ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ପାଇଁ ଦାବି: ଖାଲଖମା ରାସ୍ତା ହିଁ ଭରସା, ପ୍ରଶାସନର ଦୃଷ୍ଟି କେବେ ପଡ଼ିବ ଅପେକ୍ଷାରେ

Jun 13, 2026 - 17:58
 0  24
ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ପାଇଁ ଦାବି: ଖାଲଖମା ରାସ୍ତା ହିଁ ଭରସା, ପ୍ରଶାସନର ଦୃଷ୍ଟି କେବେ ପଡ଼ିବ ଅପେକ୍ଷାରେ

ଫିରିଙ୍ଗିଆ, ୧୩/୦୬ (ସଲମନ୍ ବିନ୍ଧାଣୀ): କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ସାମଗ୍ରିକ ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଗାଁକୁ ଗାଁ ରାସ୍ତା ସଂଯୋଗ କରୁଥିବା ବେଳେ ଆଜି ମଧ୍ୟ କିଛି ଗାଁ ପକ୍କା ରାସ୍ତା ସୁବିଧାରୁ ବଞ୍ଚିତ ରହିଛି। ସେପଟେ ଶାସକ ଦଳର ନେତା ମନ୍ତ୍ରୀ ମାନେ ବିକାଶର କଥା କହୁଥିବା ବେଳେ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ ବିକାଶର ମୌଳିକ ସୁବିଧା ଏହାପଛର କାରଣ ହେଇପାରେ ବିଭାଗୀୟ ଅବହେଳା ଯୋଗୁଁ ଅନେକ ଦୁର୍ଗମ ଅଞ୍ଚଳକୁ ଏପର୍ଯ୍ୟନ୍ତ ରାସ୍ତା ପହଞ୍ଚି ପାରିନଥିବାରୁ ସେଠାକାର ଲୋକେ ଖାଲଖମା ଓ ମାଟି ରାସ୍ତା ଉପରେ ନିର୍ଭର କରି ଜୀବନଯାପନ କରୁଛନ୍ତି।ଏଭଳି ସମସ୍ୟା କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଭୃଙ୍ଗିଜଡ଼ି ପଞ୍ଚାୟତର କଡୁରାହା ଛକରୁ କରୁକଜା ଓ ଗାଜୁରୁଘାଟି ପର୍ଯ୍ୟନ୍ତ ରାସ୍ତାରେ ଦେଖିବାକୁ ମିଳିଛି। କଡୁରାହା ଛକରୁ ପ୍ରାୟ ୪ କିଲୋମିଟର ଦୂର ଏହି ରାସ୍ତା ଉପରେ ଡହିଙ୍ଗିଆ, ଡାଡିଲାଇ, ମହଲିଙ୍ଗିଆ, କରୁକଜା, ଗଣିବାଲି ଓ ଗାଜୁରୁଘାଟି ଭଳି ଗାଁ ଓ ସାହିର ଲୋକେ ବର୍ଷସାରା ଯାତାୟାତ କରିଥାନ୍ତି ।ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଭତ୍ତା, ରାସନ ସାମଗ୍ରୀ ଆଣିବା, ପଞ୍ଚାୟତ କିମ୍ବା ବ୍ଲକ କାର୍ଯ୍ୟାଳୟକୁ ଯିବା ସହ ଅନ୍ୟାନ୍ୟ ଜରୁରୀ କାମ ପାଇଁ ଏହି ରାସ୍ତା ହିଁ ଏକମାତ୍ର ଭରସା। ବିଶେଷକରି ବର୍ଷା ଦିନେ ରାସ୍ତା କାଦୁଅ ଓ ପଚପଚ ହୋଇଯାଉଥିବାରୁ ଯାତାୟାତ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼େ। ଅନେକ ସମୟରେ ବାଇକ୍ ଚଳାଚଳ ତ ଦୂରର କଥା, ପାଦରେ ଚାଲି ଯିବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ଫଳରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ସମେତ ଅନ୍ୟାନ୍ୟ ସରକାରୀ ସୁବିଧା ଗ୍ରାମଗୁଡ଼ିକରେ ଠିକ୍ ସମୟରେ ପହଞ୍ଚି ପାରୁନାହିଁ। ଏହି ପରିପ୍ରେକ୍ଷୀରେ କଡୁରାହା ଛକରୁ କରୁକଜା ଓ ଗାଜୁରୁଘାଟି ପର୍ଯ୍ୟନ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (PMGSY) ଅଧୀନରେ ସାମିଲ କରି ପକ୍କା ରାସ୍ତା ନିର୍ମାଣ କରିବାକୁ ଅଞ୍ଚଳବାସୀ ଦୀର୍ଘଦିନ ଧରି ଦାବି କରିଆସୁଛନ୍ତି। ତେବେ ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ସକାରାତ୍ମକ ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ ହୋଇଛି।ତେଣୁ ପ୍ରଶାସନ ଏହି ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଉକ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0