ବର୍ଷେ ହେଲା ଖୁଣ୍ଟ ସଦୃଶରେ ଠିଆ ହୋଇଛି ଜିଓ ଟାୱାର,କେବେ ହେବ କାର୍ଯ୍ୟକ୍ଷମ ଅପେକ୍ଷାରେ ବାଞ୍ଜାମାହା ଗ୍ରାମବାସୀ।
ଦାରିଙ୍ଗବାଡ଼ି :୨୧/୭(ସଲମନ୍ ବିନ୍ଧାଣୀ)ଆଜିର ଡିଜିଟାଲ ଯୁଗରେ ଯେଉଁଠି ମୋବାଇଲ ଓ ଇଣ୍ଟରନେଟ ସେବା ମଣିଷର ଦୈନନ୍ଦିନ ଜୀବନର ଏକ ମୁଖ୍ୟ ଅଙ୍ଗ ପାଲଟିଛି ମୋବାଇଲ୍, ତାହା ବ୍ୟବହାର କରିବା ପାଇଁ ନେଟୱାର୍କ ଆବଶ୍ୟକ ହୁଏ I ଏହାର ଉଦ୍ଦେଶ୍ୟ ନେଇ ବିଭିନ୍ନ ସ୍ଥାନରେ ଟାୱାର ନିର୍ମାଣ କରାଯାଇଛି ଆଉ ଟାୱାର ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଇଛି କିନ୍ତୁ ତାହା କାମରେ ଲାଗୁନି ଯାହା ଉପାନ୍ତ ଅଞ୍ଚଳରେ ଦେଖିବାକୁ ମିଳୁଛି କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକ ସିର୍କାବର୍ଗ ପଞ୍ଚାୟତ ର ବାଞ୍ଜାମାହା ଗ୍ରାମରେ ଏବେ ବି ମୋବାଇଲ ନେଟୱର୍କ ଏକ ସ୍ୱପ୍ନ ପାଲଟିଛି। ଗ୍ରାମରେ ଜିଓ କମ୍ପାନୀ ପକ୍ଷରୁ ମୋବାଇଲ ଟାୱାରର ଲୁହା ଖୁଣ୍ଟି ଠିଆ ହେବାର ଦୀର୍ଘ ୮ ମାସ ବିତିଯାଇଥିଲେ ସୁଦ୍ଧା, ଏହାକୁ ଏପର୍ଯ୍ୟନ୍ତ ସଂଯୋଗୀକରଣ କରାଯାଇ ନାହିଁ। ଫଳରେ ନେଟୱର୍କ ପାଇଁ ବାଞ୍ଜାମାହା ଗ୍ରାମବାସୀ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ବେଳେ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି।ସୂଚନାଯୋଗ୍ୟ ଯେ, ଗ୍ରାମବାସୀଙ୍କ ଦୀର୍ଘଦିନର ଦାବି ଏବଂ ପ୍ରଶାସନିକ ପ୍ରଚେଷ୍ଟା ପରେ ପ୍ରାୟ ଆଠ ମାସ ତଳେ ବାଞ୍ଜାମାହା ଗ୍ରାମରେ ଏହି ଜିଓ ଟାୱାର ନିର୍ମାଣ କରାଯାଇଥିଲା। ଟାୱାର ଖୁଣ୍ଟି ଠିଆ ହେବା ପରେ ଅଞ୍ଚଳରେ ନେଟୱର୍କ ସମସ୍ୟାର ସମାଧାନ ହେବ ଏବଂ ଲୋକେ ଦୁନିଆ ସହ ଯୋଡ଼ି ହୋଇପାରିବେ ବୋଲି ଆଶା ବାନ୍ଧିଥିଲେ। ମାତ୍ର କମ୍ପାନୀ ଓ ପ୍ରଶାସନର ଚରମ ଅବହେଳା ଯୋଗୁଁ ଆଜି ପର୍ଯ୍ୟନ୍ତ ଏଥିରେ ମେସିନ୍ ସଂଯୋଗୀକରଣ କରାଯାଇ ନାହିଁ। ଦୀର୍ଘ ୮ ମାସ ହେଲା ଟାୱାରଟି କେବଳ ଏକ କଙ୍କାଳ ସଦୃଶ ଠିଆ ହୋଇ ରହିଛି।ନେଟୱର୍କ ନଥିବା ଯୋଗୁଁ ସବୁଠାରୁ ଅଧିକ ଛାତ୍ରଛାତ୍ରୀ ଓ ଯୁବପିଢ଼ି ହଇରାଣ ହେଉଛନ୍ତି ।ଗ୍ରାମର ଅନଲାଇନ୍ ପାଠପଢ଼ା, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଫର୍ମ ଫିଲପ୍ କିମ୍ବା କୌଣସି ଶିକ୍ଷାଗତ ତଥ୍ୟ ପାଇବା ପାଇଁ ସେମାନଙ୍କୁ ଦୀର୍ଘ ୪ କିଲମିଟର ଦୂର ପାହାଡ଼ି ରାସ୍ତା ଅତିକ୍ରମ କରି ସିର୍କାବର୍ଗ ଗ୍ରାମ କୁ ଯିବାକୁ ପଡ଼ୁଛି। ଏହା ସହିତ ଗ୍ରାମରେ କୌଣସି ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ, ଆମ୍ବୁଲାନ୍ସ କିମ୍ବା ଡାକ୍ତରଙ୍କ ସହ ଯୋଗାଯୋଗ କରିବା ସମ୍ଭବ ହେଉନାହିଁ। ବ୍ୟାଙ୍କିଙ୍ଗ୍ ଏବଂ ଅନ୍ୟାନ୍ୟ ସରକାରୀ ଯୋଜନାର ଅନଲାଇନ୍ କାମ ପାଇଁ ଲୋକେ ପ୍ରତ୍ୟେକ ଦିନ ଦାରିଙ୍ଗବାଡ଼ି କୁ ଯାଇ ଯାଇ ନିରାଶ ହେଉଛନ୍ତି।ଏ ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ଓ ଯୁବ ସଙ୍ଗଠନ ପକ୍ଷରୁ ଅନେକ ଥର ଦାବି କରାଯାଇଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ହିଁ ସାର ହେଉଛି। ତେଣୁ ଏହି ଜିଓ ଟାୱାରକୁ ତୁରନ୍ତ ସଂଯୋଗୀକରଣ କରାଯାଇ କାର୍ଯ୍ୟକ୍ଷମ କରିବା ପାଇଁ ବାଞ୍ଜାମାହା ଅଞ୍ଚଳବାସୀ ଜିଲ୍ଲାପାଳ, ବିଡିଓ ଏବଂ ଜିଓ କମ୍ପାନୀର ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି। ଯଦି ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନହୁଏ, ତେବେ ଗ୍ରାମବାସୀ ଆସନ୍ତା ପଞ୍ଚାୟତ ନିର୍ବାଚନ ରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0