ଉତ୍କଳ ସାମ୍ବାଦିକ ସଂଘର ମାଲକାନଗିରି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ସାମ୍ବାଦିକତା ଓ ଜନସେବାମୂଳକ କାର୍ଯ୍ୟକୁ ଅଧିକ ଗୁରୁତ୍ୱ

Sep 2, 2026 - 21:32
 0  1
ଉତ୍କଳ ସାମ୍ବାଦିକ ସଂଘର ମାଲକାନଗିରି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ସାମ୍ବାଦିକତା ଓ ଜନସେବାମୂଳକ କାର୍ଯ୍ୟକୁ ଅଧିକ ଗୁରୁତ୍ୱ

ମାଲକାନଗିରି,୨।୯ : ଉତ୍କଳ ସାମ୍ବାଦିକ ସଂଘ, ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଅଶୋକ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସମ୍ପାଦକ ଶ୍ରୀନିବାସ ପାତ୍ର, କୋଷାଧ୍ୟକ୍ଷ ହୃଷୀକେଶ ଶେଠୀ, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ମଲ୍ଲ ଏବଂ ବରିଷ୍ଠ ଉପଦେଷ୍ଟା ରତ୍ନାକର ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲାର ୭ଟି ବ୍ଲକରୁ ୬୦ରୁ ଅଧିକ ସଦସ୍ୟ ବୈଠକରେ ଯୋଗଦେଇଥିଲେ।ବୈଠକରେ ଜିଲ୍ଲା ସଂଘର ବିଭିନ୍ନ ସାଂଗଠନିକ ଓ ସେବାମୂଳକ କାର୍ଯ୍ୟକଳାପ ଉପରେ ବ୍ୟାପକ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ସାମ୍ବାଦିକତା ସହ ଜନସେବାମୂଳକ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦେଇ କାର୍ଯ୍ୟକ୍ରମ ଜାରି ରଖିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ବିଗତ ଦିନରେ କାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରରେ କୁଲର ବଣ୍ଟନ, ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା, ବଡ଼ଯାତ୍ରା ସମୟରେ ଶ୍ରଦ୍ଧାଳୁମାନଙ୍କୁ ମୃଦୁପାନୀୟ ବଣ୍ଟନ ଓ ଚାରାରୋପଣ ଭଳି କାର୍ଯ୍ୟଗୁଡ଼ିକୁ ଭବିଷ୍ୟତରେ ମଧ୍ୟ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ଆସନ୍ତା ୫ ତାରିଖ ଗୁରୁ ଦିବସ ଅବସରରେ କାଲିମେଳାଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ଜିଲ୍ଲା ସଂଘର ନିଜସ୍ୱ କାର୍ଯ୍ୟାଳୟ ଗୃହ ନିର୍ମାଣ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏହା ପାଇଁ ସ୍ଥାନ ଚୟନ ସରିଥିବାରୁ ଖୁବ୍ ଶୀଘ୍ର ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା, ଖବର ସଂଗ୍ରହ ଓ ପରିବେଷଣ ସମୟରେ ସୃଷ୍ଟି ହେଉଥିବା ବାଧାବିଘ୍ନ ଏବଂ ସାମ୍ବାଦିକ ବୃତ୍ତିର ବିଭିନ୍ନ ଦିଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବିଶେଷକରି ନୂତନ ସାମ୍ବାଦିକମାନଙ୍କୁ ସାମ୍ବାଦିକତାର ନୀତି, ଆଦର୍ଶ ଓ ନିୟମାବଳୀ ସମ୍ପର୍କରେ ଅବଗତ କରାଇବା ପାଇଁ ଖୁବ୍ ଶୀଘ୍ର ଏକ କର୍ମଶାଳା ଆୟୋଜନ କରିବା ନେଇ ଆଲୋଚନା ହୋଇଥିଲା। ଏହାଛଡ଼ା ରାଜ୍ୟର ସାମ୍ବାଦିକମାନଙ୍କ ପାଇଁ ପ୍ରଚଳିତ ‘ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା’କୁ ଅପରିବର୍ତ୍ତିତ ରଖି ଏହାର ନବୀକରଣ କରାଯାଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ସଂଘର ସେବାମୂଳକ କାର୍ଯ୍ୟକଳାପ ପ୍ରତି ଆକର୍ଷିତ ହୋଇ ୬ ଜଣ ସାମ୍ବାଦିକ ନୂତନ ଭାବେ ସଂଘର ସଦସ୍ୟତା ଗ୍ରହଣ କରିଥିଲେ। ବୈଠକରେ ସେମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଯାଇଥିଲା। ଶେଷରେ ଜିଲ୍ଲା ସମ୍ପାଦକ ଶ୍ରୀ ପାତ୍ର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ