ସ୍ପର୍ଶ କୁଷ୍ଠ ସଚେତନତା ଅଭିଯାନ ୨୦୨୫ ସଫଳ କାର୍ଯ୍ୟକାରିତା ପାଇଁ ଜିଲ୍ଲା ସମନ୍ୱୟ କମିଟି ବୈଠକ

ବାରିପଦା: ୨୮.୦୧.୨୦୨୪// ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମହାତ୍ମାଗାନ୍ଧୀ ସମ୍ମିଳନୀ କକ୍ଷ ଠାରେ ସ୍ପର୍ଶ କୁଷ୍ଠ ସଚେତନତା ଅଭିଯାନ ୨୦୨୫ର ସଫଳ କାର୍ଯ୍ୟକାରିତା ପାଇଁ ଜିଲ୍ଲା ସମନ୍ୱୟ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜାତୀୟ କୁଷ୍ଠ ନିବାରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଅଭିଯାନକୁ ଜାନୁଆରୀ ୩୦ ତାରିଖରେ ବିଶ୍ୱ କୁଷ୍ଠ ଦିବସ ଭାବେ ପାଳନ କରାଯିବ । ଏହି ବୈଠକରେ କୁଷ୍ଠରୋଗକୁ ହ୍ରାସ କରିବା ପାଇଁ ସଚେତନତା ସୃଷ୍ଟି କରିବା ଏବଂ କୁଷ୍ଠରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପ୍ରତି ଭେଦଭାବକୁ ସମାପ୍ତ କରିବା ପାଇଁ ଜିଲ୍ଲାବ୍ୟାପୀ କୁଷ୍ଠରୋଗୀ ଚିହ୍ନଟ ଏବଂ ତାଙ୍କ ଚିକିତ୍ସା ସେବାକୁ ସୁଦୃଢ଼ କରିବା ନିମନ୍ତେ ବ୍ୟାପକ ରଣନୀତି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ଅବସରରେ ଶୂନ୍ୟ କୁଷ୍ଠ ଅଭିଯାନ ମାଧ୍ୟମରେ ଜିରୋ ସଂକ୍ରମଣ ଏବଂ ରୋଗ, ଶୂନ୍ୟ ଅକ୍ଷମତା ଓ ଶୂନ୍ୟ ଭେଦଭାବ ଲକ୍ଷ ନେଇ, କୁଷ୍ଠ ରୋଗର ନିରାକରଣ ଏବଂ ଚିକିତ୍ସା ବିଷୟରେ ନାଗରିକମାନଙ୍କୁ ଶିକ୍ଷା ଦେବା ପାଇଁ ବିଦ୍ୟାଳୟ ତଥା ସର୍ବସାଧାରଣ ସ୍ଥାନରେ ପ୍ରଶାସନ ପକ୍ଷରୁ ବାର୍ତ୍ତା ପ୍ରଚାର କରାଯିବ ଓ ଏହା ସହିତ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ (ଆଇଇସି) ଦ୍ୱାରା ଜନସାଧାରଣଙ୍କୁ ସଚେତନ କରାଯିବ । ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡା. ପ୍ରଭାତ କୁମାର ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ଡା. ଶାନ୍ତନୁ କୁମାର ଦାଶ, ଡା. ଅଭୟ କୁମାର ଦାସ ଓ ଡା. ମିତା ମିଶ୍ର ଅଭିଯାନ ପାଇଁ ପ୍ରସ୍ତୁତି ଓ କାର୍ଯ୍ୟକାରୀତା ସମ୍ବନ୍ଧରେ ଉପସ୍ଥାପନ ରଖିଥିଲେ। ଡି.ପି.ଏମ୍. ବିଶ୍ୱରଂଜନ ରାଉତଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲାପାଳ ଶ୍ରୀ ସୟ ଉପସ୍ଥିତ ଅଧିକାରୀଙ୍କୁ ସ୍ପର୍ଶ କୁଷ୍ଠ ସଚେତନତା ପାଇଁ ଶପଥ ପାଠ କରାଇଥିଲେ । ପ୍ରକାଶ ଥାଉକି କେନ୍ଦ୍ରୀୟ କୁଷ୍ଠ ଡିଭିଜନ୍ ଦ୍ୱାରା ପ୍ରଣୀତ ଜାତୀୟ ନୀତି ଯୋଜନା ୨୦୨୩-୨୭ ଅନୁଯାୟୀ ୨୦୨୭ ସୁଦ୍ଧା କୁଷ୍ଠ ମୁକ୍ତ ଭାରତ ଗଠନ ଆଭିମୁଖ୍ୟ ରଖାଯାଇଛି।
What's Your Reaction?






