ବିକଶିତ ଓ ଦାଦନମୁକ୍ତ କନ୍ଧମାଳ ପାଇଁ ରାଇକିଆରେ ବ୍ଲକସ୍ତରୀୟ ବୈଠକ ସ୍ଥାନୀୟ ସମ୍ବଳର ପ୍ରକ୍ରିୟାକରଣ ଓ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ

Sep 12, 2026 - 19:53
 0  44
ବିକଶିତ ଓ ଦାଦନମୁକ୍ତ କନ୍ଧମାଳ ପାଇଁ ରାଇକିଆରେ ବ୍ଲକସ୍ତରୀୟ ବୈଠକ ସ୍ଥାନୀୟ ସମ୍ବଳର ପ୍ରକ୍ରିୟାକରଣ ଓ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ

ରାଇକିଆ, ୧୨/୦୯: (ସଲମନ୍ ବିନ୍ଧାଣୀ)କନ୍ଧମାଳ ଜିଲ୍ଲାକୁ ଦାଦନମୁକ୍ତ କରିବା ସହ ସ୍ଥାନୀୟ ସ୍ତରରେ ରୋଜଗାର ଓ ଜୀବିକାର ସୁଯୋଗ ବୃଦ୍ଧି କରି ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ରାଇକିଆ ବ୍ଲକର ବେରେଡାକିଆ ଆରଏମସି ପରିସରରେ ଏକ ବ୍ଲକସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି। ସୋସିଆଲ୍ ୱର୍କର୍ସ ଆସୋସିଏସନ୍ ଅଫ୍ କନ୍ଧମାଳ (ସ୍ୱାକ) ପକ୍ଷରୁ ଆୟୋଜିତ ଏହି ବୈଠକରେ ଦାଦନ ସମସ୍ୟାର କାରଣ, ପ୍ରଭାବ ଓ ଏହାର ଦୀର୍ଘମିଆଦି ସମାଧାନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ସାମାଜିକ କର୍ମୀ, ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି, ଜନପ୍ରତିନିଧି, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ। ସ୍ୱାକ ସଭାପତି ଆମନ ଚନ୍ଦ୍ର ନାୟକ ବୈଠକରେ ଅଧ୍ୟକ୍ଷତା କରିଥିବାବେଳେ ସଦସ୍ୟ ସନ୍ତୋଷ ଦିଗାଲ ସ୍ୱାଗତ ଭାଷଣ ଦେଇଥିଲେ। ସ୍ୱାକ ସମ୍ପାଦକ ହୃଷିକେଶ ପ୍ରଧାନ ବୈଠକର ଉଦ୍ଦେଶ୍ୟ ଓ କନ୍ଧମାଳରେ ଦାଦନ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ବୈଠକ ଆରମ୍ଭରେ ଦାଦନ ଖଟିବାକୁ ଯାଇ ବାହାର ରାଜ୍ୟରେ ମୃତ୍ୟୁବରଣ କରିଥିବା ୧୧ ଜଣ ଶ୍ରମିକଙ୍କ ଆତ୍ମାର ସଦ୍‌ଗତି କାମନା କରି ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଆଲୋଚନାରେ କୁହାଯାଇଥିଲା ଯେ, ରାଇକିଆ ବ୍ଲକର ବିଭିନ୍ନ ଅଞ୍ଚଳରେ ପର୍ଯ୍ୟାପ୍ତ ରୋଜଗାର ସୁଯୋଗ ନଥିବାରୁ ପ୍ରତିବର୍ଷ ବହୁ ଶ୍ରମିକ କାମ ଅନ୍ୱେଷଣରେ ଅନ୍ୟ ରାଜ୍ୟକୁ ଯାଉଛନ୍ତି। ବିଶେଷକରି ଦଲାଲଙ୍କ ମାଧ୍ୟମରେ ଅସୁରକ୍ଷିତ ଭାବେ ପ୍ରବାସ କରୁଥିବା ଶ୍ରମିକମାନେ ଠକେଇ, ଶୋଷଣ, ନିର୍ଯାତନା, ଦୁର୍ଘଟଣା ଓ ମୃତ୍ୟୁ ଭଳି ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ କେବଳ ସଚେତନତା ସୃଷ୍ଟି ନୁହେଁ, ସ୍ଥାନୀୟ ଅଞ୍ଚଳରେ ନିରନ୍ତର ରୋଜଗାର ସୃଷ୍ଟି କରିବା ହିଁ ଦାଦନ ସମସ୍ୟାର ଦୀର୍ଘମିଆଦି ସମାଧାନ ବୋଲି ମତ ପ୍ରକାଶ ପାଇଥିଲା। କନ୍ଧମାଳର ପ୍ରାକୃତିକ ସମ୍ପଦ, କୃଷି, ଜଙ୍ଗଲଜାତ ଦ୍ରବ୍ୟ, ଉଦ୍ୟାନ କୃଷି ଓ ସ୍ଥାନୀୟ ଦକ୍ଷତାକୁ ଆଧାର କରି ନୂଆ ଜୀବିକା ସୁଯୋଗ ସୃଷ୍ଟି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଯୁବପିଢ଼ିଙ୍କୁ ଆତ୍ମନିଯୁକ୍ତି ଓ କ୍ଷୁଦ୍ର ଉଦ୍ୟୋଗ ପାଇଁ ତାଲିମ, ପ୍ରୋତ୍ସାହନ ଓ ବଜାର ସୁଯୋଗ ଯୋଗାଇଦେଲେ ସେମାନେ ନିଜ ଅଞ୍ଚଳରେ ରହି ରୋଜଗାର କରିପାରିବେ ବୋଲି ମତ ପ୍ରକାଶ ପାଇଥିଲା। ବୈଠକରେ ରାଇକିଆ ଅଞ୍ଚଳର ହଳଦୀ ଚାଷ ଓ ଚାଷୀଙ୍କ ସମସ୍ୟା ଏକ ମୁଖ୍ୟ ପ୍ରସଙ୍ଗ ଭାବେ ଉଠିଥିଲା। ଅଞ୍ଚଳରେ ହଳଦୀ ଚାଷର ଭଲ ସମ୍ଭାବନା ଥିବା ସତ୍ତ୍ୱେ ଚାଷୀମାନେ ଉତ୍ପାଦର ଉଚିତ ମୂଲ୍ୟ ପାଉନଥିବା ନେଇ ଆଲୋଚନା ହୋଇଥିଲା। ହଳଦୀ ପାଇଁ ନିୟମିତ କ୍ରୟ ବ୍ୟବସ୍ଥା, ମଣ୍ଡି, ସଂରକ୍ଷଣ ସୁବିଧା ଓ ବଜାର ସଂଯୋଗ ବିକଶିତ କରାଗଲେ ଚାଷୀଙ୍କ ଆୟ ବୃଦ୍ଧି ସହ ଅନେକ ପରିବାର ପାଇଁ ସ୍ଥାନୀୟ ଜୀବିକାର ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ମତ ଦିଆଯାଇଥିଲା। ସେହିପରି ଅଁଳା, ପଣସ, ମାଣ୍ଡିଆ, ବିରି, ବିଭିନ୍ନ ମସଲାଜାତୀୟ ଫସଲ ଓ ଜଙ୍ଗଲଜାତ ଦ୍ରବ୍ୟକୁ କେବଳ କଞ୍ଚାମାଲ ଭାବେ ବିକ୍ରି ନକରି ସେଗୁଡ଼ିକର ପ୍ରକ୍ରିୟାକରଣ, ମୂଲ୍ୟବୃଦ୍ଧି ଓ ବଜାର ସଂଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିପାଇଁ ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ଯୁବଗୋଷ୍ଠୀ ଓ ସ୍ଥାନୀୟ ଉଦ୍ୟୋଗୀମାନଙ୍କୁ ଯୋଡ଼ି ଛୋଟ ଓ ମଧ୍ୟମ ଉଦ୍ୟୋଗ ଗଢ଼ିବା ଆବଶ୍ୟକତା ନେଇ ମତ ପ୍ରକାଶ ପାଇଥିଲା। ‘ଏକ ଜିଲ୍ଲା, ଏକ ସଙ୍କଳ୍ପ’ ଭାବନା ଅନୁଯାୟୀ ସ୍ଥାନୀୟ ସମ୍ବଳର ସଠିକ୍ ବ୍ୟବହାର କରି ରୋଜଗାର ସୃଷ୍ଟି, କୃଷିଜାତ ଓ ଜଙ୍ଗଲଜାତ ଦ୍ରବ୍ୟର ମୂଲ୍ୟବୃଦ୍ଧି, ବଜାର ସଂଯୋଗ ଓ କ୍ଷୁଦ୍ର ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ସହ ଆବଶ୍ୟକ ଭିତ୍ତିଭୂମି ବିକାଶ ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଦାଦନ ସମସ୍ୟାର ମୂଳ କାରଣ ଦୂର କରିବା ସହ ସ୍ଥାନୀୟ ରୋଜଗାର ବୃଦ୍ଧି, ଚାଷୀଙ୍କ ଆୟ ବଢ଼ାଇବା ଓ ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ମାଧ୍ୟମରେ ବିକଶିତ ଓ ଦାଦନମୁକ୍ତ କନ୍ଧମାଳ ଗଠନ ପାଇଁ ସମସ୍ତେ ମିଳିତ ଭାବେ ପ୍ରୟାସ ଜାରି ରଖିବାକୁ ବୈଠକରେ ଆହ୍ୱାନ ଦିଆଯାଇଥିଲା। ବୈଠକରେ ବେରେଡାକିଆ ସରପଞ୍ଚ ଅକ୍ଷୟ କୁମାର ପ୍ରଧାନ, ଡଡିଙ୍ଗିଆ ସରପଞ୍ଚ ଅଶୋକ ପ୍ରଧାନ, ବାସ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିଷ୍ଠାତା ଶଶାଙ୍କ ଶେଖର ଦିଗାଲ, ସମ୍ପାଦକ ନିହାଲ ଦିଗାଲ, ସମାଜସେବୀ ବିଟୁ ଦିଗାଲ, ମହିଳା ଜୀବିକା ସୁରକ୍ଷା ମଞ୍ଚର ସଭାନେତ୍ରୀ ପ୍ରମୋଦା ନାୟକ, ରାଇକିଆ ପ୍ରେସ୍ କ୍ଲବ ସଭାପତି ପ୍ରଦୀପ ବେହେରା, ସମାଜସେବୀ ମାନେଶ୍ୱର ଦିଗାଲ, ଚନ୍ଦ୍ରପ୍ରଭା ମଳିକଙ୍କ ସମେତ ବିଭିନ୍ନ ପଞ୍ଚାୟତର ସାମାଜିକ କର୍ମୀ, ସମାଜସେବୀ, ବୁଦ୍ଧିଜୀବୀ ଓ ସାମ୍ବାଦିକମାନେ ଉପସ୍ଥିତ ଥିଲେ। ସ୍ୱାକ ସଦସ୍ୟା ମୀନାକ୍ଷୀ ପ୍ରଧାନ, ବିବେକାନନ୍ଦ ପ୍ରଧାନ ଓ ମିହିର ଦିଗାଲ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସ୍ୱାକ କୋଷାଧ୍ୟକ୍ଷ ସାମନ୍ତ ଶେଖର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ