ମାନବିକତାର ପରିଚୟ ଦେଲା ସ୍ୱାକ୍; ୧୦ ବର୍ଷ ଧରି ଅସହାୟ ଜୀବନ ବିତାଉଥିବା ମହିଳାଙ୍କୁ ମିଳିଲା ନୂଆ ଆଶ୍ରୟ
କ . ନୂଆଗାଁ ୨୪/୦୭(ସଲମନ୍ ବିନ୍ଧାଣୀ)କନ୍ଧମାଳ ଜିଲ୍ଲାର ସାରଙ୍ଗଡ଼ ଅଞ୍ଚଳରେ ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ଅସହାୟ ଅବସ୍ଥାରେ ଜୀବନ ବିତାଉଥିବା ଜଣେ ମାନସିକ ରୋଗରେ ଆକ୍ରାନ୍ତ ମହିଳାଙ୍କୁ ସାମାଜିକ ସଂଗଠନ ସୋସିଆଲ ୱର୍କର୍ସ ଏସୋସେଶନ ଅଫ କନ୍ଧମାଳ (ସ୍ୱାକ୍) ପକ୍ଷରୁ ଉଦ୍ଧାର କରାଯାଇ ଚକାପାଦ ବ୍ଲକର ପସରା ପଞ୍ଚ ବଟିକା ସ୍ଥିତ ଯୁବ ଜ୍ୟୋତି ଯୁବକ ସଂଘ ପରିଚାଳିତ ବୃଦ୍ଧାଶ୍ରମରେ ଥଇଥାନ କରାଯାଇଛି। ସୂଚନା ଅନୁଯାୟୀ, ସାରଙ୍ଗଡ଼ ଅଞ୍ଚଳର ସୂର୍ଯ୍ୟକାନ୍ତୀ ଦଳପତି ଦୀର୍ଘଦିନ ଧରି ମାନସିକ ରୋଗରେ ପୀଡ଼ିତ ହୋଇ ପରିବାରଠାରୁ ଦୂରେଇ ଅସହାୟ ଭାବେ ବୁଲୁଥିଲେ। ତାଙ୍କର ସ୍ୱାମୀ, ଜଣେ ପୁଅ ଓ ଦୁଇ ଝିଅ ଥିବା ସତ୍ତ୍ୱେ ମାନସିକ ସମସ୍ୟା କାରଣରୁ ସେ ଘରକୁ ଫେରିବାକୁ ରାଜି ହେଉନଥିଲେ। ସେ ଦୋକାନ ବାରଣ୍ଡାରେ ରହି ଲୋକମାନଙ୍କ ସହାୟତାରେ ଖାଦ୍ୟ ଖାଇ ଜୀବନ ବିତାଉଥିଲେ ଏବଂ ବିଭିନ୍ନ ପୁରୁଣା ସାମଗ୍ରୀ ସଂଗ୍ରହ କରି ନିଜ ପାଖରେ ରଖୁଥିଲେ। ଏହି ଘଟଣା ସମ୍ପର୍କରେ ସୂଚନା ପାଇ ସ୍ୱାକ୍ ଟିମ୍ ସାରଙ୍ଗଡ଼ରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲେ। କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଙ୍କ ନିର୍ଦ୍ଦେଶକ୍ରମେ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପିଲାକା ପଦ୍ମାଙ୍କ ସହଯୋଗରେ ତାଙ୍କୁ ପସରାସ୍ଥିତ ପଞ୍ଚବଟିକା ବୃଦ୍ଧାଶ୍ରମରେ ସୁରକ୍ଷିତ ଭାବେ ଥଇଥାନ କରାଯାଇଛି। ଏହି ମାନବିକ କାର୍ଯ୍ୟରେ ସ୍ୱାକ୍ ସଭାପତି ଆମନ ଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ସାମନ୍ତ ଶେଖର ନାୟକ, ସଦସ୍ୟ ସନ୍ତୋଷ ଦିଗାଲ, ବିବେକାନନ୍ଦ ପ୍ରଧାନ, ଅମରେନ୍ଦ୍ର ନାୟକ, ମନୋଜ ଦିଗାଲ ଓ ପରମାନନ୍ଦ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ସ୍ୱାକ୍ ପକ୍ଷର ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳବାସୀ ବେଶ ପ୍ରଶଂସା କରିବା ସହ ସାମାଜିକ ସଂଗଠନ ମାନଙ୍କ ଏଭଳି ସେବା ମୂଳକ ପ୍ରୟାସ ଅନ୍ୟମାନଙ୍କ ପାଇଁ ପ୍ରେରଣା ଦାୟକ ବୋଲି ମତ ପ୍ରକାଶ କରିଛନ୍ତି I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0