କେରଳରାଜ୍ୟରେ କନ୍ଧମାଳର ଦାଦନ ଶ୍ରମିକଙ୍କ ମୃତ୍ୟୁ;ଜିଲ୍ଲାପାଳଙ୍କ ତତ୍ପରତାରେ ରେଡକ୍ରସ ପାଣ୍ଠିରୁ ₹୨୦ ହଜାର ସହାୟତା

Jul 29, 2026 - 15:55
 0  44
କେରଳରାଜ୍ୟରେ କନ୍ଧମାଳର ଦାଦନ ଶ୍ରମିକଙ୍କ ମୃତ୍ୟୁ;ଜିଲ୍ଲାପାଳଙ୍କ ତତ୍ପରତାରେ ରେଡକ୍ରସ ପାଣ୍ଠିରୁ ₹୨୦ ହଜାର ସହାୟତା

ଘୁ.ଉଦୟଗିରି ୨୯/୭/୦୨୬:(ସଲମନ୍ ବିନ୍ଧାଣୀ)କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମପଞ୍ଚାୟତର କଲିନାଯୁ ଗ୍ରାମର ଯୁବକ ସାଗର ପ୍ରଧାନ (୩୪) କେରଳରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବାବେଳେ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଥିବା ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇଛି। ସୂଚନା ଅନୁଯାୟୀ, ସାଗର ପ୍ରଧାନ କେରଳର ଏର୍ଣ୍ଣାକୁଲମ୍ ଜିଲ୍ଲା ଅନ୍ତର୍ଗତ ପେରୁମ୍ବାଭୁର ଅଞ୍ଚଳର ଏକ ନିର୍ମାଣ କମ୍ପାନୀରେ କାର୍ଯ୍ୟରତ ଥିଲେ। ଗତ ୨୭ ଜୁଲାଇ ପୂର୍ବାହ୍ନରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ସହକର୍ମୀମାନେ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସାଗରଙ୍କ ମୃତ୍ୟୁ ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ତାଙ୍କ ବୃଦ୍ଧା ବିଧବା ମା' ପୂର୍ଣ୍ଣିମା ପ୍ରଧାନ (୬୮) ଓ ପତ୍ନୀ ନିଳୀମା କହଁରଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୟନୀୟ ଥିବାରୁ କେରଳରୁ ମୃତଦେହ ଗ୍ରାମକୁ ଆଣିବା, ଶବଦାହ ଓ ଶୁଦ୍ଧିକ୍ରିୟା ସମ୍ପନ୍ନ କରିବା ସେମାନଙ୍କ ପକ୍ଷରେ ସମ୍ଭବ ହୋଇନଥିଲା।

ଏହି ପରିସ୍ଥିତିରେ ପୂର୍ଣ୍ଣିମା ପ୍ରଧାନ କନ୍ଧମାଳ ଜିଲ୍ଲାପାଳଙ୍କ ନିକଟରେ ଏକ ଲିଖିତ ଆବେଦନ କରି ପୁଅଙ୍କ ମୃତଦେହକୁ କେରଳରୁ କଲିନାଯୁ ଗ୍ରାମକୁ ଆଣିବା ସହ ଶବଦାହ ଓ ଶୁଦ୍ଧିକ୍ରିୟା ପାଇଁ ସରକାରୀ ସହାୟତା ପ୍ରଦାନ କରିବାକୁ ନିବେଦନ କରିଥିଲେ। ଆବେଦନ ପାଇବା ପରେ କନ୍ଧମାଳ ଜିଲ୍ଲାପାଳ ମାନବିକ ଦୃଷ୍ଟିକୋଣରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଜିଲ୍ଲା ରେଡକ୍ରସର ଜରୁରୀକାଳୀନ ପାଣ୍ଠିରୁ ₹୨୦ ହଜାର ଟଙ୍କା ଆର୍ଥିକ ସହାୟତା ମଞ୍ଜୁର କରିଥିଲେ। ଏହି ସହାୟତା ମୃତଦେହ ପରିବହନ, ଶବଦାହ ଓ ଅନ୍ୟାନ୍ୟ ଜରୁରୀ ଖର୍ଚ୍ଚରେ ପରିବାର ପାଇଁ ସହାୟକ ହେବ ବୋଲି ଜଣାପଡ଼ିଛି। ଜିଲ୍ଲାପାଳଙ୍କ ତ୍ୱରିତ ଓ ସମ୍ବେଦନଶୀଳ ପଦକ୍ଷେପ ପାଇଁ ସାଗରଙ୍କ ପରିବାର ପକ୍ଷରୁ କୃତଜ୍ଞତା ପ୍ରକାଶ କରାଯାଇଛି। ସେହିପରି ସ୍ଥାନୀୟ ବୁଦ୍ଧିଜୀବୀ ଓ ସମାଜସେବୀମାନେ ମଧ୍ୟ ଏଭଳି ଦୁଃଖଦ ସମୟରେ ଜିଲ୍ଲା ପ୍ରଶାସନଙ୍କ ମାନବିକ ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ଏହି ଘଟଣା ପୁଣିଥରେ କନ୍ଧମାଳ ଜିଲ୍ଲାରୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ ଯାଉଥିବା ଦାଦନ ଶ୍ରମିକମାନଙ୍କ ଦୁର୍ଦ୍ଦଶାକୁ ସାମ୍ନାକୁ ଆଣିଛି। ସ୍ଥାନୀୟ ସ୍ତରରେ ରୋଜଗାର ସୁଯୋଗ ସୃଷ୍ଟି ଏବଂ ଦାଦନ ପ୍ରବଣତା ରୋକିବା ଦିଗରେ ଦୀର୍ଘମିଆଦି ପଦକ୍ଷେପ ନେବାକୁ ବିଭିନ୍ନ ମହଳରୁ ଦାବି ହେଉଛି। ଏହି ଘଟଣାରେ ରଟିଙ୍ଗିଆ ସରପଞ୍ଚ ବିଷ୍ଣୁଦେବ ପ୍ରଧାନ, ଯୁବ ସମାଜସେବୀ ତଥା ସ୍ୱାକ୍ ର ସଭାପତି ଆମନ୍ ଚନ୍ଦ୍ର ନାୟକ, ସମ୍ପାଦକ ହୃଷିକେଶ ପ୍ରଧାନ ଏବଂ ଫିରୋଜ କୁମାର ପ୍ରଧାନ ଜିଲ୍ଲାପାଳ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ମୃତଦେହକୁ ଗ୍ରାମକୁ ଆଣିବା ସହ ପରିବାରକୁ ଜରୁରୀ ସହାୟତା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ