‘ବିକାଶର ଧାରା, ଓଡ଼ିଶା ସାରା’: ନୂଆପଡ଼ାରେ ଜାତି-ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ

Jun 19, 2026 - 21:42
 0  4
‘ବିକାଶର ଧାରା, ଓଡ଼ିଶା ସାରା’: ନୂଆପଡ଼ାରେ ଜାତି-ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ

ନୂଆପଡ଼ା : ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଜନସମ୍ପର୍କ କାର୍ଯ୍ୟକ୍ରମ ‘ବିକାଶର ଧାରା, ଓଡ଼ିଶା ସାରା’ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଜାତି-ଜନଜାତି ସମ୍ବାଦ ବୈଠକ ସ୍ଥାନୀୟ ନ୍ୟାସନାଲ କଲେଜ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ସମୁଦାୟର ବିକାଶ, ସେମାନଙ୍କ ସମସ୍ୟା, ସମ୍ଭାବନା ଓ ଆଗାମୀ କାର୍ଯ୍ୟପନ୍ଥା ଉପରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ସିଡିଓ ଲମ୍ବୋଦର ଧରୁଆ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ସଞ୍ଜୟ ଭୋଇ ଗତ ଦୁଇ ବର୍ଷ ମଧ୍ୟରେ ଅନୁସୂଚିତ ଜାତି ଓ ଜନଜାତିଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା, ଶିକ୍ଷା, ଛାତ୍ରବୃତ୍ତି, ଜୀବିକା ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ ହୋଇଥିବା ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ଆଭିମୁଖ୍ୟ ପ୍ରଦାନ କରିଥିଲେ। ଜ଼ିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ହୋମସିଂ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେl ନିଜ ଅଭିଭାଷଣରେ ଶ୍ରୀ ମାଝୀ ଅନୁସୂଚିତ ଜାତି ଓ ଜନଜାତି ସମୁଦାୟର ଆର୍ଥିକ, ଶିକ୍ଷାଗତ ଓ ସାମାଜିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ବହୁମୁଖୀ ପଦକ୍ଷେପର ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ବେଲମତୀ ମାଝୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ବୋଡେନ ବ୍ଲକ୍ ଉପାଧ୍ୟକ୍ଷା ସଙ୍ଗୀତା ମାଝୀ, ଦର୍ଲିମୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ସନ୍ଧ୍ୟାରାଣୀ ମିର୍ଦ୍ଧା, ଜିଲ୍ଲା ପରିଷଦ ସଦସ୍ୟ ଭରତଲାଲ ରାଉତ ଓ ଭାନୁପ୍ରତାପ ସିଂ ମାଝୀ, ଜିଲ୍ଲା ଡମ୍ବ-ଗଣ୍ଡା ସମାଜ ଏବଂ ଅନୁସୂଚିତ ଜାତି କଲ୍ୟାଣ ସମିତିର ସଭାପତି ହରିକେଶ ଜାଲ, ଏବଂ ଅନୁସୂଚିତ ଜାତି କଲ୍ୟାଣ ସମିତିର ମୁରଲୀ ସୁନା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l ଆଲୋଚନା ଚକ୍ରରେ ଉପସ୍ଥିତ ସମ୍ପ୍ରଦାୟ ପ୍ରତିନିଧି, ହିତାଧିକାରୀ ଓ ଜନପ୍ରତିନିଧିମାନେ ବିଭିନ୍ନ ଉନ୍ନୟନମୂଳକ ପ୍ରସଙ୍ଗରେ ନିଜ ମତାମତ ଓ ପରାମର୍ଶ ଉପସ୍ଥାପନ କରିଥିଲେ। ସମସ୍ତଙ୍କ ସହଭାଗିତା ଓ ସମନ୍ୱିତ ପ୍ରୟାସ ମାଧ୍ୟମରେ ଜିଲ୍ଲାର ସାମଗ୍ରିକ ବିକାଶକୁ ଆହୁରି ଗତିଶୀଳ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସ୍ୱଚ୍ଛ ଭାରତ ଜିଲ୍ଲା ସଂଯୋଜକ ଅନିଲ କୁମାର ଲେଙ୍କା ମଞ୍ଚ ପରିଚାଳନା କରିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ