ରାମଚଣ୍ଡୀ ମନ୍ଦିରର ସାମଗ୍ରିକ ବିକାଶ ପାଇଁ ଜାତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ, ରାଉରକେଲାର ବିଶେଷଜ୍ଞ ଟିମ୍ଙ୍କ କ୍ଷେତ୍ର ଅନୁଧ୍ୟାନ
*ବ୍ରଜରାଜନଗର / ଝାରସୁଗୁଡ଼ା, ୦୩/୦୮(ଫାଷ୍ଟ ନ୍ୟୁଜ ଓଡ଼ିଶା):* ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶକ୍ରମେ ଜିଲ୍ଲାର ପ୍ରସିଦ୍ଧ ରାମଚଣ୍ଡୀ ମନ୍ଦିରର ସମଗ୍ର ବିକାଶ, ସୌନ୍ଦର୍ଯ୍ୟୀକରଣ ଏବଂ ପର୍ଯ୍ୟଟନର ଅଭିବୃଦ୍ଧି ପାଇଁ NIT ରାଉରକେଲାର ଏକ ବିଶେଷଜ୍ଞ ଟିମ୍ ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ନିର୍ମାଣ ଓ ଉନ୍ନୟନମୂଳକ କାର୍ଯ୍ୟର ବୈଷୟିକ ଅଧ୍ୟୟନ କରିଛନ୍ତି। ବ୍ରଜରାଜନଗର ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ଚନ୍ଦ୍ରମଣି ସ୍ୱାଇଁ, R&B ଇଞ୍ଜିନିୟର ଶ୍ରୀ ସୁରଥ ନାୟକ, ମନ୍ଦିର ପୂଜକ ଏବଂ ଅନ୍ୟାନ୍ୟ ବିଭାଗୀୟ ଇଞ୍ଜିନିୟରମାନଙ୍କ ଉପସ୍ଥିତି ଓ ତତ୍ତ୍ୱାବଧାନରେ ଆୟୋଜିତ ଏହି କ୍ଷେତ୍ର ପରିଦର୍ଶନରେ NIT ର ବିଭିନ୍ନ ବିଭାଗର ପ୍ରମୁଖ ପ୍ରଫେସରମାନେ ମଧ୍ୟ ସାମିଲ ହୋଇଥିଲେ। ଏହି ବିଶେଷଜ୍ଞ ଦଳରେ ପ୍ଲାନିଂ ଓ ଆର୍କିଟେକ୍ଚର ବିଭାଗର ପ୍ରଫେସର ବିନୀତ କୁମାର, ମାଇନିଂ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଚରଣ ଆଲା, ଷ୍ଟ୍ରକଚରାଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ବିବେକାନନ୍ଦ ମଣ୍ଡଳ ଏବଂ ଜିଓଟେକ୍ନିକାଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ରବିନାରାୟଣ ବେହେରା ଅନ୍ତର୍ଭୁକ୍ତ ଥିଲେ। ଏହି କ୍ଷେତ୍ର ଅନୁଧ୍ୟାନ ସମୟରେ ବିଶେଷଜ୍ଞ ଦଳ ମନ୍ଦିରର ଗଠନର ସୁରକ୍ଷା, ମାଟିର ଗୁଣବତ୍ତା, ସ୍ଥାପତ୍ୟ କଳାର ବିକାଶ ଏବଂ ଆଖପାଖ ଅଞ୍ଚଳକୁ ଏକ ବୃହତ୍ ପର୍ଯ୍ୟଟନ ସ୍ଥଳୀରେ ରୂପାନ୍ତରିତ କରିବା ପାଇଁ ଆବଶ୍ୟକୀୟ ବୈଷୟିକ ଦିଗ ସମ୍ପର୍କରେ ତଙ୍ଖାନୁତଙ୍ଖ ସମୀକ୍ଷା କରିଛନ୍ତି। କ୍ଷେତ୍ର ଅନୁଧ୍ୟାନ ଶେଷ ହେବା ପରେ NIT ଟିମ୍ ଗୋଟିଏ ବିସ୍ତୃତ ବୈଷୟିକ ରିପୋର୍ଟ ପ୍ରସ୍ତୁତ କରି ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିବେ। ଏହି ରିପୋର୍ଟ ଆଧାରରେ ଖୁବ୍ଶୀଘ୍ର ରାମଚଣ୍ଡୀ ମନ୍ଦିରର ସୌନ୍ଦର୍ଯ୍ୟୀକରଣ, ସୁରକ୍ଷା ଓ ବିକାଶ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି।
ଝାରସୁଗୁଡ଼ା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0