।। ସ୍ୱେଚ୍ଛାସେବୀ ସଙ୍ଗଠନର ଦାବୀ ଅନାହାରରେ ଯୁବକ ମୃତ୍ୟୁ; ପ୍ରଶାସନ ଚୁପ୍ ।।

Apr 22, 2024 - 11:58
 0  68
।। ସ୍ୱେଚ୍ଛାସେବୀ ସଙ୍ଗଠନର ଦାବୀ ଅନାହାରରେ ଯୁବକ ମୃତ୍ୟୁ;  ପ୍ରଶାସନ ଚୁପ୍ ।।

ତାରିଖ: ୧୭/୦୪/୨୦୨୪. ସ୍ଥାନ: ବଲାଙ୍ଗିର। ଫର୍ମାଟ ଏଭିଓ, ବାଇଟ।ବାଇଟ: ୧.. ରବୀନ୍ଦ୍ର ପ୍ରଧାନ, ସ୍ଵେଚ୍ଛାସେବୀ ସଂଗଠନ।ବାଇଟ: ୨.. ଗୋବିନ୍ଦ ଶତପଥୀ, ସ୍ଵେଚ୍ଛାସେବୀ ସଂଗଠନ।ର୍ତ୍ତମାନ ଖରାର ତାତି ସାଙ୍ଗକୁ ନିର୍ବାଚନୀ ତାତି ମୁଣ୍ଡ ଉପରେ। ନେତା ପ୍ରଚାର ଏବଂ ପ୍ରଶାସକ ବ୍ୟସ୍ତ ଏହି ନିର୍ବାଚନୀ ପର୍ବ ଆୟୋଜନରେ। ଅସହାୟ ନିରିହଙ୍କ ଜୀବନ ସଂଗ୍ରାମ କଥା ଏହି ମୁହୂର୍ତ୍ତରେ ଅବା ଆଉ କିଏ ପଚାରେ। ସେ ବି ଜଣେ ଭୋଟର କିନ୍ତୁ ତା' ପାଇଁ କାହାରି ଦରଦ ନାହିଁ। ସହର ଛାତି ଉପରେ ବସବାସ କରୁଥିଲେ ମଧ୍ୟ ଓଳିଏ ଖାଇବା, ଖଣ୍ଡିଏ ବସ୍ତ୍ର ଶରୀର ଢାଙ୍କିବା କି ମୁଣ୍ଡ ଗୁଞ୍ଜିବା ପାଇଁ ଛାୟାଟିଏ ତା' ଭାଗ୍ୟରେ ନାହିଁ। ଏହିପରି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଆଜି ବଲାଙ୍ଗିର ସହର ମଧ୍ୟରେ ଦେଖିବାକୁ ମିଳିଥିଲା। ଖୁଜେନପାଲି-ସାଲେପାଲି ରାସ୍ତା ମଠଖାଇ ଛକ ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ପଡି ରହିଥିଲା ଜଣେ ଅସହାୟ ଯୁବକର ଶବ। ୪/୫ ଦିନ ହେଇଯାଇଥିବା ଶବଟି ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ଟାଉନ ପୋଲିସକୁ ଖବର କରିଥିଲେ। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ସେହି ଯୁବକଟି ସାଲେପାଲି ନିବାସୀ ୨୭ ବର୍ଷୀୟ ଗଣେଷ ବେହେରା ଅଟେ। ତାର ମାଁଙ୍କର ମୃତ୍ୟୁ ହେଇଯାଇଥିବା ବେଳେ ବାପା ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି। ଭେଣ୍ଡିଆ ପୁଅଟି କିଛିଦିନ ଶ୍ରମିକ ଭାବରେ ରୋଜଗାର କରି ପେଟପାଟଣା କରୁଥିଲା। ପରେ ଶରୀର ଅସୁସ୍ଥ ହେବାରୁ ସେହି ପରିତ୍ୟକ୍ତ ଘରେ ୧୫/୨୦ ଦିନ ହେବ ଅଖିଆ ଅପିଆ ନିର୍ବସ୍ତ୍ର ଅବସ୍ଥାରେ ପଡି ରହିଥିଲା। ପରେ ଅନାହାରରେ ତାର ମୃତ୍ୟୁବରଣ ଘଟି ଯାଇଥିଲା। ଶବଟି ପଚା ସଢା ଅବସ୍ଥାରେ ପୋକ ସାଲୁବାଲୁ ହୋଇ ପଡି ରହିଥିବା ବେଳେ ଦୁର୍ଗନ୍ଧରେ ସ୍ଥାନୀୟ ଅଞ୍ଚଳ ଫାଟି ପଡୁଥିଲା। ଫଳରେ ପୋଲିସ ଅଧିକାରୀ ଉକ୍ତ ଶବକୁ ଟେକି ଶବ ବ୍ୟବଚ୍ଛେଦ କେନ୍ଦ୍ରକୁ ନେବା ପାଇଁ ପୌର ପ୍ରଶାସନର ସହାୟତା ଲୋଡିଥିଲେ। ପୌର ପ୍ରଶାସନର କର୍ମଚାରୀ ଘଟଣାସ୍ଥଳକୁ ଆସିଥିଲେ ହେଁ ଶବକୁ ଦେଖିବା ପରେ ମାନବ ସମ୍ବଳ ଅଭାବ ଦର୍ଶାଇ ହାତ ଟେକି ଦେଇଥିଲେ। ବଲାଙ୍ଗିର ସହରର ୨୧ ଗୋଟି ୱାର୍ଡ ପରିଚାଳନା ଦାୟିତ୍ବରେ ଥିବା ପୌର ପରିଷଦର ଏଭଳି ଅପାରଗତା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ ଅଟେ। ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟ ମାନେ ଘଟଣାସ୍ଥଳରେ ପହଞ୍ଚି ଥିଲା। ୪୦° ପ୍ରଚଣ୍ଡ ରୌଦ୍ରତାପରେ ପିପିଇ କିଟ୍ ଧାରଣ କରି ପରେ ସେହି ପରିତ୍ୟକ୍ତ ଘରେ ପ୍ରବେଶ କରି ଶବକୁ ଉଦ୍ଧାର କରିଥିଲେ। ଏଠି ସୂଚନାଯୋଗ୍ୟ ଯେ, ଗତ ୪ ଏପ୍ରିଲରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ସେହି ପରିତ୍ୟକ୍ତ ଘରେ ନିର୍ବସ୍ତ୍ର ପଡି ରହିଥିବା ସେହି ଅସହାୟ ଯୁବକକୁ ଉଦ୍ଧାର କରିବା ପରେ ବସ୍ତ୍ର ପରିଧାନ କରାଇ ଖାଇବା ପିଇବା ଦେଇ ଆମ୍ବୁଲାନ୍ସ ଯୋଗେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନେଇଥିଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ। ସେଠାରେ ପ୍ରାଥମିକ ଚିକିତ୍ସା କରାଇବା ସହ ଡାକ୍ତରଙ୍କ ଦ୍ଵାରା ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକୀୟ ସାଲାଇନ, ଔଷଧ, ଇଂଜେକସନ ଦିଆଯାଇଥିଲା। ପରେ ତାକୁ ହସ୍ପିଟାଲରେ ଆଡମିଟ କରିଦେବା ପାଇଁ ଡାକ୍ତର ପରାମର୍ଶ କରିବାରୁ ପୁରୁଷ ଭେଷଜ ୱାର୍ଡରେ ଭର୍ତ୍ତି କରାଯାଇଥିଲା ଏବଂ ହସ୍ପିଟାଲସ୍ଥିତ ହେଲ୍ପ ଡେସ୍କକୁ ମଧ୍ୟ ଖବର ଦିଆଯାଇଥିଲା। ଯୁବକଟି ଟିକିଏ ସୁସ୍ଥ ଅନୁଭବ କଲେ ତାର ଆଶ୍ରୟ ବ୍ୟବସ୍ଥା ଦାୟିତ୍ୱ ମଧ୍ୟ ନେଇଥିଲା ସଂଗଠନ। ହେଲେ ସେ ହସ୍ପିଟାଲ କର୍ମଚାରୀଙ୍କ ଅଜ୍ଞାତରେ କିପରି ଓ କେବେ ହସ୍ପିଟାଲରୁ ବାହାରି ପୁଣି ସେହି ପରିତ୍ୟକ୍ତ ଘରକୁ ଆସି ପହଞ୍ଚି ଯାଇଥିଲା ତାର କୌଣସି ତଥ୍ୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପାଖରେ ନାହିଁ। ଅସହାୟ ରୋଗୀଟିଏର ରକ୍ଷଣାବେକ୍ଷଣ ଓ ସୁରକ୍ଷା ଦାୟିତ୍ୱ ମଧ୍ୟ ହସ୍ପିଟାଲ କର୍ମଚାରୀ ନେଇ ନ ପାରିବା ଏକ ଦୁର୍ଭାଗ୍ୟଜନକ ବିଷୟ। ଯାହାକି ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ବାରମ୍ବାର ଦାବି କରି ଆସୁଛି।

 ବଲାଙ୍ଗିର ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ