ଅନୁମତି ବିନା ନୀଳଗିରି (ଇୟୁକାଲିପ୍ଟସ) ଗଛ କାଟିବା ଅଭିଯୋଗରେ ଫରେଷ୍ଟର ନିଲମ୍ବିତ
ନବରଙ୍ଗପୁର ଜିଲ୍ଲା ଝରିଗାଁ ବନାଞ୍ଚଳରେ ଅନୁମତି ବିନା ଇୟୁକାଲିପ୍ଟସ ଗଛ କାଟିବା ଅଭିଯୋଗରେ ଜଣେ ଫରେଷ୍ଟର ନିଲମ୍ବିତ। ଦେଓବନ୍ଧା–ଜମାଦାରପଡ଼ା ରାସ୍ତା କଡ଼ରୁ ୨୦ଟି ଗଛ କାଟି ୪୭ଟି କାଠ ଗଣ୍ଡି ମିଳିଥିବା ନେଇ ରିପୋର୍ଟ ଆସିବା ପରେ ବନ ବିଭାଗ ଏହି ପଦକ୍ଷେପ ନେଇଛି। ମୋହରା ସେକ୍ସନରେ କାର୍ଯ୍ୟରତ ଫରେଷ୍ଟର ବିପିନ କୁମାର ହରିଜନଙ୍କୁ ସେପ୍ଟେମ୍ବର ୧୮ ତାରିଖ ଅପରାହ୍ନରୁ ନିଲମ୍ବନ କରାଯାଇଛି। ନବରଙ୍ଗପୁର ଡିଏଫଓ ଉଦୟନ ସୁବୁଦ୍ଧିଙ୍କ ପକ୍ଷରୁ ଜାରି କାର୍ଯ୍ୟାଳୟ ଆଦେଶରେ ତାଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ ପ୍ରକ୍ରିୟା ଆରମ୍ଭ ହେବା ନେଇ ଦର୍ଶାଯାଇଛି। ଝରିଗାଁ ରେଞ୍ଜ ଅଧିକାରୀ ଅଗଷ୍ଟ ୩୧ ତାରିଖରେ ଡିଏଫଓଙ୍କୁ ଦେଇଥିବା ରିପୋର୍ଟ ଅନୁଯାୟୀ, ଦେଓବନ୍ଧା–ଜମାଦାରପଡ଼ା ରାସ୍ତାର ବିଭିନ୍ନ ସ୍ଥାନରୁ ୨୦ଟି ଇୟୁକାଲିପ୍ଟସ ଗଛ କଟାଯାଇଥିଲା। ଏଥିରୁ ୪୭ଟି କାଠ ଗଣ୍ଡି ମିଳିଥିବା ବେଳେ, ଆବଶ୍ୟକ ଅନୁମତି ନିଆଯାଇନଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ରାସ୍ତା ପ୍ରଶସ୍ତୀକରଣ ପାଇଁ ଗଛ କଟାଯାଇଥିବା ନେଇ ଯୁକ୍ତି ଦିଆଯାଇଥିଲେ ମଧ୍ୟ, ଏହି ରାସ୍ତା ପ୍ରଶସ୍ତୀକରଣ ସମ୍ପର୍କରେ ବନ ବିଭାଗ ନିକଟକୁ କୌଣସି ପ୍ରସ୍ତାବ ଆସିନଥିବା ରେଞ୍ଜ ଅଧିକାରୀଙ୍କ ରିପୋର୍ଟରେ କୁହାଯାଇଛି। ଘଟଣାକୁ ନେଇ ଫରେଷ୍ଟର ବିପିନ କୁମାର ହରିଜନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ସ୍ପଷ୍ଟୀକରଣ ମଗାଯାଇଥିଲା। ତାଙ୍କ ଉତ୍ତର ସନ୍ତୋଷଜନକ ନ ଥିବା ଦର୍ଶାଇ ବିଭାଗ ପକ୍ଷରୁ ନିଲମ୍ବନ ଆଦେଶ ଜାରି ହୋଇଛି। ନିଲମ୍ବନ ଅବଧିରେ ବିପିନ କୁମାର ହରିଜନ ନବରଙ୍ଗପୁର ଡିଏଫଓଙ୍କ କାର୍ଯ୍ୟାଳୟରେ ମୁଖ୍ୟାଳୟ ରଖିବେ। ଅନ୍ୟପକ୍ଷରେ, କଟାଯାଇଥିବା ୨୦ଟି ଗଛରୁ ମିଳିଥିବା ସମସ୍ତ ୪୭ଟି କାଠ ଗଣ୍ଡି ବନ ବିଭାଗ ଜବତ କରିଥିବା ରେଞ୍ଜ ଅଧିକାରୀଙ୍କ ରିପୋର୍ଟରେ ଦର୍ଶାଯାଇଛି। ଏହି ଘଟଣାକୁ ନେଇ ବିଭାଗୀୟ ତଦନ୍ତ ଓ ଶୃଙ୍ଖଳାଗତ ପ୍ରକ୍ରିୟା ଆଗକୁ ବଢ଼ିବାକୁ ଥିବା ବେଳେ, ରାସ୍ତା କାମ ପାଇଁ ଗଛ କାଟିବା ପୂର୍ବରୁ ଆବଶ୍ୟକ ଅନୁମତି ଓ ନିୟମ ପାଳନ ନେଇ ପ୍ରଶ୍ନ ଉଠିଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0