।। ବୈପାରିଗୁଡାରେ ଗୌଡ଼ ଗର୍ଜନ ସମାବେଶ:ବିଡ଼ିଓ ଏବଂ ତହସିଲଦାରଙ୍କୁ ୭ ଦଫା ଦାବୀ ।।

May 30, 2023 - 15:36
 0  14
।। ବୈପାରିଗୁଡାରେ ଗୌଡ଼ ଗର୍ଜନ ସମାବେଶ:ବିଡ଼ିଓ ଏବଂ ତହସିଲଦାରଙ୍କୁ ୭ ଦଫା ଦାବୀ ।।

ବୈପାରିଗୁଡା, (କୋରାପୁଟ ପ୍ରଥମ ଖବର)୨୯/୫/୨୩- କୋରାପୁଟ ଜିଲ୍ଲା ବୈପାରିଗୁଡା ଠାରେ ଆଜି ଗୌଡ଼ ଗର୍ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ହଜାର ହଜାର ଗୌଡ଼ ଆଜି ବୈପାରିଗୁଡା ରାଜରାସ୍ତାରେ ବିଭିନ୍ନ ଦାବି ନେଇ ଗର୍ଜନ ମଧ୍ୟ କରିଥିଲେ । ପ୍ରଥମେ ବିରଖମ୍ବ ମନ୍ଦିର ଛକ ଠାରୁ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟରେ ପହଂଚି ସମାଜ ପକ୍ଷରୁ ଏକ ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା । ପୁଣି ଶୋଭାଯାତ୍ରା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଫିସରେ ପହଞ୍ଚିଥିଲା । ସେଠାରେ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ପରେ ଶୋଭାଯାତ୍ରା ପାଠାଗାର ଠାରେ ପହଞ୍ଚିଥିଲା ।

 ସେଠାରେ ଏକ ବୈଠକ ଜିଲ୍ଲା କାର୍ଯ୍ୟକାରି ସଭାପତି ସାଥୀରାମ ନାୟକଙ୍କ ପୌରୋହିତ୍ୱରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଯାଦବ ମହାସଭା ଦ୍ୱାରା ଆହୁତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ମଦନ ମୋହନ ନାୟକ, ମୁଖ୍ୟବକ୍ତା ଭାବେ ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ଗୌଡ଼, ସମାନିୟ ଅତିଥି ରୂପେ କବିରାଜ ପରମେଶ୍ୱର ପାତ୍ର ଯୋଗ ଦେଇଥିଲେ । ବ୍ଲକ ସଭାପତି କନ୍ଦା ଗୌଡ଼ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବୈଠକରେ ଆଲୋଚନା ହୋଇଥିଲା ଯେ, ଗତ ୧୬-୦୪-୨୦୨୩ରେ ଜୟପୁର ଦଶହରା ପଡ଼ିଆରେ ଯେଉଁ "ଗୌଡ଼ ଅଧିକାର ସମାବେଶ" ଅନୁଷ୍ଠିତ ହୋଇଥିଲା ତାହାର ସୁଦୂର ପ୍ରସାରୀ ପ୍ରଭାବ ସମାଜରେ ପଡ଼ିଛି । କିନ୍ତୁ ଏଥିରେ ସମାଜ ଖୁସି ନାହିଁ । କାରଣ ଯେଉଁ ଦାବି ନେଇ ଏହି ଆନ୍ଦୋଳନ ଆରମ୍ଭ, ସେଥିରେ କିଛି ସଫଳତା ମିଳିନାହିଁ । ପରବର୍ତ୍ତୀ କାଳରେ ସମାଜ ପକ୍ଷରୁ କୋରାପୁଟ ଜିଲ୍ଲାପାଳଙ୍କୁ ୧୮-୪-୨୩ରେ ଏବଂ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ୨-୫-୨୦୨୩ ତାରିଖରେ ଦାବିପତ୍ର ପ୍ରଦାନ କରାଯାଇଛି । କିନ୍ତୁ ସରକାରୀ କଳରୁ କୌଣସି ସୁଫଳ ମିଳିନାହିଁ । ତେଣୁ ଆନ୍ଦୋଳନକୁ ବ୍ଲକସ୍ତର ଯାଏଁ ନେବାକୁ ସ୍ଥିର ହୋଇଛି । ଏହି କ୍ରମରେ ପ୍ରଥମ ବ୍ଲକ ଭାବେ ବୈପାରିଗୁଡା ଠାରେ "ଗୌଡ଼ ଗର୍ଜନ ସମାବେଶ" ଅନୁଷ୍ଠିତ ବୋଲି କୁହାଯାଇଛି । ପୁଣି ସମାଜ ପକ୍ଷରୁ କୁହାଯାଇଛି ଯେ, ଅବିଭକ୍ତ କୋରାପୁଟ ଜିଲ୍ଲା ଜନସଂଖ୍ୟାର ୨୨ ପ୍ରତିଶତ ହେଉଛନ୍ତି ଗୌଡ଼ ।ସେମାନଙ୍କ ଚାଲିଚଳଣି, ଜୀବନଶୈଳୀ, ସାମାଜିକ ସ୍ଥିତି, ଆର୍ଥିକ ମାନଦଣ୍ଡକୁ ତର୍ଜମା କଲେ ଜଣାଯାଏ, ଅନ୍ୟ ଜାତି ମାନଙ୍କ ତୁଳନାରେ ବହୁ ପଛରେ , ସରକାର ସେମାନଙ୍କୁ ୨୦୮ ଜାତି ମଧ୍ୟରେ ପଛୁଆ ବର୍ଗ ଅନ୍ତର୍ଭୁକ୍ତ କରିଛନ୍ତି, ଯଦ୍ୱାରା କୌଣସି କ୍ଷେତ୍ରରେ ବି ସେମାନଙ୍କୁ ଭାଗ ମିଳୁ ନାହିଁ । ପ୍ରତି କ୍ଷେତ୍ର ଶିକ୍ଷା ହେଉ କି ଚାକିରୀ କିମ୍ବା ରାଜନୀତି, ଗୌଡ଼ ଭାଗିଦାରୀ ଜିଲ୍ଲାରେ ୧ ପ୍ରତିଶତ ବି ନାହିଁ । ସଂସଦରେ ରାଜ୍ୟରୁ ଗୌଡ଼ ଲୋକ ନାହାନ୍ତି, ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ବି କେହି ନାହିଁ, ଏପରିକି ବିଧାନସଭାରେ ବି ସ୍ଥିତି ନ କହିବା ଭଲ । ଏହିସବୁ କାରଣ ଯୋଗୁଁ ଶାସନତନ୍ତ୍ରକୁ ନେଇ ନିସଙ୍ଗତ ମନେ କରୁଥିବା ଗୌଡ଼ ମାନେ କହିଛନ୍ତି । ତେଣୁ ସେମାନଙ୍କ ୭ ଦଫା ମୁଖ୍ୟମନ୍ତ୍ରୀ ଶୁଣନ୍ତୁ ବୋଲି ବୈଠକରେ ଆଲୋଚନା ହୋଇଛି । ଦାବି ମଧ୍ୟରେ ଗୌଡ଼କୁ "ଗିରିଜନ" ମାନ୍ୟତା ସହ ସବୁ କ୍ଷେତ୍ରରେ ସଂଖ୍ୟା ଆଧାରରେ ଭାଗିଦାରୀ ମିଳିବାର ବ୍ୟବସ୍ଥା, ଜାଗା ମିସନ ଢାଞ୍ଚାରେ ଗୌଡ଼ଙ୍କୁ ନିଜ ଅଧୀନରେ ଥିବା ଜମିର ପଟ୍ଟା ମିଳୁ । ଗୌଡ଼ କୌଳିକ ବୃତ୍ତିକୁ ସମ୍ପର୍କ ରଖୁଥିବା ଗୋଚର, ଗୋଧଡ଼ସ ଜମି ଜବରଦଖଲ ମୁକ୍ତ ହେଉ ।ଗଉଡ଼ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଆବାସିକ ବିଦ୍ୟାଳୟ ପ୍ରତି ପଂଚାୟତରେ ପ୍ରତିଷ୍ଠା ସହ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉ ।ରାଜ୍ୟରେ ଗୋ-ସେବା ଆୟୋଗ ପ୍ରତିଷ୍ଠା ସହ ଓମ୍ଫେଡ଼ର ସମ୍ପୂର୍ଣ୍ଣ ଦାୟିତ୍ୱ ଗୌଡ଼ଙ୍କୁ ଦିଆଯାଉ । ଏସ୍ଡିସି ଢାଞ୍ଚାରେ "ଗୌଡ଼ ଉନ୍ନୟନ ପରିଷଦ" ଗଠନ ହେଉ ଏବଂ ସଂସଦରେ ଗୌଡ଼ ସ୍ୱର ଉଠାଇବାକୁ ଜଣେ ଗୌଡ଼ ଲୋକଙ୍କୁ ରାଜ୍ୟସଭାକୁ ପ୍ରେରଣ ବ୍ୟବସ୍ଥା ହେଉ ବୋଲି କୁହାଯାଇଛି । ଏଥିରେ ଡମ୍ବୁରୁ ଗୌଡ଼, କାର୍ଯ୍ୟକାରୀ ସଭାପତି ଲଳିତ ଗୌଡ଼, ଉପ ସଭାପତି ଧନ ଗୌଡ଼ ହର ଗୌଡ଼, ସାଧାରଣ ସମ୍ପାଦକ ପୀତବାସ ଗୌଡ଼, ସଙ୍ଗଠନ ସମ୍ପାଦକ ଘନ ଗୌଡ଼, କୋଷାଧ୍ୟକ୍ଷ ଡମୁରୁ ଗୌଡ଼, ସମ୍ପାଦକ ଗୁରୁ ଗୌଡ଼, ଭୋଗନାଥ ଗୌଡ଼, କାମୁଳୁ ଗୌଡ଼, ଅର୍ଜୁନ ହନ୍ତାଳ, ପଦଲମ ଗୌଡ଼, ଫଗୁଲାଲ ଗୌଡ଼, ଉଦୟ ନାଥ ମହାଙ୍କୁଡ଼ ପ୍ରମୁଖ ଉପସ୍ଥିତ ଥିଲେ ।

କୋରାପୁଟ ରୁ ବାବୁଲା ଖିଲଙ୍କ ରିପୋର୍ଟ କୋରାପୁଟ ୧ମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ