ପ୍ରେମ ସମ୍ପର୍କକୁ ନେଇ କଙ୍ଗାରୁ କୋର୍ଟ
ବାରିପଦା (18/09/1026 ଯୁବକ ଓ ଦୁଇ ସନ୍ତାନର ମା’ଙ୍କୁ ଗଛରେ ବାନ୍ଧି ନିର୍ଯାତନା ଅଭିଯୋଗ; ଭିଡିଓ ଭାଇରାଲ ପରେ ପୁଲିସ ଜିମାରେ ଦେଲେ ଗ୍ରାମବାସୀ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଯୋକା ପଞ୍ଚାୟତ ଅଞ୍ଚଳରେ କଙ୍ଗାରୁ କୋର୍ଟ ବସାଇ ଜଣେ ଯୁବକ ଓ ଦୁଇ ସନ୍ତାନର ମା’ ଜଣେ ବିବାହିତାଙ୍କୁ ଅଟକ ରଖି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ରତିଲା ଗ୍ରାମର ଜଣେ ଯୁବକ ଓ ଯୋକା ଗ୍ରାମର ଜଣେ ବିବାହିତା ମହିଳାଙ୍କ ମଧ୍ୟରେ ଇନଷ୍ଟାଗ୍ରାମ ମାଧ୍ୟମରେ ପରିଚୟ ହେବା ପରେ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟଙ୍କ ମଧ୍ୟରେ ଭେଟାଭେଟି ହେଉଥିବା ସମୟରେ କିଛି ଗ୍ରାମବାସୀ ସେମାନଙ୍କୁ ଅଟକ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଉଭୟଙ୍କୁ ଗଛରେ ଦଉଡ଼ିରେ ବାନ୍ଧି ରଖାଯିବା ସହ ଗ୍ରାମର କିଛି ମୁଖିଆ ଓ ପାରମ୍ପରିକ ମାଝିମାନଙ୍କୁ ଡାକି ଏକ ବୈଠକ ବସାଯାଇଥିଲା। ସେଠାରେ ଉଭୟଙ୍କୁ ପଚରାଉଚରା କରାଯିବା ସହ ମାଡ଼ ଓ ଅନ୍ୟାନ୍ୟ ଭାବେ ନିର୍ଯାତନା ଦିଆଯାଇଥିବା ଭିଡିଓରେ ଦେଖିବାକୁ ମିଳୁଥିବା ଦାବି କରାଯାଇଛି।ସୂଚନା ଅନୁସାରେ, ଉଭୟଙ୍କୁ ପ୍ରାୟ ଦୁଇ ଦିନ ଧରି ଅଟକ ରଖାଯାଇଥିଲା। ଏହି ସମୟରେ ଘଟଣାସ୍ଥଳରେ ଥିବା କିଛି ବ୍ୟକ୍ତି ମୋବାଇଲ୍ରେ ଭିଡିଓ ରେକର୍ଡ କରିଥିଲେ। ପରେ ଭିଡିଓଟି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଘଟଣାଟି ସାମ୍ନାକୁ ଆସିଥିଲା।ଭିଡିଓ ଭାଇରାଲ ପରେ ଦୁଇଦିନ ପରେ ଗ୍ରାମବାସୀ ଉଭୟଙ୍କୁ ଝାରପୋଖରିଆ ପୁଲିସ ଜିମାରେ ଦେଇଥିବା ଜଣାପଡ଼ିଛି। ପୁଲିସ ଉଭୟଙ୍କୁ ନିଜ ହେପାଜତକୁ ନେଇ ଘଟଣା ସମ୍ପର୍କରେ ପଚରାଉଚରା କରୁଥିବା ବେଳେ, କଙ୍ଗାରୁ କୋର୍ଟ ବସାଇ ଆଇନକୁ ହାତକୁ ନେଇଥିବା ବ୍ୟକ୍ତିମାନଙ୍କ ଭୂମିକା ନେଇ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ତେବେ ଘଟଣାରେ ପ୍ରକୃତରେ କ’ଣ ଘଟିଥିଲା, କେଉଁମାନେ ଏଥିରେ ସମ୍ପୃକ୍ତ ଥିଲେ ଏବଂ ଉଭୟଙ୍କୁ କେଉଁ ପରିସ୍ଥିତିରେ ଅଟକ ରଖାଯାଇଥିଲା, ସେନେଇ ପୁଲିସ ତଦନ୍ତ ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0