ଜମି ଜାଲିଆତି ମାମଲାରେ ଆଉ ୩ ଗିରଫ

Sep 15, 2026 - 12:28
 0  3
ଜମି ଜାଲିଆତି ମାମଲାରେ ଆଉ ୩ ଗିରଫ

ନୂଆପଡ଼ା ଜିଲ୍ଲା କୋମନା ତହସିଲ ଅନ୍ତର୍ଗତ ଚାନ୍ଦୋପଲା ଗାଁର ୪ ଏକର ୪୦ ଡିସିମିଲ ଜମି ଜାଲିଆତି ମାମଲାରେ କୋମନା ପୁଲିସ ଆଉ ୩ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହାକୁ ମିଶାଇ ମାମଲାରେ ଏପର୍ଯ୍ୟନ୍ତ ମୋଟ 7 ଜଣ ଗିରଫ ହୋଇଛନ୍ତି । ଏହି ଘଟଣା ସମ୍ପର୍କରେ କୋମନା ଉପନିବନ୍ଧକ ସର୍ବେଶ୍ୱର ଜାଲ ପ୍ରଥମ ସୂଚନା ଦେଇଥିଲେ । ଅଭିଯୋଗ ଆଧାରରେ କୋମନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ଆଗକୁ ବଢ଼ିବା ସହ ମାମଲାରେ ଜଡ଼ିତ ଥିବା ଅଭିଯୋଗ ଥିବା ବ୍ୟକ୍ତିମାନେ ପୁଲିସ ଜାଲରେ ପଡ଼ୁଛନ୍ତି। ଗତକାଲି ରାତିରେ ମାମଲାର ମାଷ୍ଟରମାଇଣ୍ଡ ଭାବେ ଅଭିଯୋଗ ଥିବା ସନ୍ତୋଷ କୁମାର ଦୁରିଆଙ୍କୁ ତାଙ୍କ ନିଜ ଗାଁ ପେଣ୍ଡରାବନରୁ ପୁଲିସ ଗିରଫ କରିଥିଲା । ସେହିପରି ବୋଡ଼େନ ଥାନା ଅନ୍ତର୍ଗତ କରଙ୍ଗାମାଲ ଗାଁର ଜମି ଦଲାଲ ରାମଲାଲ ପଣ୍ଡା ଓ ତାଙ୍କ ସହଯୋଗୀ ଜୟସେନ ବାଗଙ୍କୁ ଏକ କାର୍‌ (ଓଡ଼ି-୨୬ ଏଛ-୪୮୫୯) ସହ ଏକ ଛକରୁ ପୁଲିସ ଗିରଫ କରିଥିଲା । ଗିରଫ ରାମଲାଲ ପଣ୍ଡା କରଙ୍ଗାମାଲ ପଞ୍ଚାୟତର ସରପଞ୍ଚ ଥିବା ସହ ଏକ ଘରୋଇ କଲେଜର ପରିଚାଳନା କମିଟିର ସଭାପତି ଥିବା ଜଣାପଡ଼ିଛି । ତାଙ୍କ ସହ ଜୟସେନ ବାଗଙ୍କ ଗିରଫ ଘଟଣା ମଧ୍ୟ ଏହି ମାମଲାର ତଦନ୍ତକୁ ନୂଆ ଦିଗ ଦେଇଛି । କୋମନା ଥାନା ଆଇଆଇସି ଶ୍ରୀବଲ୍ଲଭ ସାହୁଙ୍କ ସୂଚନା ଅନୁଯାୟୀ, ଗିରଫ ହୋଇଥିବା ସନ୍ତୋଷ କୁମାର ଦୁରିଆ, ରାମଲାଲ ପଣ୍ଡା ଓ ଜୟସେନ ବାଗଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ଏହା ପୂର୍ବରୁ ନକଲି ସତ୍ୟ ପ୍ରଧାନୀ ଭାବେ ଅଭିଯୋଗ ଥିବା ତୁମାଲ ରଣା, ତାଙ୍କ ଭରଣୀ ସାଜିଥିବା ଦେଓଦରା ଗ୍ରାମର ଦେଓମତି ମାଝୀ ଏବଂ ଜମି ଦଲାଲ ସୋଲବନ୍ଧ ଗ୍ରାମର ଦୁଲୁଭ ନିଆଲ ଓ ସମରସିଂ ଗ୍ରାମର ତୁଳସୀ ରଣାଙ୍କୁ ପୁଲିସ ପୂର୍ବରୁ ଗିରଫ କରିଛି । ମାମଲାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଏହି ଜାଲିଆତି ପଛରେ ଆଉ କୌଣସି ବଡ଼ ଚକ୍ର ରହିଛି କି ନାହିଁ, ସେନେଇ କୋମନା ପୁଲିସର ତଦନ୍ତ ଜାରି ରହିଛି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ