ନାଗା ସାଧୁ ଭେଷରେ ଆସି ଘର ଦୋଷ କାଟିବା ନାଁରେ ସୁନା ଓ ଟଙ୍କା ଲୁଟ୍, ୪ ଦୁର୍ବୃତ୍ତ ଫେରାର

Sep 11, 2026 - 04:44
 0  28
ନାଗା ସାଧୁ ଭେଷରେ ଆସି ଘର ଦୋଷ କାଟିବା ନାଁରେ ସୁନା ଓ ଟଙ୍କା ଲୁଟ୍, ୪ ଦୁର୍ବୃତ୍ତ ଫେରାର

ନାଗା ସାଧୁ ଭେଷରେ ଆସି ଘର ଦୋଷ କାଟିଦେବା କହି ସୁନା ଓ ଟଙ୍କା ଲୁଟ୍ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡ଼କୁମାରୀ ଗାଁର ହରିପଦ ମଣ୍ଡଳଙ୍କ ଘରେ ଘଟିଛି ଏଭଳି ଘଟଣା । ୪ ଜଣ ଦୁର୍ବୃତ୍ତ ନାଗା ସାଧୁ ଭେଷରେ ଆସି ଘର ଭିତରକୁ ପଶିବା ସହ ଘରେ ଦୋଷ ଥିବା କହିଥିଲେ । ପରେ ପୂଜାପାଠ ନାଁରେ ସୁନା ଓ ଟଙ୍କା ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ ଉମରକୋଟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।ଆଜି ସକାଳ ପ୍ରାୟ ୯ଟା ସମୟରେ ଏକ ନାଲି ରଙ୍ଗର କାରରେ ୪ ଜଣ ବ୍ୟକ୍ତି ନାଗା ସାଧୁ ଭେଷରେ ବଡ଼କୁମାରୀ ଗାଁର ହରିପଦ ମଣ୍ଡଳଙ୍କ ଘରେ ପହଞ୍ଚିଥିଲେ । ପ୍ରଥମେ ପାଣି ମାଗିବା ପରେ ଘର ଭିତରକୁ ପଶିଥିଲେ ।ଘରେ ବହୁତ ଦୋଷ ଲାଗିଛି ଏବଂ ଏଥିପାଇଁ ପରିବାରରେ ଅଶାନ୍ତି ଲାଗିରହୁଛି ବୋଲି କହିଥିଲେ । ଏହାର ସମାଧାନ ପାଇଁ ଗୋଟିଏ ମୁଠା ଅରୁଆ ଚାଉଳ ଓ ଗୋଟିଏ ଢାଳ ମାଗିଥିଲେ ।ପରେ ଘରେ ଥିବା ସୁନା ଅଳଙ୍କାର ଢାଳ ଭିତରେ ପକାଇବା ସହ ୨୧ ହଜାର ଟଙ୍କା ଦକ୍ଷିଣା ଦେବାକୁ କହିଥିଲେ । ଏହାପରେ ଘର ଚାରିପଟେ ପାଣି ଛିଞ୍ଚିଲେ ଘରର ସମସ୍ତ ଦୋଷ ଦୂର ହୋଇଯିବ ବୋଲି କହିଥିଲେ ।ପ୍ରଥମେ ହରିପଦଙ୍କ ପକ୍ଷରୁ ଏକ ନାକଫୁଲ ଦିଆଯାଇଥିଲା ହେଲେ ଏତିକି ସୁନାରେ କିଛି ହେବ ନାହିଁ କହି ଆହୁରି ସୁନା ଦେବାକୁ କହିଥିଲେ ଦୁର୍ବୃତ୍ତମାନେ । ଏପରିକି ହରିପଦଙ୍କ ହାତରେ ଥିବା ସୁନା ମୁଦି ମଧ୍ୟ ମାଗିଥିଲେ । ଏହାପରେ ତାଙ୍କ ସ୍ତ୍ରୀଙ୍କ ବେକରେ ଥିବା ସୁନା ଚେନ୍ ଓ କାନର ଅଳଙ୍କାର ଦେବାକୁ ମଧ୍ୟ ବାଧ୍ୟ କରିଥିଲେ । ଏହି ସମୟରେ ହରିପଦ ୧୫୦୦ ଟଙ୍କା ଦେଇଥିଲେ।ତେବେ ଦୁର୍ବୃତ୍ତଙ୍କ ଗତିବିଧିକୁ ନେଇ ହରିପଦଙ୍କ ସ୍ତ୍ରୀଙ୍କ ସନ୍ଦେହ ହୋଇଥିଲା । ସେ ବାହାରକୁ ଯାଇ ପାଟି କରିବାରୁ ୪ ଜଣ ନାଗା ସାଧୁ ଭେଷଧାରୀ ଦୁର୍ବୃତ୍ତ ସେଠାରୁ ତୁରନ୍ତ ଫେରାର ହୋଇଥିଲେ । ଗ୍ରାମବାସୀ ସେମାନଙ୍କୁ ଧରିବାକୁ ପିଛା କରିଥିଲେ ମଧ୍ୟ ନାଲି ରଙ୍ଗର କାରରେ ଦ୍ରୁତ ଗତିରେ ଚାଲିଯାଇଥିଲେ ଦୁର୍ବୃତ୍ତ । ଘଟଣା ସମ୍ପର୍କରେ ଖବର ପାଇ ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଫେରାର ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଛାନଭିନ୍ ଜାରି ରହିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ