ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ସମନ୍ୱିତ ପଦକ୍ଷେପ ଉପରେ ଗୁରୁତ୍ୱ:ଜିଲ୍ଲା ସଡ଼କ ସୁରକ୍ଷା କମିଟିର ସମୀକ୍ଷା ବୈଠକ,ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ନିର୍ଦ୍ଦେଶ

Jul 28, 2026 - 21:32
 0  7
ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ସମନ୍ୱିତ ପଦକ୍ଷେପ ଉପରେ ଗୁରୁତ୍ୱ:ଜିଲ୍ଲା ସଡ଼କ ସୁରକ୍ଷା କମିଟିର ସମୀକ୍ଷା ବୈଠକ,ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ନିର୍ଦ୍ଦେଶ

*ଝାରସୁଗୁଡ଼ାରେ ସଡ଼କ ସୁରକ୍ଷା ସମୀକ୍ଷା ବୈଠକ: ବିଭିନ୍ନ ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ*

 ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ସମନ୍ୱିତ ପଦକ୍ଷେପ ଉପରେ ଗୁରୁତ୍ୱ

ଝାରସୁଗୁଡ଼ା, ୨୮।୭(ଫାଷ୍ଟ ନ୍ୟୁଜ ଓଡ଼ିଶା): ଜିଲ୍ଲାରେ ସଡ଼କ ସୁରକ୍ଷା ବ୍ୟବସ୍ଥାର କାର୍ଯ୍ୟାନ୍ୱୟନ ଏବଂ ବିଭିନ୍ନ ସଡ଼କ ସୁରକ୍ଷାମୂଳକ ପଦକ୍ଷେପର ଅଗ୍ରଗତିର ସମୀକ୍ଷା ନିମନ୍ତେ ଜିଲ୍ଲା ସଡ଼କ ସୁରକ୍ଷା କମିଟି (ଡିଆରଏସସି) ଏବଂ ଜିଲ୍ଲା ରାଜପଥ ସୁରକ୍ଷା ଟାସ୍କ ଫୋର୍ସର ସମୀକ୍ଷା ବୈଠକ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ଡିଏମଏଫ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଉପଜିଲ୍ଲାପାଳ ଶ୍ରୀ ସବ୍ୟସାଚୀ ପଣ୍ଡା, ଡିଏସପି ଶ୍ରୀମତୀ ବନିତା ମାଝୀ, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରଣୟ କୁମାର ମିଶ୍ର, ଏମଭି ଆଇ ଶ୍ରୀ ଅମିୟ ରଞ୍ଜନ ପାତ୍ର ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁହାର ହ୍ରାସ ପାଇଁ ସମସ୍ତ ବିଭାଗର ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ବିସ୍ତୃତ ଆଲୋଚନା ପରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ରାସ୍ତା ପାର୍ଶ୍ୱରେ ବେଆଇନ ଗାଡ଼ି ପାର୍କିଂ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଶିଳ୍ପ ସଂସ୍ଥାମାନଙ୍କ ଦ୍ୱାରା ଚାଲିଥିବା ଡି-ଡଷ୍ଟିଂ କାର୍ଯ୍ୟକ୍ରମର ପ୍ରଶଂସା କରି ନିୟମିତ ଭାବେ ରାସ୍ତା ପାର୍ଶ୍ୱ ସଫେଇ ଓ ଧୂଳି ନିୟନ୍ତ୍ରଣ କାର୍ଯ୍ୟ ଜାରି ରଖିବାକୁ ବୈଠକ ରେ ନିଷ୍ପତ୍ତି ଗ୍ରହଣ କରାଗଲା l ଖେରୁଆଳ ବ୍ରିଜ ନିକଟରେ ଖରାପ ହୋଇପଡ଼ୁଥିବା ଯାନବାହନକୁ ତୁରନ୍ତ ହଟାଇବା ପାଇଁ ଜେଏସଡବ୍ଲୁ, ସମ୍ବଲପୁର ପକ୍ଷରୁ ୨୪×୭ କ୍ରେନ୍ ସେବା ଉପଲବ୍ଧ କରାଯାଇଛି। ଏଥିପାଇଁ ୯୪୩୭୦୬୭୦୧୪ ମୋବାଇଲ୍ ନମ୍ବର ସାର୍ବଜନୀନ ସୁବିଧା ପାଇଁ ସାଇନେଜ୍ ବୋର୍ଡରେ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଜାତୀୟ ରାଜପଥ କଡ଼ରେ ଥିବା ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ନିକଟରେ ରମ୍ବଲ୍ ଷ୍ଟ୍ରିପ୍ ସ୍ଥାପନ କରିବାକୁ ଏନଏଚଏଆଇକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ଜାତୀୟ ଓ ରାଜ୍ୟ ରାଜପଥ ପାର୍ଶ୍ୱରେ ଥିବା ବେଆଇନ ଢାବା, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଜବରଦଖଲ ହଟାଇବା ପାଇଁ ଉପଜିଲ୍ଲାପାଳଙ୍କ ନିକଟରେ ଅଗ୍ରାଧିକାର ଭିତ୍ତିରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବାକୁ ଏନଏଚଏଆଇ ଏବଂ ରାଜ୍ୟ ରାଜପଥ କର୍ତ୍ତୃପକ୍ଷଙ୍କୁ କୁହାଯାଇଥିଲା। ବ୍ରଜରାଜନଗର ଟ୍ରକ୍ ଟର୍ମିନାଲର ଶୀଘ୍ର ହସ୍ତାନ୍ତର ପାଇଁ ବ୍ରଜରାଜନଗର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାସହ ଡୁଙ୍ଗଡୁଙ୍ଗ ଛକରେ ଭାରୀ ମାଲବାହୀ ଯାନ ଉପରେ କଡ଼ା ନଜର ରଖିବା ପାଇଁ ପୁଲିସ ଓ ଆରଟିଓଙ୍କୁ ମିଳିତ ଏନଫୋର୍ସମେଣ୍ଟ ଡ୍ରାଇଭ୍ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବୈଠକ ଶେଷରେ ଜିଲ୍ଲାରେ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଏବଂ ଦୁର୍ଘଟଣା ହ୍ରାସ ପାଇଁ ସମସ୍ତ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା।

 ଝାରସୁଗୁଡ଼ା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ