ବ୍ଲକ୍ ରେ "ସାମ୍ବାଦିକଙ୍କୁ ପ୍ରବେଶ ନିଷେଧ" ପୋଷ୍ଟର ଲଗାଯିବା ଘଟଣା,ଜେସିଆଇ ପକ୍ଷରୁ ରାଜସ୍ୱ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

Jan 23, 2025 - 15:58
 0  13
ବ୍ଲକ୍ ରେ "ସାମ୍ବାଦିକଙ୍କୁ ପ୍ରବେଶ ନିଷେଧ" ପୋଷ୍ଟର ଲଗାଯିବା ଘଟଣା,ଜେସିଆଇ ପକ୍ଷରୁ ରାଜସ୍ୱ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

ଭୁବନେଶ୍ୱର:-ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଭିତରକୁ ସାମ୍ବାଦିକଙ୍କୁ ପ୍ରବେଶ ନିଷେଧ ପୋଷ୍ଟର ଲଗାଯିବା ଘଟଣା ସାରା ସାମ୍ବାଦିକ ଜଗତକୁ ନିନ୍ଦିତ କରିଛି। ଏହି ଖବର ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବ୍ଲକ୍ ପ୍ରଶାସନର ଏଭଳି ନିନ୍ଦନୀୟ କାର୍ଯ୍ୟ ଏବଂ ଗଣମାଧ୍ୟମର କଣ୍ଠରୋଧକୁ ବିଭିନ୍ନ ସାମ୍ବାଦିକ ମହଲରେ ନିନ୍ଦା କରାଯାଇଛି। ଏନେଇ ଜାର୍ଣ୍ଣାଲିଷ୍ଟ କାଉନସିଲ୍ ଅଫ୍ ଇଣ୍ଡିଆ ଓଡିଶା ଶାଖା ପକ୍ଷରୁ ରାଜ୍ୟ ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଏହା ପରେ ମନ୍ତ୍ରୀ ନିଜେ ଫୋନ୍ ଯୋଗେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଏହାସହ ସାନଖେମୁଣ୍ଡି ବିଡିଓ ଏବଂ ତହସିଲଦାରଙ୍କୁ ତୁରନ୍ତ ଥାନାରେ ଏଫଆଇଆର ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଘଟଣାର ସଠିକ୍ ତଦନ୍ତ କରି ୭ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାନୀୟ ସାମ୍ବାଦିକଙ୍କ ଅଭିଯୋଗ ପ୍ରକାରେ, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନାଁ ଲେଖି ବ୍ଲକ୍ ପରିସରରେ ଏପରି ପୋଷ୍ଟ ମରାଯାଇଥିଲା। ବିଡ଼ିଓଙ୍କ ପ୍ରକୋଷ୍ଠ, ଅତିରିକ୍ତ ବିଡ଼ିଓଙ୍କ ପ୍ରକୋଷ୍ଠ ସହ ଯନ୍ତ୍ରୀ, ମନରେଗା, ଆବାସ ଯୋଜନା ଭଳି ସମସ୍ତ ବିଭାଗ ସମ୍ମୁଖରେ ଏଭଳି ପୋଷ୍ଟର ଲାଗିଥିଲା। ଖବର ବାଜିବା ପରେ ପୋଷ୍ଟର ଗୁଡିକୁ ବାହାର କରି ଦିଆଯାଇଥିଲା। ତେବେ ଏହି ପୋଷ୍ଟର ମାରିଲା କିଏ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ଜେସିଆଇ ଏହାକୁ ଦୃଢ ନିନ୍ଦା କରିଛି। ଯଦିଓ ବିଡିଓ ଏ ସମ୍ପର୍କରେ କିଛି ଜାଣିନଥିବା ସୂଚନା ଦେଇଛନ୍ତି, କିନ୍ତୁ ଜାଣିଶୁଣି ସାମ୍ବାଦିକଙ୍କୁ ଅପମାନିତ କରିବାକୁ ବ୍ଲକ୍ ପ୍ରଶାସନ ପକ୍ଷରୁ ଏପରି କରାଯାଇଥିବା ସ୍ଥାନୀୟ ସାମ୍ବାଦିକ ମହଲରେ ମତ ପ୍ରକାଶ ପାଇଛି। ଏଭଳି ଘଟଣାକୁ ଵିରୋଧ କରି ଜର୍ଣ୍ଣାଲିଷ୍ଟ କାଉନସିଲ୍ ଅଫ୍ ଇଣ୍ଡିଆ ଓଡିଶା ଶାଖାର ସଦସ୍ୟ ମାନେ ମନ୍ତ୍ରୀଙ୍କୁ ଭେଟି ଅବଗତ କରାଇବା ସହ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ କରିବା ନେଇ ଦାବି ପତ୍ର ପ୍ରଦାନ କରିବା ପରେ ସଂଗଠନର ଏଭଳି ଉଦ୍ୟମକୁ ରାଜ୍ୟର ବିଭିନ୍ନ ସାମ୍ବାଦିକ ମହଲରେ ପ୍ରଶଂସା କରାଯାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ