।। ବାଲିଗୁଡାରେ ରଥଯାତ୍ରା ପାଳିତ : ୧୦ ହଜାରରୁ ଉର୍ଦ୍ଧ ଭକ୍ତ ଙ୍କ ସମାଗମ ।।

Jun 20, 2023 - 20:44
 0  13
।। ବାଲିଗୁଡାରେ ରଥଯାତ୍ରା ପାଳିତ : ୧୦ ହଜାରରୁ ଉର୍ଦ୍ଧ ଭକ୍ତ ଙ୍କ ସମାଗମ ।।

କନ୍ଧମାଳ(କୋରାପୁଟ ପ୍ରଥମ ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଦିନ ତମାମ ପ୍ରବଳ ଖରା ଓ ଗରମରେ ପବିତ୍ର ରଥଯାତ୍ରା ବହୁ ଆଡ଼ମ୍ବର ସହ ପାଳିତ ହୋଇ ଯାଇଛି। ପୂର୍ବ ନିର୍ଘଣ୍ଟ ପ୍ରକାରେ ସକାଳ ୬ଟାରେ ପ୍ରାତଃ ମଙ୍ଗଳ ଆଳତି ପରେ ମଇଲମ, ତଡପଲାଗି, ରୋଷ ହୋମ, ଅବକାଶ ଅନୁଷ୍ଠିତ ହୋଇଥିଲା।

ଏହାପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ କରାଯାଇଥିଲା। ପୂର୍ବାହ୍ନ ୮ ଟାରୁ ୯ ଟା ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ, ଖେଚୁଡ଼ି ଭୋଗ କରାଯିବା ପରେ ରଥ ପ୍ରତିଷ୍ଠା ଅନୁଷ୍ଠିତ ହୋଇଥିଲା। ଏହାପରେ ମଙ୍ଗଳାର୍ପଣ ୯.୩୦ରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ ଓ ଶ୍ରୀମଦନ ମୋହନଙ୍କର ପହଣ୍ଡି ବିଜେ କରି ରଥାରୁଢ଼ କରାଯାଇଥିଲା।

ପରେ ଚିତାଲାଗି ଓ ବେଶଶେଷ ପରେ ଖଣ୍ଡିୟ ବନାଧିକାରୀ ବିଶ୍ୱ ରାଜ ପଣ୍ଡା ରଥରେ ଛେରା ପହଁରା କରିଥିଲେ। ଚାରମାଳ ଫିଟା, ଘୋଡା ଓ ସାରଥୀ ଲାଗିବା ପରେ ଅପରାହ୍ନରେ ରଥଟଣା ଆରମ୍ଭ ହୋଇଥିଲା। ଏଥିରେ ୧୦ ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିଲା l ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତିନୋଟି ରଥ ଟଣାଯାଇଥିଲା, ହେଲେ ସୁଭଦ୍ରା ଙ୍କ ରଥକୁ କେବଳ ମହିଳା ମାନେ ହିଁ ଟାଣିଥିଲେ l

ତେବେ ପ୍ରବଳ ଖରା ଓ ଗରମକୁ ଖାତିର ନକରି ହଜାର ହଜାର ଭକ୍ତ ବହୁ ଆନନ୍ଦ ଓ ଉଲ୍ଲାସର ସହିତ ରଥ ଟାଣିଥିଲେ। ସନ୍ଧ୍ୟା ରେ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା। ମନ୍ଦିର ପରିଚାଳନା ଟ୍ରଷ୍ଟ ର ଟି. ଶ୍ରୀନିବାସ ରାଓ, ମଧୁ ସୂଦନ ଦାସ, ଜୀବାନନ୍ଦ ମହାରଣା, ଲୋକନାଥ ପାଢ଼ୀ, ବିଧାୟକ ଚକ୍ର ମଣି କହଁର,ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଏସଡିପିଓ, ଥାନା ଅଧିକାରୀ ଙ୍କ ସମେତ ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଅବସରରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ ତରଫରୁ ପାନୀୟ ଜଳ, ପଣା ଓ ଭୋଗ ର ବ୍ୟବସ୍ଥା କରାଯାଇଥିଲା l ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ବାଲିଗୁଡା ପୋଲିସ ବିଭାଗ ତରଫରୁ ସମଗ୍ର ସହରରେ କଡାକଡି ପାଟ୍ରୋଲିଙ୍ଗ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ