କୁଇ କ୍ଲାମ୍ବା ଫୁଟବଲ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ:ବେଲଘର ଖେଳ ପଡ଼ିଆରେ ୨ରୁ ୫ ତାରିଖ ଯାଏଁ ଚାଲିବ ପ୍ରତିଯୋଗିତା
ଫୁଲବାଣୀ (ବ୍ୟୁରୋ) ବାଳକୃଷ୍ଣ ଚର୍ଚ୍ଚି: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧରେ କୁଇ କ୍ଲାମ୍ବା ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ ନେଇ ପ୍ରସ୍ତୁତି ବୈଠକ ତୁମୁଡ଼ିବନ୍ଧ ସଭାଗୃହରେ ଅନୁଷ୍ଠିତ ହୋଇଛି। ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନିର୍ଦ୍ଦେଶକ୍ରମେ ବେଲଘର ଖେଳ ପଡ଼ିଆରେ ଆସନ୍ତା ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଏହି ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ଟୁର୍ନାମେଣ୍ଟରେ ଆଦିବାସୀ ସମ୍ପ୍ରଦାୟର ନିର୍ଦ୍ଦିଷ୍ଟ ୯ଟି ବଂଶର ଦଳ ଅଂଶଗ୍ରହଣ କରିବେ। କୁଇ ସମାଜ ମଧ୍ୟରେ ଭାଇଚାରା ଓ ଏକତା ବୃଦ୍ଧି କରିବା ସହ ପୁରୁଣା ବଂଶଜଙ୍କୁ ଖୋଜି ବାହାର କରିବା ଏହି ଟୁର୍ନାମେଣ୍ଟର ମୁଖ୍ୟ ଲକ୍ଷ୍ୟ। ଏଥିସହ ଯୁବପିଢ଼ିଙ୍କ କ୍ରୀଡ଼ା ପ୍ରତିଭାକୁ ଆଗକୁ ଆଣିବା ନେଇ ମଧ୍ୟ ଗୁରୁତ୍ୱ ଦିଆଯିବ। ପ୍ରସ୍ତୁତି ବୈଠକରେ ତୁମୁଡ଼ିବନ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷା ବାସନ୍ତୀ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ନବୀନ ପାତ୍ର, ବିଡିଓ ବନବିହାରୀ ହରପାଲ, କରକୁଡ଼ପା ସରପଞ୍ଚ ବିଶେଷଣ ମାଝୀ, ସମିତି ସଭ୍ୟ ବିନୁଙ୍ଗା ମାଝୀ, ସିର୍ଲା ସରପଞ୍ଚ ନୁସୃଙ୍ଗା ପାଟମାଝୀ, ଝିରିପାଣି ସମିତି ସଭ୍ୟ ଡଗର ପାତ୍ରଙ୍କ ସମେତ ଗୁମା ଓ ବେଲଘର ସରପଞ୍ଚ ଉପସ୍ଥିତ ଥିଲେ। ଏହାସହ କୋଟଗଡ଼ WEO ଦୀପକ କୁମାର ସିଙ୍ଗ, ଏନଆରଇଜିଏ ଆସିଷ୍ଟାଣ୍ଟ ଅଶ୍ୱିନୀ କୁମାର ଦାଶ, ପୁଲିସ ଏଏସଆଇ ବିଶ୍ୱନାଥ ମାଦାଙ୍ଗିଙ୍କ ସମେତ ଅନ୍ୟାନ୍ୟ ଜନପ୍ରତିନିଧି ଓ ଅଧିକାରୀ ଉପସ୍ଥିତ ଥିଲେ। ଟୁର୍ନାମେଣ୍ଟକୁ ସଫଳ କରିବା ପାଇଁ ଖେଳ ପଡ଼ିଆ ପ୍ରସ୍ତୁତି, ଖେଳାଳିଙ୍କ ସୁବିଧା, ମ୍ୟାଚ୍ର ଶୃଙ୍ଖଳିତ ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥା ନେଇ ବୈଠକରେ ଆଲୋଚନା ହୋଇଥିଲା। ବୈଠକଟିକୁ WEO ମଙ୍ଗଳାଚରଣ ଲେଙ୍କା ପରିଚାଳନା କରିଥିଲେ। ଟୁର୍ନାମେଣ୍ଟକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ାଯାଇଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0