭାବେ ବିକଶିତ କରିବାକୁ ଦାବି ହୋଇଛି। ଏନେଇ ସୋସିଆଲ ୱେଲଫେୟାର ଫୋରମ ପକ୍ଷରୁ ସଂଗଠନର ସମ୍ପାଦକ ବିଶ୍ୱଜିତ ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି। ଦାବୀପତ୍ର ମୁତାବକ ସିଏଜି ରିପୋର୍ଟରେ ମୟୂରଭଞ୍ଜ ଜିଲ୍ଲାରେ ୨୦୧୯ରୁ ୨୦୨୪ ମଧ୍ୟରେ ୨୭୦୮ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୧୫୯୮ ଜଣଙ୍କ ମୃତ୍ୟୁ ଓ ୨୫୩୧ ଜଣ ଆହତ ହୋଇଥିବା ଉଲ୍ଲେଖ ରହିଛି। ଦୁର୍ଘଟଣା ତୁଳନାରେ ମୃତ୍ୟୁହାର ୫୯.୦୧ ପ୍ରତିଶତ ଓ ଆହତ ହାର ୯୩.୪୬ ପ୍ରତିଶତ ଥିବାରୁ ଜିଲ୍ଲାର ସଡ଼କ ସୁରକ୍ଷା ସ୍ଥିତି ଚିନ୍ତାଜନକ ବୋଲି ଫୋରମ ପକ୍ଷରୁ କୁହାଯାଇଛି। ଜିଲ୍ଲାରେ ଥିବା ଦ୍ୱାରଶୁଣି ଘାଟିକୁ ଏକ ଦୁର୍ଘଟଣାପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇ ରାସ୍ତାରେ କ୍ରାସ ବ୍ୟାରିୟର, ରମ୍ବଲ ଷ୍ଟ୍ରିପ, ସଠିକ ସୂଚନା ଫଳକ ଓ ଆଲୋକ ବ୍ୟବସ୍ଥା ସହ ହାଇୱେ ପାଟ୍ରୋଲିଂ ବ୍ୟବସ୍ଥା କରିବା, ଉଦଳା-ବାରିପଦା, ବାରିପଦା- ବାଙ୍ଗିରିପୋଷି ଓ ବାରିପଦା-ବାଲେଶ୍ୱର ରାସ୍ତାର ବିଭିନ୍ନ ବ୍ଲାକ ସ୍ପଟରେ ବୈଜ୍ଞାନିକ ପଦ୍ଧତିରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା, ବାରିପଦା ସହରରେ ରେଳ ଓଭରବ୍ରିଜ ନିର୍ମାଣ, ପିଆରଏମ ମେଡିକାଲ କଲେଜରେ ୨୪ ଘଣ୍ଟିଆ ନ୍ୟୁରୋସର୍ଜନ ଓ ଅର୍ଥୋପେଡିକ ବିଶେଷଜ୍ଞଙ୍କ ସହ ଏକ ଆଧୁନିକ ଟ୍ରମା କେୟାର ସେଣ୍ଟର ସ୍ଥାପନ, ରୋଡ ସେଫ୍ଟି ଫଣ୍ଡ ଗଠନ ଏବଂ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକରେ ଏନଏଚଏଆଇର ଅଧିକାରୀଙ୍କ ଉପସ୍ଥିତି ବାଧ୍ୟତାମୂଳକ କରିବା, ମୟୂରଭଞ୍ଜ ଦେଇ ଯାଇଥିବା ଜାତୀୟ ରାଜପଥ ୧୮ ଓ ୪୯ରେ ଅଟୋମେଟେଡ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ, ସିସିଟିଭି, ସ୍ପିଡ ରାଡାର ଗନ ଏବଂ ଆମ୍ବୁଲାନ୍ସ ୱେ ଆଦି ସ୍ଥାପନ କରାଯାଇ ବାରିପଦାକୁ ଏକ ଆଦର୍ଶ ସଡ଼କ ସୁରକ୍ଷା ସହର ଭାବେ ପରିଣତ କରିବାକୁ ଦାବି ହୋଇଛି। ପ୍ରତିନିଧି ଦଳରେ ପ୍ରଦୀପ କୁମାର ମିସ୍ତ୍ରୀ, ରାଜୀବ ଜେନା, ମାନସ କୁମାର ସ୍ୱାଇଁ , ମନୋଜ କୁମାର ବେହେରା, ଆନନ୍ଦାନନ୍ଦ ଶଙ୍ଖୁଆ, ରଞ୍ଜନ କୁମାର ମହାନ୍ତି , ତପନ କୁମାର ସିଂହ, ବିକର୍ତ୍ତନ ଲେଙ୍କା , ଯୋଗେଶ୍ୱର ପାଲବାବୁ ପ୍ରମୁଖ ସାମିଲ ଥିଲେ.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0