ନୂଆପଡା ବିଜ୍ଞାପିତ ଅଞ୍ଚଳ ପରିଷଦର ସାଧାରଣ ବୈଠକ ଅନୁଷ୍ଠିତ

Feb 21, 2025 - 05:12
 0  15
ନୂଆପଡା ବିଜ୍ଞାପିତ ଅଞ୍ଚଳ ପରିଷଦର ସାଧାରଣ ବୈଠକ ଅନୁଷ୍ଠିତ

ନୂଆପଡା : ନୂଆପଡା ବିଜ୍ଞାପିତ ଅଞ୍ଚଳ ପରିଷଦର ସାଧାରଣ ବୈଠକ ପରିଷଦ ସଭାଗୃହରେ ଅଧ୍ୟକ୍ଷ ମହମ୍ମଦ ଆଦମ ଖାନ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସମସ୍ତ ୱାର୍ଡ ସଭ୍ୟସଭ୍ୟା ଉପସ୍ଥିତ ଥିଲେ । ରାଜ୍ୟସଭା ସାଂସଦ ପ୍ରତିନିଧି ହରିଶ୍ଚନ୍ଦ୍ର ପଣ୍ଡା ଏବଂ ବିଧାୟକ ପ୍ରତିନିଧି ଜୟଭାଇ ଢୋଲକିଆ ମଧ୍ୟ ଉପସ୍ଥିତ ଥିଲେ । ଅଗ୍ରପୂଜ୍ୟ ଗଜାନନଙ୍କ ପୂଜାର୍ଚନା ପରେ ଅଧ୍ୟକ୍ଷଙ୍କ ଅନୁମତିକ୍ରମେ କାର୍ଯ୍ୟନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାଏକ ସଭା ପରିଚାଳନା କରିଥିଲେ l ଉପସ୍ଥିତ ରାଜ୍ୟସଭା ପ୍ରତିନିଧି ,ବିଧାୟକ ପ୍ରତିନିଧି , ଅଧ୍ୟକ୍ଷ , ଉପାଧ୍ୟକ୍ଷ ଏବଂ ନବ ନିଯୁକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ 2025 ବର୍ଷର ପ୍ରଥମ ସାଧରଣ ବୈଠକରେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରା ଯାଇଥିଲା । ଏହାପରେ ଆଜେଣ୍ଡା ଅନୁସାରେ ବିଭିନ୍ନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ବିଜ୍ଞାପିତ ଅଂଚଳ ପରିଷଦର ପରିମଳ ବ୍ୟବସ୍ଥାକୁ ପ୍ରାଧାନ୍ୟ ଦେଇ ନୂଆପଡା ସହର କିପରି ଚିର ସୁନ୍ଦର ହୋଇପାରିବ ତା ଉପରେ ସମସ୍ତେ ସହଯୋଗ କରିବାକୁ ଇ ଓ ମତପ୍ରକାଶ କରିଥିଲେ। ସଭ୍ୟ ସଭ୍ୟା ମାନେ ନିଜ ନିଜ ୱାର୍ଡର ବହୁବିଧ ସମସ୍ୟା ଉତ୍ଥାପନ କରିଥିଲେ l ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖାଯାଇ ଏହାର ମୁକାବିଲା ପାଇଁ ପ୍ରସ୍ତାବ ଦେଇଥିଲେ । ବିଜ୍ଞାପିତ ଅଞ୍ଚଳ ମଧ୍ୟରେ ଜଳର ଉତ୍କଟ ଅଭାବ ସ୍ଥାନମାନ ଚିହ୍ନଟ କରି ପାନୀୟ ଜଳର ସୁବ୍ୟବସ୍ଥା ଓ ଜନଗହଳି ସ୍ଥାନ ମାନଙ୍କରେ ଉପଯୁକ୍ତ ଓଆରଏସ ସହିତ ଜଳଛତ୍ର ବ୍ୟବସ୍ଥା କରାଯିବାକୁ ସଭାରେ ସ୍ଥିରୀକୃତ ହେଲା । ସହରରେ ଗ୍ରୀଷ୍ମ ପ୍ରବାହର ସଫଳ ମୁକାବିଲା କରାଯିବା ପାଇଁ ନିଷ୍ପତ୍ତି ନିଆଗଲା । ନୂତନ ଭାବରେ ତିଆରି ହୋଇଥିବା ବିଜ୍ଞାପିତ ଅଞ୍ଚଳ ପରିଷଦର କୋଠାକୁ ଶିଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା। ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଯାହା ଦୀର୍ଘଦିନ ଧରି ବନ୍ଦ ରହିଥିଲା ତାହାକୁ କାର୍ଯ୍ୟକ୍ଷମ କରିବା ସହିତ ଖଜଣା ଦେୟ ସଠିକ ଭାବରେ ଓ ଠିକ୍ ସମୟରେ ସଂଗ୍ରହ ପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପରିଷଦ ବର୍ଗ ସଭା ରେ ପ୍ରସ୍ତାବ ଆଗତ କରି ଅନୁରୋଧ ଥିଲେ। ଗାନ୍ଧୀ ଉଦ୍ୟାନକୁ ସୁନ୍ଦର ସବୁଜ କରିବା ସହିତ ଓପନ ଜିମ ଉପକରଣଗୁଡିକୁ ନୂତନ ଭାବରେ କାର୍ଯ୍ୟକ୍ଷମ କରାଯିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା l ଦୈନିକ ବଜାର ଓ ସାପ୍ତାହିକ ବଜାରର ନିଲାମ କରିବା ସହିତ ପରିମଳ ବ୍ୟବସ୍ଥାର ଉନ୍ନତି ପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ୱ ଦିଆଗଲା ଓ ସାପ୍ତାହିକ ବଜାରକୁ ସହରର ମୁଖ୍ୟ ରାସ୍ତା ଠାରୁ ସ୍ଥାନାନ୍ତରଣ କରାଯିବାକୁ ନିଷ୍ପତ୍ତି ନିଆଗଲା l ବସଷ୍ଟାଣ୍ଡ ନିର୍ମାଣ ପାଇଁ ଆସିଥିବା 50,00,000 ଟଙ୍କା ବ୍ୟୟରେ ପୁରାତନ ପୋଲିସ ପଡିଆ ସମ୍ମୁଖରେ ନୂତନ ଦୁଇ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ପ୍ରସ୍ତାବ ଆଗତ କରାଯାଇ ଗୃହୀତ କରାଯାଇଥିଲା l କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ନାଏକ ଦଳମତ ନିର୍ବିଶେଷରେ ସମସ୍ତେ ଆଗକୁ ଆସି ସହରକୁ ସବୁଜ ସୁନ୍ଦର ଏବଂ ପ୍ରାଣବନ୍ତ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରାଗଲା ।

ନୂଆପଦରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ