ମାଲକାନଗିରିରେ ମାନବ ଚାଲାଣ ନିରୋଧ ନେଇ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Nov 12, 2026 - 17:27
 0  1
ମାଲକାନଗିରିରେ ମାନବ ଚାଲାଣ ନିରୋଧ ନେଇ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

*ମାଲକାନଗିରି, ୧୦/୧୧/୨୦୨୬:* ମାନବ ଚାଲାଣ ଭଳି ଏକ ଗୁରୁତର ସାମାଜିକ ଅପରାଧର ନିରାକରଣ, ପୀଡ଼ିତାଙ୍କ ଉଦ୍ଧାର, ସୁରକ୍ଷା ଓ ପୁନର୍ବାସ ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଏକ ଦିନିକିଆ ଜିଲ୍ଲାସ୍ତରୀୟ ମାନବ ଚାଲାଣ ନିରୋଧ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଦିନ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ପ୍ରଶିକ୍ଷଣ ଶିବିରରେ ପୋଲିସ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଶ୍ରମ ବିଭାଗ ସମେତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଶିଶୁ ମଙ୍ଗଳ କମିଟି, ମହିଳା ଓ ଶିଶୁ ବିକାଶ ବିଭାଗ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ତଥା ଅଂଶୀଦାର ବିଭାଗର ଅଧିକାରୀ ଓ କର୍ମକର୍ତ୍ତାମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମାନବ ଚାଲାଣର ମୁଖ୍ୟ କାରଣ, ପ୍ରକାରଭେଦ, ଶିଶୁ ଓ ମହିଳା ଚାଲାଣ ରୋକିବାର ଉପାୟ ଏବଂ ସନ୍ଦିଗ୍ଧ ଘଟଣାର ଚିହ୍ନଟ ପ୍ରକ୍ରିୟା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହା ବ୍ୟତୀତ ତ୍ୱରିତ ଉଦ୍ଧାର କାର୍ଯ୍ୟ, ଆଇନଗତ ବ୍ୟବସ୍ଥା ଏବଂ ପୀଡ଼ିତାଙ୍କ ଥଇଥାନ ଓ ପୁନର୍ବାସ ସମ୍ପର୍କରେ ଉପସ୍ଥିତ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ବିଶେଷକରି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଦାଦନ ଶ୍ରମିକ ଚାଲାଣ, ଶିଶୁ ତଥା ମହିଳା ଚାଲାଣ ଭଳି ଘଟଣାକୁ ରୋକିବା ପାଇଁ ତୃଣମୂଳସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ମାନବ ଚାଲାଣ ଏକ ଦଣ୍ଡନୀୟ ଅପରାଧ ହୋଇଥିବାରୁ ଏହାର ସମୂଳ ନିରାକରଣ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ଏବଂ ସନ୍ଦିଗ୍ଧ ଘଟଣା ନଜରକୁ ଆସିଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଥିଲା। ଏହି ଲଢ଼େଇରେ ପ୍ରଶାସନ, ପୋଲିସ, ଜନପ୍ରତିନିଧି, ସ୍ୱେଚ୍ଛାସେବୀ ସଂଗଠନ ଏବଂ ସାଧାରଣ ଜନତାଙ୍କ ସକ୍ରିୟ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଚିତା ପଣ୍ଡା ଏହି କାର୍ଯ୍ୟକ୍ରମର ସଂଯୋଜକ ଦାୟିତ୍ୱ ସୁଚାରୁରୂପେ ତୁଲାଇଥିଲେ। ଏଥିରେ ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମମତା ଚୌଧରୀ, ଉପଖଣ୍ଡସ୍ତରୀୟ ସୁରକ୍ଷା ଅଧିକାରୀ ସଭ୍ୟା ମାଝୀ ଏବଂ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ରର ଜିଲ୍ଲା ସଂଯୋଜକ ମଣି ମୋହନ ସରକାରଙ୍କ ସମେତ କେନ୍ଦ୍ରର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ଏହି ଶିବିରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ, ଆଇନଜୀବୀ ସାଗର କୁମାର ପାଣିଗ୍ରାହୀ ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର (ଆଇନ) ସୂର୍ଯ୍ୟ ନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ଏହି ପ୍ରଶିକ୍ଷଣ ଶିବିର ମାଧ୍ୟମରେ ମାନବ ଚାଲାଣ ନିରୋଧ ଦିଗରେ ଜିଲ୍ଲାର ସମସ୍ତ ବିଭାଗର ଦକ୍ଷତା ବୃଦ୍ଧି ସହିତ ଏକ ସୁରକ୍ଷିତ ତଥା ଶୋଷଣମୁକ୍ତ ସମାଜ ଗଠନ ପାଇଁ ସାମୂହିକ ପ୍ରୟାସକୁ ଆହୁରି ସୁଦୃଢ଼ କରିବା ନେଇ ଆହ୍ୱାନ ଦିଆଯାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ