ଆଦିବାସୀଙ୍କ ବିଭିନ୍ନ ମୌଳିକ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆସେକା ପକ୍ଷରୁ ସ୍ମାରକପତ୍ର ପ୍ରଦାନ।

Oct 1, 2026 - 20:00
 0  13
ଆଦିବାସୀଙ୍କ ବିଭିନ୍ନ ମୌଳିକ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆସେକା ପକ୍ଷରୁ ସ୍ମାରକପତ୍ର ପ୍ରଦାନ।

ଆଦିବାସୀ ସାମାଜିକ-ଶିକ୍ଷା ଓ ସାଂସ୍କୃତିକ ସଂଗଠନ (ଆସେକା), ରାଇରଙ୍ଗପୁର ସମେତ ମାଝୀ-ପାରଗାନା, ମୁଣ୍ଡା-ମାଙ୍କି, ପରହା ରାଜା, ଡୋକ୍ଲୋ ସୋହୋର ଏବଂ ମୟୂରଭଞ୍ଜ ତଥା ରାଜ୍ୟର ବିଭିନ୍ନ ଆଦିବାସୀ ସଂଗଠନ ପକ୍ଷରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ୬ ଦଫା ସମ୍ବଳିତ ଦାବିପତ୍ର ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ଆଦିବାସୀ ସମୁଦାୟର ସାମାଜିକ, ସାଂସ୍କୃତିକ ପରିଚୟ, ପାରମ୍ପରିକ ଶାସନ ବ୍ୟବସ୍ଥା ତଥା ସମ୍ବିଧାନର ପଞ୍ଚମ ଅନୁସୂଚୀ ଅନୁଯାୟୀ ପ୍ରଦତ୍ତ ଅଧିକାରର ସୁରକ୍ଷା ପାଇଁ ଏହି ସ୍ମାରକପତ୍ରରେ ଗୁରୁତ୍ୱାରୋପ କରାଯାଇଛି। ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଥିବା ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ହିନ୍ଦୁ ପର୍ସନାଲ ଲ' ଅଧୀନରେ ଆଦିବାସୀମାନଙ୍କ ଉପରେ ଚାପ ପ୍ରୟୋଗ କରି ଜମିଜମା ରେକର୍ଡର "କଲମ ଦୁଇ" ସଂଶୋଧନ କିମ୍ବା ପରିବର୍ତ୍ତନ ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରିବା, ଆଦିବାସୀ ପାରମ୍ପରିକ ନିୟମ ଓ ଗ୍ରାମୀଣ ଶାସନ ବ୍ୟବସ୍ଥାକୁ ସ୍ୱୀକୃତି ଦେବା ଏବଂ ସ୍ୱର୍ଗତ ଆଦିବାସୀ ମହିଳାଙ୍କ ଉତ୍ତରାଧିକାରୀମାନଙ୍କୁ ଆରଓଆରରେ ନାମ ଥାଇ ମଧ୍ୟ ସାମିଲ ନକରିବା ବିଷୟ ଅନ୍ତର୍ଭୁକ୍ତ। ଏହା ସହିତ ସାରନା ଧର୍ମ କୋଡ୍ ପ୍ରଦାନ କରିବା, ପେସା ଖସଡ଼ା ଆଇନର ସଂଶୋଧନ, ଆଦିବାସୀମାନଙ୍କୁ ସମାନ ନାଗରିକ ସଂହିତା ପରିସରରୁ ସମ୍ପୂର୍ଣ୍ଣ ବାଦ୍ ରଖିବା, ପୋଷ୍ଟ ମାଟ୍ରିକ ସ୍କଲାରସିପ୍ ଅନଲାଇନ୍ ପୋର୍ଟାଲର ତ୍ରୁଟି ସଂଶୋଧନ ଓ ଆବଶ୍ୟକ ସ୍ଥଳେ ନିଲମ୍ବନ କରିବା ତଥା ଜାତୀୟ ଶିକ୍ଷା ନୀତି ୨୦୨୦ ଏବଂ ଏନସିଇଆରଟି ଢାଞ୍ଚା ଅନୁଯାୟୀ ଓଡ଼ିଶା ରାଜ୍ୟ ବୋର୍ଡ ଅଧୀନରେ କେଜିରୁ ଯୁକ୍ତ ଦୁଇ (+2) ପର୍ଯ୍ୟନ୍ତ ସାନ୍ତାଳୀ ଭାଷାକୁ ଏକ ମୁଖ୍ୟ ବିଷୟ ଭାବେ ଅନ୍ତର୍ଭୁକ୍ତ କରିବା ସହ ତୁରନ୍ତ ଅଲ୍ ଚିକି ଲିପିରେ ଉଚ୍ଚ ମାଧ୍ୟମିକ ପାଠ୍ୟପୁସ୍ତକ ମୁଦ୍ରଣ କରିବା ଆଦି ଦାବି ରହିଛି। ଏହି ମୌଳିକ ଦାବିଗୁଡ଼ିକ ଉପରେ ରାଜ୍ୟ ସରକାର ଶୀଘ୍ର ଦୃଷ୍ଟି ଦେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସଂଗଠନ ପକ୍ଷରୁ ଦୃଢ଼ ଦାବି ଉପସ୍ଥାପନ କରାଯାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ